ନାଥୁରାମଙ୍କୁ ନେଇ ପୁଣି କଂଗ୍ରେସ-ଭାଜପା ମୁହାଁମୁହିଁ

ଭୁବନେଶ୍ୱର, ୩୧।୭(ବ୍ୟୁରୋ): ସୋମବାର ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀକୁ ନେଇ ଉଭୟ କଂଗ୍ରେସ ଏବଂ ଭାଜପା ମୁହାଁମୁହିଁ ହୋଇଥିଲେ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ୍‌ସେଙ୍କ ପ୍ରସଙ୍ଗ ଉଠାଇ ପରୋକ୍ଷରେ ଭାଜପା ଓ କେନ୍ଦ୍ର ସରକାରଙ୍କୁ ଆକ୍ରମଣ କରିଥିଲେ। ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀ ମଧ୍ୟ ନରସିଂହଙ୍କୁ କଡା ଜବାବ ଦେଇଥିଲେ। ଏହାକୁ ନେଇ ବିଧାନସଭା ଶୂନ୍ୟକାଳରେ ଉଭୟ ଦଳଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ମଙ୍ଗଳବାର ମଧ୍ୟ ଏ ପ୍ରସଙ୍ଗକୁ ନେଇ ଭାଜପା ଏବଂ କଂଗ୍ରେସ ପରସ୍ପରକୁ ଆକ୍ଷେପ ଏବଂ ପ୍ରତିଆକ୍ଷେପ କରିଥିଲେ। କିଛିସମୟ ପାଇଁ ଗୃହରେ ଉତ୍ତେଜନା ଦେଖାଯାଇଥିଲା। ଶୂନ୍ୟକାଳରେ ନରସିଂହ କହିଥିଲେ ଯେ, ବିରୋଧୀଦଳର ଉପନେତା ଗତକାଲି ମୋତେ ଆକ୍ଷେପ କରିଥିଲେ। ଜାନୁୟାରୀ ୩୦ରେ, ଯେଉଁଦିନ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା, ସେହିଦିନ ତାଙ୍କ ଫଟୋକୁ ଗୁଳି ମରାଯାଇଥିଲା। କେତେକ ଗୋଷ୍ଠୀ ନାଥୁରାମଙ୍କୁ ଦେଶଭକ୍ତ ଆଖ୍ୟା ଦେଲେଣି, ତାଙ୍କ ମନ୍ଦିର ନିର୍ମାଣ କଲେଣି। ଏହି ପ୍ରସଙ୍ଗରେ ମୁଁ କୌଣସି ଦଳକୁ ଆକ୍ଷେପ କରି ନ ଥିଲି, ମାତ୍ର ବିରୋଧୀ ଦଳ ଉପନେତା ମଣିଶଙ୍କର ଆୟାର ଏବଂ ସିଦ୍ଧୁଙ୍କ ନାମ ନେଇ ସମାଲୋଚନା କରିଥିଲେ। ଯେଉଁମାନେ କି ଏହି ଗୃହର ସଦସ୍ୟ ନୁହନ୍ତି। ମୋ ବିରୋଧରେ ଯେଉଁ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରାଯାଇଛି ତାହାକୁ ଗୃହର ବିବରଣୀରୁ ବାଦ୍‌ ଦିଆଯାଉ ବୋଲି ନରସିଂହ କହିଥିଲେ। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀଙ୍କୁ କହିବାକୁ ଅନୁମତି ଦେଇଥିଲେ। ସେ କହିଥିଲେ ଯେ, ନରସିଂହ ମିଶ୍ର କାଲି ନୁହେଁ, ପୂର୍ବରୁ ଦୁଇଥର ମଧ୍ୟ ଏହିଭଳି ଟିପ୍ପଣୀ କରିଥିଲେ। ନାଥୁରାମ ଗଡ୍‌ସେ ଆର୍‌ଏସ୍‌ଏସ୍‌ର ସଦସ୍ୟ ନ ଥିଲେ। ସେ ବିଶ୍ୱ ହିନ୍ଦୁ ମହାସଭାର ସଦସ୍ୟ ଥିଲେ । କଂଗ୍ରେସ ଦଳର ସଭାପତି ମଧ୍ୟ ଅନେକ ସମୟରେ ଗଣମାଧ୍ୟମରେ ବହୁ ଅବାନ୍ତର କଥା କହିଛନ୍ତି। ତିରୁପତି ପାଣିଗ୍ରାହୀ ଗୃହର ସଦସ୍ୟ ନ ଥିଲେ ମଧ୍ୟ ତାଙ୍କ କଥା ବି ଏଠି ଆଲୋଚନା ହୋଇଛି। ନରସିଂହଙ୍କ ବିରୋଧରେ ହୋଇଥିବା ଆପତ୍ତିଜନକ ଶବ୍ଦକୁ ବିବରଣୀରୁ ବାଦଦେବା ନେଇ କଂଗ୍ରେସର ସଦସ୍ୟମାନେ ଗୃହର ମଧ୍ୟଭାଗକୁ ମାଡି ଆସି ପ୍ରବଳ ପାଟିତୁଣ୍ଡ କରିଥିଲେ। ଏହି ସମୟରେ ଭାଜପା ସଭ୍ୟ ସନାତନ ବିଜୁଳି ଛିଡା ହୋଇ ପ୍ରତିବାଦ କଲେ। ବାଚସ୍ପତି ତାଙ୍କୁ ହାତ ହଲାଇ ବସ ବସ ବୋଲି ପାଟି କଲେ। ଏହାଦେଖି ବିଷ୍ଣୁ ଉତ୍ତେଜିତ ହୋଇପଡିଥିଲେ। ସେ ପ୍ରତିବାଦ କରି କହିଲେ ଯେ, ଆମେ କ’ଣ ମୂଲିଆ ଆମକୁ ଏମିତି ହାତ ହଲେଇ ବସ ବସ ବୋଲି କହିବେ। ଏହି ସମୟରେ ଭାଜପାର ଅନ୍ୟ ସଦସ୍ୟମାନେ ନିଜ ସିଟ ନିକଟରେ ଛିଡା ହୋଇ ହୋ ହଲ୍ଲା କରିଥିଲେ। ଆଗାମୀ ଦିନରେ ଗୃହର ସଦସ୍ୟ ନ ଥିବା ଲୋକଙ୍କ ବିଷୟରେ ଯେପରି ଆଲୋଚନା ନ କରନ୍ତି ସେନେଇ ନିର୍ଦ୍ଦେଶ ଦିଅନ୍ତୁ ବୋଲି ବାଚସ୍ପତିଙ୍କୁ ବିଷ୍ଣୁ କହିଥିଲେ। କଂଗ୍ରେସ ସଦସ୍ୟ ହଟ୍ଟଗୋଳ ଦେଖି ବାଚସ୍ପତିି ବିରୋଧୀଦଳ ଉପନେତା ନରସିଂହଙ୍କ ଉପରେ ଦେଇଥିବା ମନ୍ତବ୍ୟକୁ ସନ୍ଧ୍ୟା ସୁଦ୍ଧା ଅନୁଧ୍ୟାନ କରି ରୁଲିଂ ଦେବେ ବୋଲି କହିଥିଲେ। ଶେଷରେ ବାଚସ୍ପତି ନରସିଂହଙ୍କ ପ୍ରତି ହୋଇଥିବା ଆକ୍ଷେପମୂଳକ ଶବ୍ଦକୁ ଗୃହର ବିବରଣୀରୁ ବାଦ ଦେଇଥିଲେ।