ନାଗେଶ୍ୱର ଟାଙ୍ଗୀରୁ ହଟିଲାନି ଗଛ

ପୁରୁଣା ଭୁବନେଶ୍ୱର,୨୦ା୨(ଡି.ଏନ.ଏ.): ଫନୀ ବାତ୍ୟାକୁ ୧୦ ମାସ ବିତିଗଲାଣି। ହେଲେ ସ୍ମାର୍ଟସିଟିର ନାଗେଶ୍ୱର ଟାଙ୍ଗୀରେ ଅଦ୍ୟାବଧି ଏକ ପୁରୁଣା ବରଗଛ ନ କଟା ଯିବାରୁ ରାସ୍ତା ଅବରୋଧ ହୋଇରହିଛି। ପ୍ରତ୍ୟହ ଏହି ବାଟ ଦେଇ ନାଗେଶ୍ୱର ମନ୍ଦିରକୁ ସ୍ଥାନୀୟ ବାସିନ୍ଦାଙ୍କ ସମେତ ପର୍ଯ୍ୟଟକମାନେ ମଧ୍ୟ ଯାତାୟାତ କରିଥାନ୍ତି। ସେହିଭଳି ବର୍ଷେ ଧରି ବିନା କାଉନସିଲ୍‌ରେ ବିଏମସି ଚାଲି ଥିବାରୁ ସ୍ଥାନୀୟ ଜନପ୍ରତିନିଧି ମଧ୍ୟ ଘଟଣାପ୍ରତି ଭ୍ରୂକ୍ଷେପ କରୁନାହାନ୍ତି, ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି। ସରକାର ଫନୀ ବାତ୍ୟାକୁ ଉପଯୁକ୍ତ ଢଙ୍ଗରେ ମୁକାବିଲା କରିଥିବା ନେଇ ଜାତିସଂଘରେ ପ୍ରଶଂସିତ ହୋଇଥିବାବେଳେ ରାଜଧାନୀରେ ଏହି ବ୍ୟତିକ୍ରମକୁ ନେଇ ବୁଦ୍ଧିଜୀବୀ ମହଲରେ ବିଭିନ୍ନ କଳ୍ପନା ଜଳ୍ପନା ଚାଲିଛି। ଏ ନେଇ ପୂର୍ବତନ କର୍ପୋରେଟର ନୃପେଶ ନାୟକଙ୍କୁ ପଚାରିବାରୁ ଗଛଟି ୨୦୦ବର୍ଷର। ଏ ସମ୍ପର୍କରେ ବିଏମସି ଅଧିକାରୀମାନେ ଅବଗତ ରହିଛନ୍ତି। ଜାଗାଟି ସଂକୋଚିତ ଏବଂ ଗଛଟି ବୃହତ୍ତାକାର ହୋଇଥିବାରୁ ଏଠାରେ କୌଣସି ଡ୍ରୋଜର କିମ୍ବା କ୍ରେନ ଆସିବା ସମ୍ଭବ ହୋଇପାରୁନାହିଁ। ପ୍ରାରମ୍ଭିକ ପର୍ଯ୍ୟାୟରେ ୧୦ରୁ ଊର୍ଦ୍ଧ୍ୱ କାଠୁରିଆଙ୍କୁ ଲଗାଇ ୨ ମାସ ପର୍ଯ୍ୟନ୍ତ କାଟିଥିଲେ ହେଁ କୌଣସି ପ୍ରଭାବ ପଡି ନ ଥିଲା। ଖୁବ୍‌ଶୀଘ୍ର କାଠୁରିଆଙ୍କୁ ଲଗାଇ ଗଛଟି ହଟାଯିବ ବୋଲି ସେ କହିଥିଲେ।