Categories: ଖେଳ

ନାଗାଲ ଖେଳିବେ ପ୍ରଥମ ଏଟିପି ୫୦୦ ଇଭେଣ୍ଟ

ହମବର୍ଗ, ୨୧ା୭ (ପି.ଟି.)-ଭାରତର ଯୁବ ଷ୍ଟାର ବ୍ୟାଡ୍‌ମିଣ୍ଟନ ଖେଳାଳି ସୁମିତ ନାଗାଲ ତାଙ୍କ କ୍ୟାରିୟରର ପ୍ରଥମ ଏଟିପି ୫୦୦ ଇଭେଣ୍ଟ ଖେଳିବାକୁ ଯାଉଛନ୍ତି। ରବିବାର ହମବର୍ଗ ୟୁରେପିଆନ ଓପନ୍‌ରେ ଖେଳିବା ଲାଗି ସେ ଯୋଗ୍ୟତା ଅର୍ଜନ କରିଛନ୍ତି। ଏହି କ୍ଲେକୋର୍ଟ ଇଭେଣ୍ଟର ଦ୍ୱିତୀୟ ତଥା ଫାଇନାଲ କ୍ୱାଲିଫାଇଙ୍ଗ ରାଉଣ୍ଡରେ ୨୧ ବର୍ଷୀୟ ନାଗାଲ ୬-୪, ୭-୫ ସେଟ୍‌ରେ ବିଶ୍ୱର ୧୨୮ନମ୍ବର ମାନ୍ୟତାପ୍ରାପ୍ତ ସ୍ପେନର ଆଲେଜାଣ୍ଡ୍ରୋ ଡେଭିଡୋଭିଚ୍‌ ଫୋକିନାଙ୍କୁ ହରାଇ ଦେଇଛନ୍ତି। ଏହା ପୂର୍ବରୁ ୨୦୫ ର଼୍ୟାଙ୍କିଙ୍ଗପ୍ରାପ୍ତ ନାଗାଲ ୨୦୧୮ରେ ଜଣେ କ୍ୱାଲିଫାୟର ହିସାବରେ ଏଟିପି ୨୫୦ ଟାଟା ଓପନ୍‌ ମହାରାଷ୍ଟ୍ର ମୁଖ୍ୟ ଡ୍ର’ରେ ଅଂଶଗ୍ରହଣ କରିଥିଲେ। ସୂଚନାଯୋଗ୍ୟ, ଗ୍ରାଣ୍ଡସ୍ଳାମ ଏବଂ ଏଟିପି ମାଷ୍ଟର୍ସ ପଛକୁ ଏଟିପି ୫୦୦ ହେଉଛି ଟେନିସର ବଡ଼ ପ୍ରତିଯୋଗିତା। ଏବେକାର ଖେଳାଳିଙ୍କ ମଧ୍ୟରେ ରାମକୁମାର ରମାନାଥନ, ପ୍ରଜନେଶ ଗୁଣେସ୍ବରନ ଏବଂ ୟୁକି ଭାମ୍ବ୍ରି କେବଳ ବଡ଼ ବଡ଼ ଟୁର୍ନାମେଣ୍ଟ ଖେଳିଛନ୍ତି। ଗତ କିଛି ସପ୍ତାହ ହେଲା ଚ୍ୟାଲେଞ୍ଜର ସର୍କିଟରେ ନଗାଲଙ୍କ ପ୍ରଦର୍ଶନ ଖୁବ୍‌ ଭଲ ରହିଛି। ସେ ଭାଗ ନେଇଥିବା ୭ଟି ଟୁର୍ନାମେଣ୍ଟ ମଧ୍ୟରୁ ୫ଟିରେ ସେମିଫାଇନାଲକୁ ଉନ୍ନୀତ ହୋଇ ପାରିଛନ୍ତି। ଗତମାସରେ ବ୍ରାଟିସିଲ୍‌ଭା ଓପନରେ ନାଗାଲ ବିଶ୍ୱର ୫୬ ନମ୍ବର ମାନ୍ୟତାପ୍ରାପ୍ତ ମାର୍ଟିନ କ୍ଲିଜାନଙ୍କୁ ହରାଇ ଦେଇଥିଲେ। ଏ ପର୍ଯ୍ୟନ୍ତ ଏହା ତାଙ୍କ କ୍ୟାରିୟରର ସବୁଠାରୁ ବଡ଼ ସଫଳତା ବୋଲି କୁହାଯାଉଛି। ବର୍ଷ ଆରମ୍ଭରେ ର଼୍ୟାଙ୍କିଙ୍ଗ ତାଲିକାରେ ସେ ୩୫୦ ତଳେ ରହିଥିଲେ। ବର୍ତ୍ତମାନ ସେ ଶ୍ରେଷ୍ଠ ୨୦୦ର ନିକଟର ହୋଇଛନ୍ତି।

Share