ନର୍ଲା ନବୋଦୟ ବିଦ୍ୟାଳୟରୁ ଛାତ୍ର ନିଖୋଜ: ଥାନାରେ ମାମଲା ରୁଜୁ

ଭବାନୀପାଟଣା, ୬।୭ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ନର୍ଲାସ୍ଥିତ ଜବାହର ନବୋଦୟ ବିଦ୍ୟାଳୟର ଅଷ୍ଠମ ଶ୍ରେଣୀ ଛାତ୍ର ସଞ୍ଜିତ ନାଏକ ଗତ ୧ତାରିଖରୁ ନିଖୋଜ ଅଛନ୍ତି। ଏ ନେଇ ଶନିବାର ପରିବାର ଲୋକେ ଅଭିଯୋଗ କରିଛନ୍ତି।
ଥୁ.ରାମପୁର ବ୍ଲକ ଲୋହରାଯୋର ଗ୍ରାମର ସଞ୍ଜିତ ନର୍ଲା ନବୋଦୟ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିଲେ। ଗ୍ରୀଷ୍ମ ଛୁଟିରେ ସଞ୍ଜିତ ନିଜ ଗାଁକୁ ଯାଇଥିଲେ। ଛୁଟି ସରିବା ପରେ ଜୁନ ୩୦ ତାରିଖରେ ବଡ଼ଭାଇ ଯୁଧିଷ୍ଠିର ସାନଭାଇ ସଞ୍ଜିତକୁ ଧରି ନର୍ଲା ନବୋଦୟ ସ୍କୁଲରେ ଛାଡିଆସିଥିଲେ। ତେବେ ଜୁଲାଇ ୧ ତାରିଖରେ ସ୍କୁଲ କର୍ତ୍ତୃପକ୍ଷ ସଞ୍ଜିତ ନିଖୋଜ ଥିବା ନେଇ ଫୋନ କରି ପରିବାର ଲୋକଙ୍କୁ ଜଣାଇଥିଲେ। ପରେ ପରିବାର ଲୋକେ ସ୍କୁଲ ଅଧ୍ୟକ୍ଷଙ୍କୁ ଦେଖାକରି ସଞ୍ଜିତଙ୍କ ସମ୍ପର୍କରେ ପଚାରିବାରୁ ତାଙ୍କ ନିଖୋଜ ସମ୍ପର୍କରେ ସ୍କୁଲ ପକ୍ଷରୁ ନର୍ଲା ଥାନାରେ ଏତଲା ଦେଇଥିବା ସହ ଖୋଜାଖୋଜି ଜାରି ରଖିଥିବା ଅଧ୍ୟକ୍ଷ କହିଥିଲେ। ନର୍ଲା ଥାନାରେ ଏକ ନିଖୋଜ ମାମଲା ରୁଜୁକରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ପୋଲିସ ସ୍କୁଲର ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ସ୍କୁଲ କର୍ମଚାରୀଙ୍କୁ ଘଟଣା ସମ୍ପର୍କରେ ପଚାରି ତଦନ୍ତ ଚଳାଉଥିବା ଥାନା ଅଧିକାରୀ ରମଣୀ ରଞ୍ଜନ ଦଳାଇ କହିଛନ୍ତି।