ନରସିଂହପୁର ଇଲେକ୍ଟ୍ରି ଡିଜିଏମ୍‌ଙ୍କ ଘରେ ଭିଜିଲାନ୍ସ ଚଢାଉ: ୧.୩୬ କୋଟିର ସମ୍ପତ୍ତି ଠାବ

କଟକ ଅଫିସ, ୧୯।୯: କଟକ ଜିଲା ନରସିଂହପୁର ଇଲେକ୍ଟ୍ରି ଗ୍ରୀଡ୍‌ର ଡେପୁଟି ଜେନେରାଲ ମ୍ୟାନେଜର (ଡିଜିଏମ୍‌) ରାମେଶ୍ୱର ମହଲାଙ୍କ ଘରୁ ଭିଜିଲାନ୍ସ ବିଭାଗ ୧ କୋଟି ୩୬ ଲକ୍ଷ ୫୩ ହଜାର ୧୧୨ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିଛି। ଭିଜିଲାନ୍ସ ପକ୍ଷରୁ ଡିଜିଏମ୍‌ ମହଲାଙ୍କ ଯାଜପୁର ଜିଲା ପଦ୍ମପୁରସ୍ଥିତ ଘର, ମୟୂରଭଞ୍ଜ ଜିଲା ବଡ଼ଡାଙ୍ଗୁଆରେ ଥିବା ପୈତୃକ ଘର, କଟକ ଇଲେକ୍ଟ୍ରି ଗ୍ରୀଡସ୍ଥିତ ଅଫିସ ଚାମ୍ବର, ସିଡିଏସ୍ଥିତ ଭଡ଼ାଘର, ବାଲେଶ୍ୱର ରାଜବ୍ରହ୍ମପୁରସ୍ଥିତ ସମ୍ପର୍କୀୟଙ୍କ ଘରେ ଏକସଙ୍ଗରେ ଚଢାଉ କରିଥିଲା। କଟକ ଭିଜିଲାନ୍ସ ବିଭାଗ ସ୍ବତନ୍ତ୍ର ଜଜ୍‌ଙ୍କ ୱାରେଣ୍ଟ ବଳରେ ଏହି ଚଢାଉ କରାଯାଇଥିଲା। ଜବତ ସମ୍ପତ୍ତି ମଧ୍ୟରେ ପଦ୍ମପୁରସ୍ଥିତ ଚାରି ମହଲା କୋଠା(ଯାହାର ଆନୁମାନିକ ମୂଲ୍ୟ ୯୨ ଲକ୍ଷ ଟଙ୍କା), ଏହି ଅଞ୍ଚଳରେ ଥିବା ଦୁଇଟି ପ୍ଲଟର ମୂଲ୍ୟ ୨୮ ଲକ୍ଷ ୯୩ହଜାର ୧୭ ଟଙ୍କା, ତିନୋଟି ଦୁଇଚକିଆ ଯାନ (ଯାହାର ମୂଲ୍ୟ ୧ ଲକ୍ଷ ୪୫ହଜାର ୨୫୮ ଟଙ୍କା), ବ୍ୟାଙ୍କ ଡିପୋଜିଟ ଏବଂ ଇନ୍‌ସ୍ୟୁରାନ୍ସ କମ୍ପାନୀରେ ଥିବା ୫ ଲକ୍ଷ ୬୮ହଜାର ୩୭ ଟଙ୍କା, ସୁନାଗହଣାର ମୂଲ୍ୟ ୪ ଲକ୍ଷ ୧୪ହଜାର ଟଙ୍କା, ନଗଦ ୩୨,୮୦୦ ଟଙ୍କା ଏବଂ ୪ ଲକ୍ଷ ଟଙ୍କାର ଘରୋଇ ଉପକରଣ ରହିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।