ନଳ ଭିତରେ ଜଳ ଯୋଜନା

ତତ୍ତ୍ୱ ଓ ତର୍କ/ ବିମଳ ପାଣ୍ଡିଆ
କେହି କେହି ଅବଶ୍ୟ ଦୂର ସ୍ଥାନରୁ ବୋହି ପାଣି ଆଣିବାକୁ ମହିଳାଙ୍କ ସାମାଜିକ ଭାବବିନିମୟର ଏକ ମାଧ୍ୟମ ଭାବରେ ବିବେଚନା କରିପାରନ୍ତି, କିନ୍ତୁ ଖରା, ବର୍ଷା, ଶୀତରେ ଆବୁଡ଼ାଖାବୁଡ଼ା ବାଟଦେଇ ଗରାର ବୋଝ ବୋହିବାର ଦୁଃଖ ଓ ଯନ୍ତ୍ରଣାକୁ ଅନୁଭବ କରିଥିବା ଜଣେ ବ୍ୟକ୍ତି ବୋଧହୁଏ କେବେ ବି ସେମିତି ବିଚାରିବ ନାହିଁ। ନିଜ ଘର ଟ୍ୟାପ୍‌ରେ ପାଣି ପାଉଥିବା ଜଣେ ବ୍ୟକ୍ତିକୁ ଦୂର ସ୍ଥାନ ତ ଦୂରର କଥା, ନିଜ ଘର ଆଗକୁ ଆସିଥିବା ଟ୍ୟାଙ୍କରରୁ ପାଣି ସଂଗ୍ରହ କରିବାର ଆବଶ୍ୟକତା ପଡ଼ିଲେ ତାହାକୁ ଦୁର୍ଭାଗ୍ୟ ବିଚାରେ। ନିଜ ଘରେ ସଫା ଓ ସୁରକ୍ଷିତ ପାଣି ସହଜରେ ପାଇବା ସମସ୍ତେ ଚାହାନ୍ତି। ଦୁଃଖର କଥା ଯେ ଆମେ ଲୋକଙ୍କୁ ତାଙ୍କ ଘରେ ପାଣି ପାଇବାର ବ୍ୟବସ୍ଥା କରିବାରେ ବିଫଳ ହୋଇଛୁ।
ସୁଖର କଥା ଯେ, ଉଭୟ ଓଡ଼ିଶା ଓ କେନ୍ଦ୍ର ସରକାର ଏହି ନିତାନ୍ତ ଅତ୍ୟାବଶ୍ୟକତାକୁ ଖୁବ୍‌ ଗମ୍ଭୀରତାର ସହ ନେଇଛନ୍ତି ବୋଲି ଘୋଷଣା କରିଛନ୍ତି। ୨୦୧୪-୧୫ ମସିହାର ବଜେଟରେ ଓଡ଼ିଶା ସରକାର ‘ଓଡ଼ିଶା ଗ୍ରାମ୍ୟ ପାନୀୟ ଜଳ ଯୋଜନା’ ଘୋଷଣା କରିଥିଲେ। ପରେ ୨୦୧୭-୧୮ ମସିହାରେ ତାହାକୁ ‘ବକ୍ସି ଜଗବନ୍ଧୁ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ କାର୍ଯ୍ୟକ୍ରମ’ ବା ‘ବସୁଧା’ ଯୋଜନା ନାମରେ ନାମିତ କଲେ। ସେହିଭଳି ୨୦୧୯ ମସିହାର ବଜେଟ ଅଭିଭାଷଣରେ କେନ୍ଦ୍ର ସରକାର ‘ଜଳ ଜୀବନ ମିଶନ’ ଘୋଷଣା କଲେ। ବସୁଧା ଯୋଜନାରେ ଓଡ଼ିଶା ସରକାର ପ୍ରତ୍ୟେକ ଗ୍ରାମବାସୀଙ୍କୁ ଦୈନିକ ମୁଣ୍ଡପିଛା ଅନୂ୍ୟନ ୭୦ ଲିଟର ସ୍ବଚ୍ଛ ଓ ସୁରକ୍ଷିତ ଜଳ ପାଇପ ମାଧ୍ୟମରେ ଯୋଗାଇବାର ଲକ୍ଷ୍ୟ ରଖିଛନ୍ତି। କିନ୍ତୁ କେବେ ସୁଦ୍ଧା ସେହି ଲକ୍ଷ୍ୟ ହାସଲ କରିବେ କି ପାଣି ଘରଠାରୁ କେତେ ଦୂରତାରେ ପହଞ୍ଚାଇବେ ତାହା ସ୍ପଷ୍ଟ କରିନାହାନ୍ତି। ବସୁଧା ଯୋଜନାର କାର୍ଯ୍ୟାନ୍ବୟନ ମାର୍ଗଦର୍ଶିକାରେ କେବଳ କୁହାଯାଇଛି ଯେ, ‘ସମସ୍ତ ପରିବାର ନିଜ ଘରଠାରୁ ଯୁକ୍ତିସଙ୍ଗତ ଦୂରତାରେ ଉପଯୁକ୍ତ ମାତ୍ରାରେ ସୁରକ୍ଷିତ ପାଣି ପାଉଥିବେ, ଯାହା ପିଇବାଯୋଗ୍ୟ, ଭରସାଯୋଗ୍ୟ, ସ୍ଥାୟୀ, ସହଜଲଭ୍ୟ ହୋଇଥିବ ଓ କୌଣସି ବୈଷମ୍ୟ ରଖୁ ନ ଥିବ।’
୨୦୧୯ ନଭେମ୍ବର ୨୦ରେ ରାଜ୍ୟ ବିଧାନସଭାରେ ବିଭାଗୀୟ ମନ୍ତ୍ରୀ କହିଥିଲେ ଯେ, ‘୨୦୧୫ ସୁଦ୍ଧା ରାଜ୍ୟର ସମସ୍ତ ଗାଁକୁ ପାଇପ ମାଧ୍ୟମରେ ପାନୀୟ ଜଳ ଯୋଗାଇ ଦେବାର ଯୋଜନା ଅଛି।’ ମନ୍ତ୍ରୀ କେବଳ ଗାଁ କଥା କହିଥିଲେ, ସମସ୍ତ ଘରେ ପାଇପ ଜଳ ପହଞ୍ଚାଯିବାର ଲକ୍ଷ୍ୟ ଥିବାର କୌଣସି ସୂଚନା ଦେଇ ନ ଥିଲେ। ‘ଜଳ ଜୀବନ ମିଶନ’ର ଲକ୍ଷ୍ୟ ଘୋଷଣା ହୋଇସାରିଥିଲା ବେଳେ ଓଡ଼ିଶା ସରକାର କାହିଁକି ପ୍ରତି ଘରେ ପାନୀୟ ଜଳ ଟ୍ୟାପ୍‌ ମାଧ୍ୟମରେ ପହଞ୍ଚାଯିବାର ଲକ୍ଷ୍ୟ ସ୍ପଷ୍ଟ କଲେନି ତାହା ଆଶ୍ଚର୍ଯ୍ୟଜନକ। ଜଳ ଜୀବନ ମିଶନରେ ସ୍ପଷ୍ଟ ଲକ୍ଷ୍ୟ ରଖାଯାଇଛି ଯେ, ୨୦୨୪ ମସିହା ସୁଦ୍ଧା ଗ୍ରାମାଞ୍ଚଳର ସମସ୍ତ ଘରେ କାର୍ଯ୍ୟକ୍ଷମ ନଳ ଯୋଗେ ଦୈନିକ ମୁଣ୍ଡପିଛା ହାରାହାରି ୫୫ ଲିଟର ସୁରକ୍ଷିତ ପାନୀୟ ଜଳ ଯୋଗାଇ ଦିଆଯିବ। ପାନୀୟ ଜଳ ରାଜ୍ୟ ସରକାରଙ୍କ ଅଧୀନ ପ୍ରସଙ୍ଗ। ଜଳ ଜୀବନ ମିଶନ ଅନୁସାରେ ଉଭୟ ଭାରତ ଓ ଓଡ଼ିଶା ସରକାର ଅଧାଅଧା ଅର୍ଥ ବ୍ୟୟ କରିବେ। ତେଣୁ ଓଡ଼ିଶା ସରକାର ମଧ୍ୟ ପ୍ରତି ଘରେ କାର୍ଯ୍ୟକ୍ଷମ ପାଇପ ଜଳର ଲକ୍ଷ୍ୟ ରଖିବେ। ଜଳ ଜୀବନ ମିଶନ ମୁଣ୍ଡପିଛା ଦୈନିକ ୫୫ ଲିଟର ପାନୀୟ ଜଳ ଯୋଗାଣର ଲକ୍ଷ୍ୟ ରଖିଥିବା ବେଳେ ଓଡ଼ିଶା ସରକାର ପୂର୍ବରୁ ମୁଣ୍ଡପିଛା ଦୈନିକ ୭୦ ଲିଟର ଜଳ ଯୋଗାଣର ଘୋଷଣା କରିସାରିଛନ୍ତି। ତେଣୁ ଓଡ଼ିଶା ସରକାର ୨୦୨୪ ସୁଦ୍ଧା ପ୍ରତି ଘରେ ଦୈନିକ ମୁଣ୍ଡପିଛା ଅନୂ୍ୟନ ୭୦ ଲିଟର ସୁରକ୍ଷିତ ପାନୀୟ ଜଳ ଯୋଗାଇବାର ଲକ୍ଷ୍ୟ ରଖିବେ ବୋଲି ଆଶା କରିବା କଥା।
ଏହି ଲକ୍ଷ୍ୟ ହାସଲ କରିବା ସହଜ କି କଠିନ ତଥା ଆମର ନିକଟ ଅତୀତର ଅଭିଜ୍ଞତା କ’ଣ ରହିଛି ତାହା ଟିକେ ବୁଝିବାକୁ ଚେଷ୍ଟା କରିବା। ସରକାରୀ ତଥ୍ୟ ଅନୁସାରେ ଆଜିର ତାରିଖରେ ଭାରତର ଗ୍ରାମାଞ୍ଚଳରେ ଥିବା ପରିବାର ମଧ୍ୟରୁ ପ୍ରାୟ ୮୧.୫% ପରିବାର ପାଖରେ ପାଇପ ଜଳର ସଂଯୋଗ ପହଞ୍ଚି ପାରିନାହିଁ। ଓଡ଼ିଶାରେ ଏହି ସ୍ଥିତି ଆହୁରି ଖରାପ। ଓଡ଼ିଶାର ଗ୍ରାମାଞ୍ଚଳର ୯୫% ପରିବାର ବା ୭୭ ଲକ୍ଷରୁ ଅଧିକ ପରିବାର ପାଖରେ ଘରୋଇ ପାଇପ ପାଣି ସଂଯୋଗ ନାହିଁ। ବସୁଧା ଯୋଜନା ଆରମ୍ଭ ହେବା ପରେ ଓଡ଼ିଶାରେ ଘରୋଇ ପାଇପ ସଂଯୋଗର ସ୍ଥିତି କେମିତି ବଦଳିଛି ଦେଖିବା। ୨୦୧୭-୧୮ ମସିହାରେ ମାତ୍ର ୧୧,୧୧୫ଟି ଘରେ ଘରୋଇ ପାଇପ ସଂଯୋଗ ହୋଇପାରିଥିଲା। ତାହାର ପୂର୍ବ ବର୍ଷ ଏହି ସଂଖ୍ୟା ମାତ୍ର ୪,୭୮୯ ଥିଲା। ଚଳିତ ବର୍ଷ ସ୍ଥିତିରେ ଯଥେଷ୍ଟ ଉନ୍ନତି ହୋଇଛି। ଏହି ଆର୍ଥିକ ବର୍ଷର ପ୍ରଥମ ୯ ମାସରେ ୧,୦୨,୨୧୪ଟି ନୂତନ ଘରୋଇ ପାଇପ ସଂଯୋଗ ଦିଆଯାଇସାରିଛି ବୋଲି ସରକାରୀ ନଥି କହୁଛି। ଗତ ୨ବର୍ଷ ୯ମାସରେ ଓଡ଼ିଶାରେ ମାତ୍ର ୧ଲକ୍ଷ ୧୮ ହଜାର ଘରେ ହିଁ ନୂଆ ପାଇପ ସଂଯୋଗ ହୋଇପାରିଛି। ଆସନ୍ତା ୨୦୨୪ ସୁଦ୍ଧା ସମସ୍ତ ଗ୍ରାମ୍ୟ ପରିବାର ଘରେ ନଳ ମାଧ୍ୟମରେ ପାଣି ପହଞ୍ଚାଇବାର ଲକ୍ଷ୍ୟ ସାଧନ କରିବାକୁ ହେଲେ ବର୍ଷ ନୁହଁ, ପ୍ରତି ମାସରେ ହାରାହାରି ୧,୨୮,୩୯୪ଟି ପରିବାରକୁ ନୂଆ ପାଇପ ସଂଯୋଗ ଦେବାକୁ ପଡ଼ିବ। ଅର୍ଥାତ୍‌ ଓଡ଼ିଶାରେ ଗତ ୨ବର୍ଷ ୯ମାସରେ ମୋଟ ଯେତିକି ନୂଆ ପାଇପ ସଂଯୋଗ ଦିଆହୋଇଛି, ତାହାଠାରୁ ଅଧିକ ସଂଯୋଗ ପ୍ରତି ମାସରେ ଯୋଡ଼ିବାକୁ ପଡ଼ିବ। ଏହା ଆଦୌ ସହଜ ନୁହେଁ।
ଓଡ଼ିଶା ସରକାର ୨୦୧୮-୧୯ ଆର୍ଥିକ ବର୍ଷରେ ଗ୍ରାମ୍ୟ ଜଳଯୋଗାଣ ପାଇଁ ପ୍ରଥମେ ୧୦୦୦ କୋଟି ଟଙ୍କାର ବଜେଟ ରଖିଥିଲେ ଓ ପରେ ଅତିରିକ୍ତ ହଜାରେ କୋଟି ଟଙ୍କା ଯୋଡ଼ିଥିଲେ। ଚଳିତ ଆର୍ଥିକ ବର୍ଷରେ ଗ୍ରାମ୍ୟ ଜଳ ଯୋଗାଣ ପାଇଁ ୨,୭୪୦ କୋଟି ଟଙ୍କାର ପ୍ରାବଧାନ କରିଛନ୍ତି। ଏତିକି ଟଙ୍କା ଖର୍ଚ୍ଚ କରି ହାସଲ କରାଯାଇଥିବା ଘରୋଇ ସଂଯୋଗର ମାମୁଲି ସଂଖ୍ୟା ଏହା ଦର୍ଶାଏ ଯେ ୨୦୨୪ ସୁଦ୍ଧା ସମସ୍ତଙ୍କ ଘରେ ପାଇପ ଜଳ ସଂଯୋଗର ଲକ୍ଷ୍ୟ ଆଦୌ ସହଜ ବା ସମ୍ଭବ ନୁହେଁ। ଜଳ ଜୀବନ ମିଶନର ଆକଳନ ଅନୁସାରେ ସାରା ଦେଶରେ ଏହି ଲକ୍ଷ୍ୟ ହାସଲ କରିବା ପାଇଁ ୩.୬ ଲକ୍ଷ କୋଟି ଟଙ୍କା ଦରକାର। ସେହି ହିସାବରେ ଓଡ଼ିଶାରେ ଏହି ଲକ୍ଷ୍ୟ ହାସଲ କରିବା ପାଇଁ ପ୍ରାୟ ୧୯,୦୦୦ କୋଟି ଟଙ୍କା ଦରକାର ପଡ଼ିବ ବା ପ୍ରତି ବର୍ଷ ହାରାହାରି ପ୍ରାୟ ୪,୦୦୦ କୋଟି ଟଙ୍କା ଦରକାର ହେବ। ୨୨।୧୧।୨୦୧୯ରେ ବିଧାନସଭାରେ ଓଡ଼ିଶା ସରକାର କହିଥିଲେ ଯେ, ୨୦୨୪ ସୁଦ୍ଧା ସମସ୍ତ ଗ୍ରାମରେ ଶୁଦ୍ଧ ପାଇପ ପାଣି ପହଞ୍ଚାଇବା ପାଇଁ ୧୭,୩୭୨ କୋଟି ଟଙ୍କା ଦରକାର ବୋଲି ଆକଳନ ହୋଇଛି। ଓଡ଼ିଶା ସରକାରଙ୍କ ଚଳିତ ବର୍ଷର ବଜେଟକୁ ଦେଖିଲେ ଏହି ଆବଶ୍ୟକତା ବିଶେଷ ବଡ଼ ଲାଗେ ନାହିଁ କିନ୍ତୁ ଘରୋଇ ପାଇପ ସଂଯୋଗର ଗତିକୁ ଦେଖିଲେ ଏହି ଆକଳନ ଉପରେ ସନ୍ଦେହ ହୁଏ।
ସମ୍ବିଧାନର ଧାରା ୨୧ ଅନୁସାରେ ନାଗରିକଙ୍କୁ ବଞ୍ଚିବା ପାଇଁ ଆବଶ୍ୟକ ହେଉଥିବା ସ୍ବଚ୍ଛ ଓ ସୁରକ୍ଷିତ ପାଣି ପର୍ଯ୍ୟାପ୍ତ ମାତ୍ରାରେ ଯୋଗାଇଦେବା ହେଉଛି ସରକାରଙ୍କ ଦାୟିତ୍ୱ ଓ ତାହା ପାଇବା ନାଗରିକର ମୌଳିକ ଅଧିକାର। ଏବେ ବେଳ ଆସିଛି, ସରକାର କେଉଁ ମାନର କେତେ ପାଣି କେମିତି ଭାବରେ ଲୋକଙ୍କୁ ଯୋଗାଇବେ ତାହା ସ୍ପଷ୍ଟ ଭାବରେ ଘୋଷଣା କରିବା ସହିତ ଲୋକଙ୍କୁ ସେହି ମୌଳିକ ଅଧିକାର ପ୍ରଦାନ କରିବାରେ କୁଣ୍ଠିତ ହେବେ ନାହିଁ। ଏହି ଦୃଷ୍ଟିରୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଘୋଷଣା ସ୍ବାଗତଯୋଗ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

ନେପାଳରେ ଯୁବ ନେତୃତ୍ୱ

ଜୁନ୍‌ ୧, ୨୦୦୧ ଯେଉଁଦିନ ନେପାଳ ରାଜା ବୀରେନ୍ଦ୍ରଙ୍କୁ ତାଙ୍କ ପୁଅ ଦୀପେନ୍ଦ୍ର ଗୁଳିକରି ମା’ଙ୍କ ସମେତ ସମଗ୍ର ପରିବାରବର୍ଗଙ୍କୁ ହତ୍ୟା କରିଥିଲେ, ସେବେଠାରୁ ନେପାଳରେ ରାଜନୈତିକ…

ଅନ୍ଧବିଶ୍ୱାସ ରାସ୍ତାରେ ଏଆଇର ସ୍ବପ୍ନ

ଗାଲଗୋଟିଆ ବିଶ୍ବବିଦ୍ୟାଳୟର ଚାଇନା ରୋବୋ କୁକୁରକୁ ନେଇ ଧୂର୍ତ୍ତାମି ଓ ସମ୍ମିଳନୀ ଅବସରରେ ଯୁବ କଂଗ୍ରେସ କର୍ମୀଙ୍କର ଅର୍ଦ୍ଧନଗ୍ନ ପ୍ରତିବାଦକୁ ନେଇ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬’ର…

ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି

ସ୍ବାଧୀନତାର ଦୀର୍ଘ ଦଶନ୍ଧି ପରେ ଭାରତ ତଥା ବିଶ୍ୱରେ ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି ନାହିଁ ତାହାର ସମୀକ୍ଷା ଆବଶ୍ୟକ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri