Categories: ମେଟ୍ରୋ

ନାବାଳକଙ୍କ ଗୋଡ଼ରେ ବେଡ଼ି ପକାଇ ନିର୍ଯାତନା

ଭୁବନେଶ୍ୱର,୩।୮(ବ୍ୟୁରୋ): ଭୁବନେଶ୍ୱର ରେଳଷ୍ଟେଶନରେ ଜଣେ ନାବାଳକଙ୍କୁ ଗୋଡ଼ରେ ଲୁହା ବେଡ଼ି ପଡ଼ିଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା। ଚାଇଲ୍ଡ ଲାଇନ ସଦସ୍ୟମାନେ ତାଙ୍କୁ ଗୁରୁବାର ଉଦ୍ଧାର କରିଥିଲେ। ତାଙ୍କ ବୟସ ୧୬ ବର୍ଷ ହୋଇଥିବାବେଳେ ସେ ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ଚାଇଲ୍ଡ ଲାଇନ ସଦସ୍ୟମାନେ କଟର ଦ୍ୱାରା ଲୁହା ବେଡ଼ି କାଟି ଖୋଲିଥିଲେ। ଦେହରେ ମାଡ଼ ଓ କିଛି କ୍ଷତ ଚିହ୍ନ ଥିବାରୁ ତାଙ୍କୁ ଚିକିତ୍ସା କରାଯାଇଛି। ହେଲେ ତାଙ୍କର ଏଭଳି ଅବସ୍ଥା ପାଇଁ ବାପା ଓ ଭାଇଙ୍କୁ ଦାୟୀ କରିଛନ୍ତି ନାବାଳକ ଜଣକ।
ଚାଇଲ୍ଡ ଲାଇନ୍‌ ସଦସ୍ୟଙ୍କୁ ନାବାଳକଙ୍କ କହିବା ମୁତାବକ, ତାଙ୍କ ପରିବାର କହିଲେ ବାପା, ମା’ ଓ ବଡ଼ ଭାଇ। ବାପା ଓ ମା’ ମୁଢି ବ୍ୟବସାୟ କରି ପରିବାର ଚଳାନ୍ତି। ହେଲେ ଛୋଟ ଛୋଟ କଥାକୁ ନେଇ ବାପା ଓ ବଡ଼ ଭାଇ ତାଙ୍କୁ ନିର୍ଘାତ ବାଡ଼ାନ୍ତି। ଫଳରେ ଭୟରେ ସେ ଅନେକ ଥର ଘର ଛାଡ଼ି ଚାଲିଯିବାକୁ ଉଦ୍ୟମ କରିଥିଲେ। ତେଣୁ ବାପା ଓ ଭାଇ ତାଙ୍କ ଗୋଡ଼ରେ ବେଡ଼ି ପକାଇବା ସହ ବେକକୁ କୁକୁର ଚେନ୍‌ରେ ବାନ୍ଧି ରଖୁଥିଲେ। ସେ ଚିତ୍କାର କଲେ ତାଙ୍କୁ ଉଭୟ ବାଡ଼ି ଓ ଲୁହାରଡ୍‌ରେ ପିଟୁଥିଲେ। ଏହିଭଳି ୨ମାସ ଧରି ସେମାନେ ନାବାଳକଙ୍କୁ ଘର ଭିତରେ ବେଡି ପକାଇ ଚେନ୍‌ରେ ବାନ୍ଧି ରଖିଥିଲେ। ପଡୋଶୀମାନେ ତାଙ୍କ ବିଷୟରେ ପଚାରିଲେ ସେ ପାଗଳ ହୋଇଯାଇଥିବା ବାପା ଓ ଭାଇ ଉତ୍ତର ଦେଉଥିଲେ। ୪ଦିନ ବାପା ଓ ମା’ ମୁଢି ବ୍ୟବସାୟ କରିବାକୁ ଯାଇଥିବା ବେଳେ ବଡ଼ ଭାଇ କୌଣସି କାମରେ ବାହାରକୁ ଯାଇଥିଲେ। ଏହାର ସୁଯୋଗରେ ନାବାଳକ ଜଣକ ବେକରେ ବନ୍ଧା ଯାଇଥିବା ଚେନ୍‌କୁ ଛିଣ୍ଡାଇ ଏବଂ କବାଟ ଲକ୍‌ ଭାଙ୍ଗି ଘରୁ ବାହାରି ଆସିଥିଲେ। ଏହାପରେ ସେ ଛତ୍ରପୁର ରେଳଷ୍ଟେଶନ ଯାଇ ପ୍ଲାଟ୍‌ଫର୍ମରେ ବହୁ ସମୟ ବସିବା ପରେ ଏକ ଟ୍ରେନ୍‌ରେ ଚଢି ଯାଇଥିଲେ। ସେ କୁଆଡ଼େ ଯିବେ ଜାଣି ନ ଥିଲେ। ଟ୍ରେନ୍‌ଟି ଭୁବନେଶ୍ୱର ଷ୍ଟେଶନରେ ବହୁ ସମୟ ରହିବା ପରେ ସେ ଓହ୍ଲାଇ ପଡିଥିଲେ। ଗୁରୁବାର ପ୍ଲାଟ୍‌ଫର୍ମରେ ବସି କାନ୍ଦୁଥିବାବେଳେ କେତେଜଣ ଚାଇଲ୍ଡଲାଇନ ସଦସ୍ୟଙ୍କ ନଜରକୁ ଆସିଥିଲେ। ସେମାନେ ତାଙ୍କୁ ପଚରାଉଚରା କରିବା ପରେ ଉଦ୍ଧାର କରି ଶୈଶବ କେନ୍ଦ୍ର ‘ରୁଚିକା’ରେ ରଖିଖିଲେ। ଜ୍ୱର ହୋଇଥିବାରୁ ତାଙ୍କୁ ଔଷଧ ଦିଆଯିବା ପରେ ଶୁକ୍ରବାର ସେ ସୁସ୍ଥ ହୋଇଛନ୍ତି। ଏନେଇ ଚାଇଲ୍ଡ ଲାଇନ୍‌ ପକ୍ଷରୁ ଛତ୍ରପୁର ଥାନା ଅଧିକାରୀ ଓ ବ୍ରହ୍ମପୁର ସିଡବ୍ଲ୍ୟୁସିକୁ ଜଣାଇଛନ୍ତି। ଶନିବାର ସିଡବ୍ଲ୍ୟୁସି ପକ୍ଷରୁ ଥାନାରେ ନାବାଳକଙ୍କ ବାପା ଓ ଭାଇଙ୍କ ନାମରେ ଏକ ଅଭିଯୋଗ କରାଯିବ ବୋଲି ଚାଇଲ୍ଡ ଲାଇନ୍‌ ନିର୍ଦ୍ଦେଶକ ବେଣୁଧର ସେନାପତି କହିଛନ୍ତି।