ନବୀନ କ୍ରେଜ୍‌ କାଏମ

ଢେଙ୍କାନାଳ ଅଫିସ, ୨୫।୫-ଦୀର୍ଘଦିନ ଧରି ଶାସନ ଗାଦି କବ୍‌ଜା କରି ରଖିଥିଲେ ମଧ୍ୟ କମିନି ନବୀନଙ୍କ କ୍ରେଜ୍‌। ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ ଏହାର ପୁନରାବୃତ୍ତି ହୋଇଛି। ରାଜ୍ୟରେ ଶାସକ ଦଳକୁ ପୁଣି ଥରେ ମିଳିଛି ସ୍ପଷ୍ଟ ବହୁମତ, ଯାହା ବିରୋଧୀଙ୍କୁ ପରାଜୟ ସ୍ବୀକାର କରିବାକୁ ବାଧ୍ୟ କରାଇଛି। ସାରାଦେଶରେ ମୋଦି ଲହର ଦେଖାଦେଇଥିବାବେଳେ ରାଜ୍ୟର ଅନ୍ୟତମ ଚର୍ଚ୍ଚିତ ଢେଙ୍କାନାଳ ଲୋକ ସଭା ନିର୍ବାଚନମଣ୍ଡଳୀରେ ଏହାର ସାମାନ୍ୟତମ ପ୍ରଭାବ ପଡ଼ିନାହିଁ। ଲୋକ ସଭା ଆସନ ସମେତ ଢେଙ୍କାନାଳ ଜିଲାର ୪ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ବାଜିମାତ୍‌ କରିଛନ୍ତି।
ଅନ୍ୟପଟେ ଫଳାଫଳ ପ୍ରକାଶ ପରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ନିର୍ବାଚନମଣ୍ଡଳୀରେ ବିଜେଡିର ବିପୁଳ ସଫଳତା ନେଇ ବିଜୟୀ ଲୋକ ସଭା ପ୍ରାର୍ଥୀ ମହେଶ ସାହୁ କୁହନ୍ତି, ଦଳୀୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟ ହିଁ ସଫଳତାର ପ୍ରମୁଖ କାରଣ। ସମସ୍ତଙ୍କ ସହଯୋଗରେ ଏହି ବିଜୟ ହୋଇଛି। ଏହାର ଶ୍ରେୟ ୧୧ଲକ୍ଷ ୨୫ହଜାର ଭୋଟରଙ୍କର। ଦଳୀୟ କର୍ମୀ ଅକୁଣ୍ଠ ସମର୍ଥନ ଜଣାଇଛନ୍ତି। ଏକାଧିକ ଥର ବିଧାୟକ ହୋଇ ବିଧାନସଭାକୁ ଯାଇଛନ୍ତି। ଲୋକ ସଭା ମଧ୍ୟ ନୂଆ କରି ସ୍କୁଲକୁ ଯିବା ଭଳି ଲାଗିବ। ଲୋକଙ୍କ ସୁଖଦୁଃଖରେ ସାଥୀ ହୋଇ କାମ କରିବାକୁ ସେ ଚେଷ୍ଟା କରିବେ। ଲୋକଙ୍କ ସହ ମିଳାମିଶା ପରେ ସବୁକିଛି ସହଜ ହୋଇଯିବ ବୋଲି ମହେଶ କହିଛନ୍ତି।
ଲୋକ ସଭା ସମେତ ଜିଲାର ୪ ବିଧାନସଭା ଆସନରେ ଭାଜପା ପ୍ରାର୍ଥୀଙ୍କ ପରାଜୟ ପରେ ଜିଲା ସଭାପତି ବିଭୂତି ଭୂଷଣ ପ୍ରଧାନ ଏ ନେଇ ମତ ରଖିଛନ୍ତି। ସେ କହିଛନ୍ତି, ଜନମତକୁ ମୁଣ୍ଡପାତି ସମ୍ମାନ ଜଣାଉଛୁ। ଲୋକ ସଭାରେ ଦଳୀୟ ପ୍ରାର୍ଥୀ ଶାସକ ଦଳକୁ କଡ଼ା ଟକ୍କର ଦେଇଥିଲେ। ଆଉ ଟିକେ ପରିଶ୍ରମ କରିଥିଲେ ସଫଳତା ମିଳନ୍ତା। ବିଜେଡି ବିକାଶମୂଳକ କାର୍ଯ୍ୟରେ ଯେତିକି ଧ୍ୟାନ ଦେଉନାହିଁ, ନିର୍ବାଚନରେ ସଫଳ ହେବାକୁ ସେତିକି ଗୁରୁତ୍ୱ ଦେଉଛି। ଆଗାମୀ ଦିନରେ ସଙ୍ଗଠନକୁ ସୁଦୃଢ଼ କରି ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରାଯିବ ବୋଲି ସେ କହିଛନ୍ତି। ସେହିପରି ଜିଲା କଂଗ୍ରେସ ସଭାପତି ସୁରେଶ ପାଣିଗ୍ରାହୀ କୁହନ୍ତି, କେବଳ ଢେଙ୍କାନାଳ ଜିଲା ନୁହେଁ, ସାରା ରାଜ୍ୟରେ ଦଳ ଖରାପ ପ୍ରଦର୍ଶନ କରିଛି। ଲୋଭ ସଭା ପ୍ରାର୍ଥୀ କାମାକ୍ଷା ପ୍ରସାଦ ସିଂଦେଓଙ୍କ ଟିକେଟ୍‌ ଝୁଲାଇ ରଖାଗଲା। ବହୁ ବିଳମ୍ବରେ ତାଙ୍କୁ ଟିକେଟ ଦିଆଗଲା। ପ୍ରବଳ ଗ୍ରୀଷ୍ମପ୍ରବାହରେ ଅଧିକ ପରିଶ୍ରମ କରିବା ସମ୍ଭବପର ହେଲାନାହିଁ। ରାଜ୍ୟ ସଭାପତି ପଦବୀରୁ ଇସ୍ତଫା ଦେଇଛନ୍ତି। ଏପରି ପରାଜୟର ସମୀକ୍ଷା କରି ସଙ୍ଗଠନକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଲେ ଆଗାମୀ ଦିନରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ସେ କହିଛନ୍ତି।