ନାବାଳିକାଙ୍କୁ ଅନ୍ତଃସତ୍ତ୍ୱା କରିବା ମାମଲା: ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲଦଣ୍ଡ

କଟକ ଅଫିସ, ୯ା୧୧: ଦରଘାବଜାର ଥାନା ଅଞ୍ଚଳରେ ୨୦୧୪ରେ ଘଟିଥିବା ନାବାଳିକା ବଳାତ୍କାର ଓ ଅନ୍ତଃସତ୍ତ୍ୱା ଘଟଣାରେ କଟକ ତୃତୀୟ ଅତିରିକ୍ତ ସେସନ ଜଜ୍‌ ତଥା ପୋକ୍ସୋ ଅଦାଲତଙ୍କ ଜଜ୍‌ ବନ୍ଦନା କର ଜଣେ ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ ଓ ୧୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଣ ଦେଇଛନ୍ତି। ଅଭିଯୁକ୍ତ ହେଲେ ପଶ୍ଚିମବଙ୍ଗ ପୂର୍ବ ମେଦିନାପୁର ଜିଲା ପଟାଶପୁର ଥାନା ଅଞ୍ଚଳର ଉଜିର ଖାନ୍‌(୫୩)। ଜରିମାନା ଅନାଦେୟ ଅଭିଯୁକ୍ତଙ୍କୁ ଅଧିକ ୧ ବର୍ଷ ଜେଲ୍‌ ଭୋଗିବାକୁ ପଡ଼ିବ। ସେହିପରି ଆଇପିସି ଧାରା ୫୦୬ ଅନୁଯାୟୀ ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲ୍‌ ଓ ୫୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ହୋଇଛି। ଜରିମାନା ଅନାଦେୟ ଅଭିଯୁକ୍ତଙ୍କୁ ଅଧିକ ୬ମାସ ଜେଲ୍‌ ଭୋଗିବାକୁ ପଡ଼ିବ। ତେବେ ଉଭୟ ଦଣ୍ଡ ଅଭିଯୁକ୍ତ ଏକାସଙ୍ଗରେ ଭୋଗିବେ ବୋଲି ଅଦାଲତ ରାୟରେ ସ୍ପଷ୍ଟ କରିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ, ଦରଘାବଜାର ଅଞ୍ଚଳର ପୀଡ଼ିତାଙ୍କ ଘରେ ଉଜିର ଭଡ଼ାସୂତ୍ରରେ ରହି ସ୍କ୍ରାପ ବ୍ୟବସାୟ କରୁଥିଲେ। ସେ ବିଭିନ୍ନ ସମୟରେ ପୀଡ଼ିତାଙ୍କୁ ପାନ ଆଣିବା ପାଇଁ ସ୍ଥାନୀୟ ଦୋକାନକୁ ପଠାଇଥାନ୍ତି। ଏହାର ଫାଇଦା ଉଠାଇ ସେ ତାଙ୍କୁ ବଳାତ୍କାର କରିଥିଲେ। ଏ ସମ୍ପର୍କରେ କାହାକୁ କହିଲେ ସେ ତାଙ୍କୁ ଓ ତାଙ୍କ ମାତାପିତାଙ୍କୁ ହତ୍ୟା କରି ପଶ୍ଚିମବଙ୍ଗ ପଳାଇବେ ବୋଲି ଧମକ ଦେଇଥିଲେ। ସେହିପରି ପୀଡ଼ିତାଙ୍କ ନଗ୍ନଫଟୋ ଉଠାଇ ଉଜିର ତାଙ୍କୁ ବାରମ୍ବାର ବଳାତ୍କାର କରିବା ସହ ଅନ୍ତଃସତ୍ତ୍ବା କରି ଦେଇଥିଲେ। ତେବେ ଘଟଣା ସମ୍ପର୍କରେ ନାବାଳିକାଙ୍କ ମାତାପିତା ଜାଣିବା ପରେ ଉଜିର କଟକ ଛାଡ଼ି ଫେରାର ହୋଇଯାଇଥିଲେ। ଏ ନେଇ ନାବାଳିକାଙ୍କ ମା’ କଟକ ମହିଳା ଥାନାରେ ଅଭିଯୋଗ କରିଥିଲେ। ପରେ ଏହି ଅଭିଯୋଗରେ ଅଦାଲତ ମୋଟ୍‌ ୧୪ଜଣଙ୍କ ସାକ୍ଷ୍ୟ ଗ୍ରହଣ କରିବା ସହ ଡାକ୍ତରୀ ରିପୋର୍ଟ ତଥା ପାରିପାଶ୍ୱିକ ସ୍ଥିତିକୁ ବିଚାର କରି ଅଭିଯୁକ୍ତଙ୍କୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି।