Categories: ଜାତୀୟ

ନାଗରିକତା ସଂଶୋଧନ ବିଲ୍‌: ରାଜ୍ୟସଭାରେ ଭାଜପା ପାଇଁ ଅଡୁଆ ସ୍ଥିତି

ନୂଆଦିଲ୍ଲୀ,୪।୧୨: ନାଗରିକତା ସଂଶୋଧନ ବିଲ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି। ଏବେ ବିଲ୍‌କୁ ଲୋକ ସଭା ଏବଂ ରାଜ୍ୟ ସଭାରେ ଆଗତ କରାଯିବ। ଲୋକ ସଭାରେ ଏହା ପାରିତ ହେବାରେ କୌଣସି ଅସୁବିଧା ହେବ ନାହିଁ। ଭାଜପା ପାଖରେ ନିଜର ୩୦୩ ସଦସ୍ୟ ରହିଛନ୍ତି। ଅନ୍ୟ କାହାର ସହାୟତା ବିନା ଲୋକସଭାରେ ଏହି ବିଲ୍‌ ପାରିତ କରିବାରେ ଭାଜପାକୁ ଅସୁବିଧା ହେବ ନାହିଁ। ତେବେ ରାଜ୍ୟ ସଭାରେ ଭାଜପା ଲାଗି ଅଡୁଆ ସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଥିବା ରାଜନୈତିକ ସମୀକ୍ଷକ କହୁଛନ୍ତି। ରାଜ୍ୟ ସଭାର ବର୍ତ୍ତମାନର ମୋଟ ସଦସ୍ୟ ସଂଖ୍ୟା ୨୩୯। ସେଥିମଧ୍ୟରୁ ଭାଜପାକୁ ୧୨୦ ଜଣ ସଦସ୍ୟଙ୍କ ସମର୍ଥନର ଆବଶ୍ୟକତା ରହିଛି। ରାଜ୍ୟ ସଭାରେ ଭାଜପା ପାଖରେ ୮୧ ଜଣ ସଦସ୍ୟ ରହିଛନ୍ତି। ଅବଶିଷ୍ଟ ୩୯ ସଦସ୍ୟ ଯୋଗାଡ଼ କରିବା ଭାଜପା ଲାଗି କଷ୍ଟକର ହେବ ବୋଲି କୁହାଯାଉଛି। ଏନଡିଏରେ ଭାଜପାର ସହଯୋଗୀ ଥିବା ଜେଡିୟୁ ସବୁବେଳେ ଏହାର ବିରୋଧ କରୁଛି। ତେଣୁ ଜେଡିୟୁର ୬ ଜଣ ସଦସ୍ୟଙ୍କ ସମର୍ଥନ ଭାଜପାକୁ ମିଳିବ ନାହିଁ। ସେହିପରି ମହାରାଷ୍ଟ୍ରରେ ମେଣ୍ଟ ସରକାର ଗଠନ କରିଥିବା ଶିବସେନାର ୩ ଜଣ ସଦସ୍ୟ ଭାଜପାକୁ ସମର୍ଥନ ନ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ସେହିପରି ଭାଜପାକୁ ସମର୍ଥନ କରିଆସୁଥିବା ଟିଆର୍‌ଏସ୍‌ ମଧ୍ୟ ଏହାର ବିରୋଧ କରିବାର ଆଶା ରହିଛି। ଟିଆର୍‌ଏସ୍‌ର ୬ ଜଣ ସଦସ୍ୟ ଭାଜପାକୁ ସମର୍ଥନ ନ ଦେଇ ପାରନ୍ତି ବୋଲି କୁହାଯାଉଛି। ଅପରପକ୍ଷରେ କଂଗ୍ରେସ, ତୃଣମୂଳ କଂଗ୍ରେସ, ଡିଏମ୍‌କେ, ଆର୍‌ଜେଡି, ଏସ୍‌ପି, ବିଏସ୍‌ପି, ଏନସିପି ଆଦି ଏହାର ବିରୋଧ କରିବା ନିଶ୍ଚିତ। ତେବେ ଏଆଇଏଡିଏମ୍‌କେର ୧୧ ଜଣ ସଦସ୍ୟଙ୍କୁ ହୁଏତ ବାହାରୁ ସମର୍ଥନ କରିପାରନ୍ତି ବୋଲି କୁହାଯାଉଛି।

Share