ନବୀନଙ୍କୁ ଭେଟିଲେ କମଲ ହାସନ

ଭୁବନେଶ୍ୱର,୧୯ା୧୧(ବ୍ୟୁରୋ): ସାଉଥ୍‌ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ତଥା ଏମ୍‌ଏନ୍‌ଏମ୍‌(ମକ୍କଲ ନିଧି ମୟମର) ଦଳର ମୁଖ୍ୟ କମଲ ହାସନ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କମଲ ହାସନ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ବିଶେଷ ଆଲୋଚନା କରିଛନ୍ତି। ସାକ୍ଷାତ ସମୟରେ ନବୀନ କମଲ ହାସନଙ୍କୁ ଏକ ତାରକସି କାମର ଉପହାର ସହିତ ଉତ୍ତରୀୟ ପ୍ରଦାନ କରିଛନ୍ତି। ଏହି ଭେଟଘାଟ ଅବସରରେ ଉଭୟଙ୍କ ମଧ୍ୟରେ ରାଜନୈତିକ ପ୍ରସଙ୍ଗରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ସାକ୍ଷାତ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କମଲ ହାସନ ଭୁବନେଶ୍ୱର ଆସିଥିବାରୁ ମୁଁ ବହୁତ ଖୁସି। ତାଙ୍କ ରାଜନୈତିକ ଜୀବନ, ଫିଲ୍ମ କ୍ୟାରିୟର ସମ୍ପର୍କରେ ପଚାରି ବୁଝିଛି। ତାଙ୍କ ସଫଳ ରାଜନୈତିକ ଭବିଷ୍ୟତ କାମନା କରୁଛି। ଓଡିଶାର ସୌନ୍ଦର୍ଯ୍ୟପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳୀ ଚିଲିକା, କୋଣାର୍କ ଆଦି ସ୍ଥାନ ବୁଲିବା ପାଇଁ କହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି କମଲ ହାସନ କହିଛନ୍ତି, ବରିଷ୍ଠ ନେତା ଭାବେ ମୁଖ୍ୟମନ୍ତ୍ରୀଙ୍କଠାରୁ ଉପଦେଶ ସହ ଅଭିଜ୍ଞତା ଓ ପରାମର୍ଶ ନେଇଛନ୍ତି। ତାଙ୍କ ସଫଳ ରାଜନୈତିକ କ୍ୟାରିୟର ଅନ୍ୟମାନଙ୍କ ପାଇଁ ପ୍ରେରଣା। ତାମିଲନାଡୁକୁ ଅଧିକ ସଫଳ ଓ ସମୃଦ୍ଧ କରିବା ଆମର ଲକ୍ଷ୍ୟ ବୋଲି ଆଞ୍ଚଳିକ ଦଳ ଏମ୍‌ଏନ୍‌ଏମ୍‌ ମୁଖ୍ୟ କମଲ ହାସନ କହିଛନ୍ତି। ଆଗାମୀ ଦିନରେ ବିଜେଡି ଏବଂ ଏମ୍‌ଏନ୍‌ଏମ୍‌ ଏକାଠି ହେବା ପ୍ରସଙ୍ଗରେ କମଲ କହିଛନ୍ତି, ଭବିଷ୍ୟତରେ ଦଳର ବରିଷ୍ଠ ନେତା ଚାହିଁଲେ ଏନେଇ ନିଷ୍ପତ୍ତି ନିଆଯାଇପାରେ। କମଲ ହାସନ ଭୁବନେଶ୍ୱର ବିମାନବନ୍ଦରଠାରେ ପହଞ୍ଚିବାପରେ ତାଙ୍କୁ ବିଜେଡି ପକ୍ଷରୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ହାସନ ମଧ୍ୟ ଏହି ସମୟରେ ହାତ ହଲାଇ ଅଭିବାଦନ ଜଣାଇଛନ୍ତି। ଭୁବନେଶ୍ୱରରେ ଏକ ଘରୋଇ ବିଶ୍ୱବିଦ୍ୟାଳୟ ପକ୍ଷରୁ କମଲ ହାସନଙ୍କୁ ଡକ୍ଟରେଟ୍‌ ଉପାଧି ପ୍ରଦାନ କରାଯିବ। ସେଥିଲାଗି ସେ ଓଡିଶା ଗସ୍ତରେ ଆସିଥିବା ଜଣାପଡିଛି।