Categories: ଖେଳ

ନାପୋଲି ଇଟାଲିଆନ କପ୍‌ ଫାଇନାଲରେ

ନାପଲ୍ସ, ୧୪ା୬ (ଏପି)-ଶନିବାର ଇଣ୍ଟର ମିଲାନ ବିପକ୍ଷ ମ୍ୟାଚ ୧-୧ରେ ଅମୀମାସିଂତ ଭାବେ ଶେଷ କରିବା ପରେ ନାପୋଲି ଇଟାଲିଆନ୍‌ କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛି। ଦଳ ପକ୍ଷରୁ ଡ୍ରାଇଜ୍‌ ମର୍ଟେନ୍ସ ନିର୍ଣ୍ଣାୟକ ଗୋଲ ସ୍କୋର କରିଥିଲେ। ଏଥିସହିତ କ୍ଲବ ତରଫରୁ ମୋଟ ଉପରେ ସର୍ବାଧିକ ଗୋଲ ସ୍କୋର କରିବାରେ ଏକ ରେକର୍ଡର ଅଧିକାରୀ ହୋଇପାରିଥିଲେ। କରୋନା ଭାଇରସ୍‌ ଯୋଗୁ ଖେଳ ସ୍ଥଗିତ ରଖାଯିବା ପୂର୍ବରୁ ଗତ ଫେବୃୟାରୀରେ ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଲେଗ୍‌ ମ୍ୟାଚରେ ନାପୋଲି ୧-୦ ଗୋଲରେ ବିଜୟ ଲାଭ କରିଥିଲା। ଶନିବାର ବିନା ଦର୍ଶକରେ ସାନ୍‌ ପାଓଲୋ ଷ୍ଟାଡିୟମରେ ଅନୁଷ୍ଠିତ ଦ୍ୱିତୀୟ ଲେଗ୍‌ ମ୍ୟାଚ ୧-୧ରେ ଡ୍ର ରହିବା ଦ୍ୱାରା ନାପୋଲି ଏଗ୍ରିଗେଟ୍‌ରେ ୨-୧ରେ ଜିତି ଫାଇନାଲରେ ପ୍ରବେଶ କରିଥିଲା। ମ୍ୟାଚ୍‌ରେ ଖ୍ରିଷ୍ଟିଆନ ଏରିକ୍‌ସନ ଏକ କର୍ନର କିକ୍‌ରୁ ସିଧାସଳଖ ସ୍କୋର କରି ଇଣ୍ଟରମିଲାନକୁ ୧-୦ରେ ଅଗ୍ରଣୀ କରାଇଥିଲେ। ମାତ୍ର ପ୍ରଥମାର୍ଦ୍ଧ ଖେଳ ଶେଷ ହେବାକୁ ଆଉ ଅଳ୍ପ ସମୟ ବାକି ରହିଥିବାବେଳେ ମର୍ଟେନ୍ସଙ୍କ ଗୋଲ ମ୍ୟାଚକୁ ସମାନ ସ୍ତରକୁ ନେଇ ଆସିଥିଲା। ଏହି ଗୋଲ ଦ୍ୱାରା ସେ ଦଳକୁ ଫାଇନାଲରେ ପହଞ୍ଚାଇବା ବ୍ୟତୀତ ସମସ୍ତ ପ୍ରତିଯୋଗିତାରେ ତାଙ୍କ ମୋଟ ଗୋଲ ସଂଖ୍ୟା ୧୨୨କୁ ବୃଦ୍ଧି କରିଥିଲେ। ଏଥିସହିତ ସେ ନାପୋଲିର ସର୍ବାଧିକ ଗୋଲ ସ୍କୋରର ଖେଳାଳି ବିବେଚିତ ହୋଇପାରିଛନ୍ତି। ବୁଧବାର ରୋମ୍‌ରେ ଅନୁଷ୍ଠିତ ହେବାକୁ ଥିବା ଫାଇନାଲରେ ନାପୋଲି ଟିମ୍‌ ଜୁଭେଣ୍ଟସକୁ ଭେଟିବ।

Share