Categories: ରାଜ୍ୟ

ନାବାଳିକାଙ୍କୁ ଅପହରଣ ଅଭିଯୋଗ

ଜଗତ୍‌ସିଂହପୁର ଅଫିସ,୧୮ା୭: ସ୍ଥାନୀୟ କଲେଜ ଛକ ନିକଟରୁ ମଙ୍ଗଳବାର ସନ୍ଧ୍ୟାରେ ଜଣେ ନାବାଳିକାଙ୍କୁ ଅପହରଣ କରାଯାଇଥିବା ଜଗତ୍‌ସିଂହପୁର ଥାନାରେ ଅଭିଯୋଗ ହୋଇଛି। ସମ୍ପୃକ୍ତ ନାବାଳିକାଙ୍କ ଘର ବାଲିକୁଦା ବ୍ଲକ ବନ୍ଦର ଥାନା ଅଞ୍ଚଳରେ। ସେ ସ୍ବାମୀ ବିବେକାନନ୍ଦ ସ୍ମାରକୀ (ଏସ୍‌ଭିଏମ୍‌) ମହାବିଦ୍ୟାଳୟ ଯୁକ୍ତ ତିନି ବାଣିଜ୍ୟ ଦ୍ୱିତୀୟ ବର୍ଷ ଛାତ୍ରୀ ବୋଲି ଜଣାଯାଇଛି। ନାବାଳିକା ପିତାଙ୍କ ଅଭିଯୋଗ ଅନୁଯାୟୀ ପୋଲିସ ମାମଲା ସଂଖ୍ୟା ୨୪୩/୧୯ ରୁଜୁ କରି ତଦନ୍ତ ଜାରି ରଖିଥିବା ଆଇଆଇସି ରଜନୀକାନ୍ତ ମିଶ୍ର ସୂଚନା ଦେଇଛନ୍ତି।
ପୋଲିସ ସୂଚନା ଅନୁଯାୟୀ, ନାବାଳିକା ମହାବିଦ୍ୟାଳୟ ଛାତ୍ରୀ ନିବାସରେ ରହୁଥିଲେ। ମଙ୍ଗଳବାର ସନ୍ଧ୍ୟାରେ କୌଣସି କାମରେ କଲେଜ ଛକ ପର୍ଯ୍ୟନ୍ତ ଯାଇଥିଲେ। ପରେ ତାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଅପରପକ୍ଷରେ ନାବାଳିକା ଜଣଙ୍କ ତାଙ୍କ ଜଣେ ସାଙ୍ଗଙ୍କ ମୋବାଇଲକୁ ଫୋନ କରି ସମ୍ପୃକ୍ତ ଯୁବକ ତାଙ୍କୁ ନେଇ ଯାଉଥିବା ସୂଚନା ଦେଇଥିଲେ। ସମ୍ପୃକ୍ତ ଯୁବକଙ୍କ ଘର ନାବାଳିକାଙ୍କ ଘର ପାଖରେ। ସେମାନେ ପରସ୍ପରକୁ ଜାଣନ୍ତି। ଏପରି କି ଫୋନରେ କଥା ହେଉଥିଲେ ବୋଲି କୁହାଯାଉଛି। ସମ୍ପୃକ୍ତ ଯୁବକ ଚେନାଇରେ ଏକ କମ୍ପାନୀରେ କାମ କରୁଛନ୍ତି। ସେ ଗାଁକୁ ଫେରିଲା ପରେ ଏଭଳି ଯୋଜନା ପ୍ରସ୍ତୁତ କରିଥିଲେ। ଏକ କାରରେ ନାବାଳିକାଙ୍କୁ ନେଇ ଯାଇଛନ୍ତି। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ସନ୍ଦେହ କରାଯାଉଥିବା ପୋଲିସ ସୂଚନା ଦେଇଛି। ଅଧିକ ତଦନ୍ତ ପରେ ସତ୍ୟାସତ୍ୟ ପଦାକୁ ଆସିବ।