ନର୍ଦ୍ଦମାପାଣିରେ ଭାସୁଛି ବୈପାରିଗୁଡ଼ା

ବୈପାରିଗୁ୍‌ଡ଼ା,୧୮।୧(ଡି.ଏନ.ଏ.): ବୈପାରିଗୁ୍‌ଡ଼ା ବ୍ଲକ ସଦର ମହକୁମାରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। କେଉଁଠ ପାଇପ୍‌ ଫାଟି ପାଣି ବାହାରି କାଦୁଅ ହେଉଛି ତ କେଉଁଠି ନର୍ଦ୍ଦମାପାଣି ରାସ୍ତା ଉପରେ ବୋହୁଛି। ରାସ୍ତାକଡ଼ର ବିଭିନ୍ନ ସ୍ଥାନରେ କୁଢ଼କୁଢ଼ ଅଳିଆ ଜମା ହୋଇଥିବା ଦେଖିବାକୁ ମିଳୁଛି ା ଏଥିପ୍ରତି ପରିମଳ ବିଭାଗ ଅଥବା ଗ୍ରାମ ପଞ୍ଚାୟତର ଦୃଷ୍ଟି ପଡୁନାହିଁ। ଗତ ୬ ମାସ ହେବ ଖଦି ଭବନ ନିକଟରେ ପାଣି ପାଇପ୍‌ ଫାଟି ପାଣି ପ୍ରବାହିତ ହେଉଛି ା ଏଥିଯୋଗୁ ପାନୀୟ ଜଳ ନଷ୍ଟ ହେଉଥିବାବେଳେ ରାସ୍ତା କଡ଼ରେ ପାଣି ଜମି କାଦୁଅ ମଧ୍ୟ ହେଉଛି। ରାଜସ୍ବ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ପାଣି କାଦୁଅ ଜମି ରହୁଛି। ଫଳରେ କର୍ମଚାରୀ ତଥା ସାଧାରଣ ଲୋକେ ଯାତାୟାତରେ ଅସୁବିଧା ଭୋଗୁଛନ୍ତି। ସେହିପରି ବୈପାରିଗୁ୍‌ଡ଼ା ଦେଇ ଯାଇଥିବା ଜାତୀୟ ପଥ ନିର୍ମାଣ ବେଳେ ଯେଉଁ ଡ୍ରେନ୍‌ ନିର୍ମାଣ ହୋଇଥିଲା ତାହା ଆଦୌ ସଫା ହେଉନାହିଁ। ଫଳରେ ଡ୍ରେନ୍‌ ଚୋକ୍‌ ହୋଇ କଂଗ୍ରେସ ଭବନଠାରୁ ଆତ୍ମା ଅଫିସ୍‌ ପର୍ଯ୍ୟନ୍ତ ନର୍ଦ୍ଦମା ପାଣି ରାସ୍ତା ଉପରେ ନିୟମିତ ବୋହି ଚାଲିୁଛି । ଗାନ୍ଧିପୁରଠାରେ ଥିବା ଗ୍ରାମ୍ୟ ପରିମଳ ବିଭାଗ କାର୍ଯ୍ୟାଳୟ ସାମ୍ମୁଖରେ ନର୍ଦ୍ଦମାପାଣି ବୋହୁଛି । ସେଠାରେ ଥିବା କେତେକ ହୋଟେଲ ପଚାଶଢ଼ା ଖାଦ୍ୟ ରାସ୍ତାକଡ଼ରେ ପକାଉଥିବାରୁ ଅନେକ ସମୟରେ ଉତ୍କଟ ଗନ୍ଧରେ ନାକ ଫାଟିପଡ଼ୁଛି। ଅନେକ ସମୟରେ ମୁଖ୍ୟ ଛକରେ ଥିବା କେତେକ ଚା ଓ ଜଳଖିଆ ଦୋକାନ ରାସ୍ତା ଉପରକୁ ଅଇଁଠାପାଣି ଓ କାଗଜ ପ୍ଲେଟ୍‌ ପକାଉଛନ୍ତି। ରାସ୍ତାର ଜନଗହଳିପୂର୍ଣ୍ଣ ସ୍ଥାନରେ ଡଷ୍ଟବିନ୍‌ ବ୍ୟବସ୍ଥା ନ ଥିବାରୁ ଲୋକେ ଏଣେତେଣେ ଫଳ ଚୋପା, ଜରି, କାଗଜ ଓ ଗୁଟ୍‌ଖା ଜରି ପକାଉଛନ୍ତି। ଏଥିରୁ ସରକାରଙ୍କ ପରିମଳ ଯୋାଜନା ଯେ ଫେଲ୍‌ ମାରିଛି ତାହା ସ୍ପଷ୍ଟ ହୋଇଛି। ପରିମଳ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।