ନାଚ ଶିଖାଇ ଦେବା ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଉଦ୍ୟମ: ୪ ଅଟକ

ନିଶ୍ଚିନ୍ତକୋଇଲି,୨୨।୧୧(ସ୍ବ.ପ୍ର.): କଟକ ଜିଲା ନେମାଳ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଉଦ୍ୟମ ହୋଇଥିବା ପୀଡିତାଙ୍କ ବାପା ଶୁକ୍ରବାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏକ ଅପେରା ପାର୍ଟିର ଡ୍ୟାନ୍ସ ମାଷ୍ଟର ନାଚ ଶିଖାଇ ଦେବାର ପ୍ରଲୋଭନ ଦେଖାଇ ଏଭଳି ଘଟଣା ଘଟାଇଥିବା ପୀଡିତାଙ୍କ ବାପା ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ଅଭିଯୋଗ ପରେ ପୋଲିସ ଫରେନ୍‌ସିକ୍‌ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଅଭିଯୋଗ ଅନୁଯାୟୀ, ନେମାଳ ଅଞ୍ଚଳରେ ପ୍ରଥମାଷ୍ଟମୀ ଉପଲକ୍ଷେ ଏକ ଅପେରା ପଡ଼ିଥିଲା। ଗୁରୁବାର ସନ୍ଧ୍ୟାରେ ନାବାଳିକା ଜଣଙ୍କ ନାଚ ଦେଖିବା ପାଇଁ ଯାଇଥିଲେ। ତେବେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ଝିଅକୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ଶୁକ୍ରବାର ସକାଳୁ ଏକ ବାଉଁଶବୁଦା ଭିତରେ କ୍ଷତାକ୍ତ ଅବସ୍ଥାରେ ନାବାଳିକା ପଡ଼ିଥିବା ଦେଖି ସ୍ଥାନୀୟଲୋକେ ତାଙ୍କ ପରିବାରକୁ ଜଣାଇଥିଲେ। ପରେ ନାବାଳିକାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି।
ତେବେ ଗୁରୁବାର ବିଳମ୍ବିତ ରାତ୍ରିରେ ଅପେରା ପାର୍ଟିର ଡ୍ୟାନ୍ସ ମାଷ୍ଟର ନାଚ ଶିଖାଇବା ପ୍ରଲୋଭନ ଦେଖାଇ ଅସ୍ଥାୟୀ ବସା ଘରକୁ ଡାକି ଆଣିଥିଲେ। ପରେ ପାଟିରେ କପଡା ବାନ୍ଧି ବାଉଁଶବୁଦା ଭିତରକୁ ଟେକି ନେଇ ବଳାତ୍କାର କରିଥିଲେ। ଏ ସମ୍ପର୍କରେ ନାବାଳିକାଙ୍କ ବାପା ଥାନାରେ ଅଭିଯୋଗ କରିବା ପରେ କଟକ ଗ୍ରାମାଞ୍ଚଳ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପ୍ରଦୀପ୍ତ କୁମାର ଜେନା, ସାଲେପୁର ଏସ୍‌ଡିପିଓ ନିମାଇଁ ସେଠୀ, ନେମାଳ ଥାନା ଅଧିକାରୀ ନୀହାର ରଞ୍ଜନ ମହାନ୍ତି, ନିଶ୍ଚିନ୍ତକୋଇଲି ଥାନା ଅଧିକାରୀ ଶୁଭ୍ରାଂଶୁ ଶେଖର ପରିଡ଼ା କେସ୍‌ର ତଦନ୍ତ କରୁଛନ୍ତି। ପୋଲିସ ଅପେରା ପାର୍ଟିର ୪ ଜଣକୁ ଅଟକ ରଖି ପଚରାଉଚରା ଜାରି ରଖିଛି। ତେବେ ଅଭିଯୁକ୍ତଙ୍କୁ ପୀଡିତା ଚିହ୍ନଟ କରିଥିବା ଏକ ବିଶେଷ ସୂତ୍ରରୁ ଜଣାପଡିଛି। ଏ ନେଇ କେସ ନଂ. ୧୨୧/୧୯ରେ ଏକ ମାମଲା ରୁଜୁ ହୋଇଛି।