ନବୀନ..ନବୀନ ଗୀତ ୬ଥର: ଶୁଣିଥିଲେ ମୁଖ୍ୟମନ୍ତ୍ରୀ

ବହୁ ଲୋକ ଦୁଃଖ ଗୀତକୁ ପସନ୍ଦ କରନ୍ତି। ଏଣୁ ଯୁବ ସଙ୍ଗୀତ ନିର୍ଦ୍ଦେଶକ ଦେବାଶିଷ ମଲ୍ଲିକ(ଜାପାନୀ)ଙ୍କ ପାଇଁ ଦୁଃଖ ଗୀତଗୁଡ଼ିକ ହିଁ ଆଶୀର୍ବାଦ ହୋଇ ଆସିଲା। କିଛି ମାସ ତଳେ ଯାଜପୁରରେ ଏକ କାର୍ଯ୍ୟକ୍ରମରେ ତାଙ୍କୁ ଅତିଥି ଭାବେ ଯୋଗଦେବାକୁ ନିମନ୍ତ୍ରଣ ଆସିଥିଲା। ସେଠାରେ ତାଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିବା ଗୀତ ପରିବେଷଣ ମଧ୍ୟ ହୋଇଥିଲା। ହେଲେ କାର୍ଯ୍ୟକ୍ରମ ଶେଷରେ ଜଣେ ଯୁବକ ହଠାତ୍‌ ଆସି ତାଙ୍କ ହାତ ଧରି କାନ୍ଦିବା ସହ କେମିତି ଏପରି ଦୁଃଖ ଗୀତ ପ୍ରସ୍ତୁତ କରୁଛ ବୋଲି ପ୍ରଶ୍ନ କରିଥିଲେ। ଏପରିକି ତାଙ୍କ ଭିତରେ କ’ଣ ଦୁଃଖ ଅଛି ତାହା ପଚାରିଥିଲେ। ତାହା ତାଙ୍କୁ ଯେତିକି ବିସ୍ମୟ କରୁଥିଲା ସେତିକି ହାସ୍ୟମୟ ପରିସ୍ଥିତି ମଧ୍ୟ ସୃଷ୍ଟି କରିଥିଲା। ତାଙ୍କ ଭିତରେ କିଛି ଦୁଃଖ ନାହିଁ ବୋଲି କହିଥିଲେ ମଧ୍ୟ ଯୁବକ ଜଣକ ମାନିବାକୁ ରାଜି ହୋଇ ନ ଥିଲେ, ଯାହା ଅଭୁଲା ଅନୁଭୂତି ହୋଇରହିବ ବୋଲି ଜାପାନୀ କହିଛନ୍ତି।
ସେହିପରି ଗତ ନିର୍ବାଚନରେ ବିଜେଡର ଦଳୀୟ ଗୀତ ନବୀନ..ନବୀନ ପ୍ରସ୍ତୁତ କରି ଜାପାନୀ ନିଜ କଳାର ପ୍ରସିଦ୍ଧିକୁ ଆଉ ଗୋଟିଏ ପାଦ ଆଗକୁ ବଢ଼ାଇଛନ୍ତି। ନବୀନ ଗୀତ ପ୍ରସ୍ତୁତ କରିବାର ଅନୁଭୂତି ସମ୍ପର୍କରେ ସେ କୁହନ୍ତି, ଗୀତ ତିଆରି ହେବା ପରେ ହିଟ୍‌ କି ଫ୍ଲପ୍‌ ହେବ ତାହା ଜଣା ନ ଥିଲା। ତଥାପି ଆଶା ଥିଲା ଭଲ ହେବ। ହଠାତ୍‌ ଫୋନ ଆସିଲା ମୁଖ୍ୟମନ୍ତ୍ରୀ ଗୀତ ଶୁଣିବାକୁ ଚାହୁଁଛନ୍ତି। ପେନ୍‌ଡ୍ରାଇଭରେ ଆଣି ତାଙ୍କ ବାସଭବନରେ ପହଞ୍ଚିବାକୁ ନିର୍ଦ୍ଦେଶ ଆସିଲା। ସେଠାରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ହାତକୁ ପେନ୍‌ଡ୍ରାଇଭ ବଢ଼ାଇ ଦେଇଥିଲି। ହେଲେ ନର୍ଭସ ଥିଲି ଗୀତ ଶୁଣିବା ପରେ ସେ ପ୍ରତିକ୍ରିୟା କ’ଣ ଦେବେ। ଗୀତ ବାଜିବା ଆରମ୍ଭ ହେଲା। ଥରେ ଶୁଣିଲା ପରେ ପୁଣି ଥରେ ବଜାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏଭଳି ଲଗାତର ୬ଥର ନବୀନ..ନବୀନ ଗୀତ ବାଜିଲା। ଶେଷରେ ଗୁଡ୍‌ ଜବ୍‌ ବୋଲି ମୁଖ୍ୟମନ୍ତ୍ରୀଙ୍କ ପାଟିରୁ ଶୁଣି ଖୁସି ମିଳିଥିଲା ବୋଲି ଜାପାନୀ କୁହନ୍ତି।
ଜଗତ୍‌ସିଂହପୁର ବାଲିକୁଦାରେ ଜନ୍ମିତ ଦେବାଶିଷଙ୍କ ପିଲାବେଳର ନାମ ଜାପାନୀ। ଗ୍ରାମଦେବତୀ ଜାଗୁଳାଇଙ୍କଠାରେ ପୂଜାର୍ଚ୍ଚନା କରି ପଣ୍ଡିତଙ୍କ ପରାମର୍ଶରେ ପିତାମାତା ଜାପାନୀ ନାମ ରଖିଥିଲେ ବୋଲି ସେ କୁହନ୍ତି। ପ୍ରଥମେ ଅଭିନୟରେ ପାଦ ଥାପିଥିବା ଜାପାନୀ ୨୦୦୨ରୁ ସଙ୍ଗୀତ ନିର୍ଦ୍ଦେଶନା କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ଜାପାନୀଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ପ୍ରସ୍ତୁତ ଧନଲୋ ଧନ, ଏ ମନ ମୋ ମନ, ତୋ କଥା ମନେ ପଡ଼ୁଛି, ଆଖିରେ ଆଖି ମିଶେଇ ଦେଇ ଗୀତ ୟୁ-ଟ୍ୟୁବ୍‌ରେ ସବୁଠାରୁ ଅଧିକ ଲୋକପ୍ରିୟ ତାଲିକାର ଶୀର୍ଷରେ ରହିଛି।
-ରିପୋର୍ଟ: କୁମାରଶ୍ରୀ ସାହୁ

Share