ନାବାଳିକାଙ୍କୁ ବଳତ୍କାର ମାମଲା: ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ

ବରଗଡ଼ ଅଫିସ,୫।୫: ୨୦୨୨ ଜୁନ ମାସରେ ବରଗଡ଼ ପୌରାଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ମାମଲାର ରାୟ ପ୍ରକାଶ ପାଇଛି। ଗତ ୧ତାରିଖରେ ଏହି ମାମଲାର ଶୁଣାଣି କରି ବରଗଡ଼ ଅତିରିକ୍ତ ଜିଲା ଜଜ୍‌, ସେସନ ଜଜ୍‌ ତଥା ସ୍ବତନ୍ତ୍ର ପୋକ୍ସୋ ଅଦାଲତ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୧ଲକ୍ଷ ଟଙ୍କାର ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି। ଅର୍ଥ ଅନାଦାୟ ହେଲେ ଆଉ ଏକ ବର୍ଷ ଅତିରିକ୍ତ ସଶ୍ରମ କାରାଦଣ୍ଡ ଭୋଗିବାକୁ କୋର୍ଟ ଆଦେଶ ଦେଇଛନ୍ତି।
ସୂଚନା ଅନୁସାରେ, ୨୦୨୨ ଜୁନ ୬ ତାରିଖ ସକାଳ ପ୍ରାୟ ୬ଟା ସମୟରେ ବରଗଡ଼ ୱାର୍ଡ ନଂ. ୧୬ ଅନ୍ତର୍ଗତ ଡ୍ୟାମ କଲୋନୀର ଜଣେ ନାବାଳିକା ଘର ନିକଟସ୍ଥ ଏକ ଦୋକାନକୁ ଟୁଥ୍‌ ବ୍ରଶ୍‌ କିଣିବାକୁ ଯାଉଥିଲେ। ଏହି ସମୟରେ ସେହି ୱାର୍ଡ ଅଧୀନ ଗାନ୍ଧୀ ନଗରର କାର୍ତ୍ତିକ ଫରିକାର(୨୭) ତାଙ୍କୁ ଉଠାଇ ନେଇ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ନାବାଳିକା ଜଣକ ରକ୍ତାକ୍ତ ଅବସ୍ଥାରେ କାନ୍ଦି କାନ୍ଦି ଆସି ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ କହିବା ପରେ ତାଙ୍କୁ ଚିକିତ୍ସା ପାଇଁ ବରଗଡ଼ ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଥିଲା। ପରେ ନାବାଳିକାଙ୍କ ମା’ ବରଗଡ଼ ଟାଉନ ଥାନାରେ ଏତଲା ଦେଇଥିଲେ। ଏହି କ୍ରମରେ ଟାଉନ ଥାନାରେ ଏକ ମାମଲା (ନଂ.୩୦୧/୨୨) ରୁଜୁ କରି ପୋଲିସ ଅଭିଯୁକ୍ତ କାର୍ତ୍ତିକଙ୍କୁ ଗିରଫ କରିଥିଲା। ପ୍ରାୟ ୨୨ ଜଣ ସାକ୍ଷୀ, ପାରିପାଶର୍‌ବିକ ଅବସ୍ଥିତି ଓ ଅନ୍ୟାନ୍ୟ ପ୍ରମାଣକୁ ଭିତ୍ତି କରି ବରଗଡ଼ ଅତିରିକ୍ତ ଜିଲା ଜଜ୍‌, ସେସନ ଜଜ୍‌ ତଥା ସ୍ବତନ୍ତ୍ର ପୋକ୍ସୋ ଅଦାଲତ ଅଭିଯୁକ୍ତ କାର୍ତ୍ତିକଙ୍କୁ ଏହି ଦଣ୍ଡ ଶୁଣାଇଛନ୍ତି। ଏହି ମାମଲାକୁ ସରକାରୀ ଓକିଲ ବିମଳ କିଶୋର ଦେବତା ଓ ଦ୍ୟୁତୀଶ ଆଚାର୍ଯ୍ୟ ପରିଚାଳନା କରିଥିଲେ।