Categories: ଯାଜପୁର

ନାବାଳିକାଙ୍କୁ ଅପହରଣ, ହତ୍ୟା ମାମଲା: ତଦନ୍ତ ଆରମ୍ଭ, ଅଭିଯୁକ୍ତ କୋର୍ଟ ଚାଲଣ

ରସୁଲପୁର, ୪ା୮(ଡିଏନଏ): ରସୁଲପୁର ବ୍ଲକ ରାଜେନ୍ଦ୍ରପୁର ପଞ୍ଚାୟତ କରଜଙ୍ଗା ଗ୍ରାମର ତ୍ରିଲୋଚନ ଭୋଇଙ୍କ ଘରୁ ଶୁକ୍ରବାର ପୂର୍ବାହ୍ନରେ କୁଆଖିଆ ଥାନା ପୋଲିସ ପକ୍ଷରୁ ଜଣେ ନାବାଳିକା (୧୫)ଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ନାବାଳିକାଙ୍କୁ ପରିବାର ଲୋକେ ସାବାଳିକା ବୋଲି ଦର୍ଶାଇବା ସହ ହତ୍ୟାକାଣ୍ଡକୁ ଆତ୍ମହତ୍ୟା ଦର୍ଶାଇ ପୋଲିସକୁ ଭୂଆଁ ବୁଲାଇବାକୁ ଚେଷ୍ଟା କରିଥିଲେ। ମାତ୍ର ସବୁ ପ୍ରୟାସ ଭଣ୍ଡୁର ହୋଇଛି। ନାବାଳିକାଙ୍କ ମା’ଙ୍କ ପକ୍ଷରୁ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ଅଭିଯୋଗ ଘଟଣାକୁ ନୂଆ ମୋଡ ଦେଇଛି। ଅଭିଯୋଗ ଆଧାରରେ ପୋଲିସ ଅପହରଣ, ଧର୍ଷଣ ଓ ହତ୍ୟା ମାମଲା (ନଂ-୧୯୬/୧୯) ରୁଜୁ କରି ରାତାରାତି ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ଆଶିଷ ଭୋଇ(୨୫) ଓରଫ ହାଉଳି।
ପ୍ରକାଶ ଯେ, ୨୮ଦିନ ତଳେ ଯାଜପୁର ସଦର ଥାନା ସାମନ୍ତରାପୁର ଗ୍ରାମର ଜଣେ ନାବାଳିକା ନିଖୋଜ ହୋଇଯାଇଥିଲେ। ସେ ତାଙ୍କ ବଡ ଭଉଣୀ ଘରକୁ ଯାଉଛି ବୋଲି କହି ଘରୁ ଯାଇଥିଲେ। ମାତ୍ର ଆଶିଷ ତାଙ୍କୁ ଅପହରଣ କରିନେଇ ବଳାତ୍କାର କରିବା ପରେ ହତ୍ୟା କରିଥିଲେ। ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ପାଇ ନ ଥିବାବେଳେ ଶୁକ୍ରବାର ତାଙ୍କ ମୃତଦେହ ଅଭିଯୁକ୍ତ ଆଶିଷଙ୍କ ଘରୁ ଉଦ୍ଧାର କରାଯାଇଥିଲା। ଏହାପରେ ଘଟଣାର ପ୍ରକୃତ ରହସ୍ୟ ଉନ୍ମୋଚିତ ହୋଇଥିଲା। ମୃତ ଝିଅଟି ନାବାଳିକା ବୋଲି ଜାଣି ଆଶିଷଙ୍କ ପରିବାର ଲୋକେ ଘଟଣାକୁ ଘଣ୍ଟ ଘୋଡାଇବାକୁ ଚାହିଁଥିଲେ ା ଏ ସମ୍ପର୍କରେ ନାବାଳିକାଙ୍କ ବାପା ସହ କଥା ହେବା ପାଇଁ ରାଜନେତାଙ୍କ ଜରିଆରେ ପ୍ରୟାସ କରାଯାଇଥିଲା। ନାବାଳିକାଙ୍କ ବାପାଙ୍କୁ ଟଙ୍କାର ଲୋଭ ଦେଖାଇ ଘଟଣା ଚପାଇ ଦେବାକୁ ଚକ୍ରାନ୍ତ କରାଯାଇଥିଲା। ଫଳରେ ଝିଅର ବୟସ ୨୦ ବର୍ଷ ହୋଇଥିବାବେଳେ ସେ ଆତ୍ମହତ୍ୟା କରିଥିବା ନେଇ ବାପା ପୋଲିସ ନିକଟରେ ବୟାନ ଦେଇଥିଲେ। ମାତ୍ର ଘଟଣା ସମ୍ପର୍କରେ ମୃତ ନାବାଳିକାଙ୍କ ମା’ ବିଳମ୍ବିତ ରାତିରେ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ପହଞ୍ଚତ୍ ମୃତଦେହ ଜବତ କରିଥିଲା। କୁଆଖିଆ ଥାନାଧିକାରୀ ମନୋଜ କୁମାର ସ୍ବାଇଁ ଓ ରସୁଲପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ ମୃତ ନାବାଳିକାଙ୍କ ମୃତ୍ୟୁର କାରଣ ଓ ତାର ପାରିପାର୍ଶ୍ୱିକ ସ୍ଥିତି ସମ୍ପର୍କରେ ତଦନ୍ତ କରିବା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ପୋଲିସ ଅପହରଣ, ବଳାତ୍କାର, ହତ୍ୟାର ଦଫା ଲଗାଇବା ସହ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଥିଲା ା ଅଭିଯୁକ୍ତର ଡାକ୍ତରୀମାଇନା ପରେ କୋର୍ଟ ଚାଲାଣ କରାଯାଇଛି। ଶନିବାର ପୋଲିସ ପକ୍ଷରୁ ମୃତ ନାବାଳିକା ପଢୁଥିବା ହାଇସ୍କୁଲରେ ପହଞ୍ଚତ୍ ନାମ ପଞ୍ଜୀକରଣ ବହି ଜବତ କରିବା ସହ ପ୍ରଧାନ ଶିକ୍ଷକଙ୍କୁ ପଚରାଉଚୁରା କରିଥିବା ଜଣାଯାଇଛି। ଏଥିସହ ପୋଲିସ ନାବାଳିକା ଓ ଅଭିଯୁକ୍ତଙ୍କ ଘରେ ପହଞ୍ଚତ୍ ମଧ୍ୟ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।