ନବବଧୂଙ୍କ ମୁଣ୍ଡକୁ ହାଣି ହତ୍ୟା: ସ୍ବାମୀ, ଶାଶୁ ଅଟକ

ଗୋପାଳପୁର, ୧୧-୯:ଗଞ୍ଜାମ ଜିଲା ଗୋପାଳପୁର ଥାନା ଅନ୍ତର୍ଗତ ମନସୁର୍‌କୋଟା ଗ୍ରାମର ଜଣେ ନବବଧୂଙ୍କୁ ହତ୍ୟା କରାଯାଇଛି। ଅଧିକ ଯୌତୁକ ଦାବି ନେଇ ରବିବାର ରାତିରେ ନବବଧୂ ତଥା ପୁରୀ ଅଞ୍ଚଳର ନାନୁ ଦାସ (୨୨)ଙ୍କ ମୁଣ୍ଡକୁ ଏକ ଧାରୁଆ ଅସ୍ତ୍ରରେ ହାଣି ତାଙ୍କ ସ୍ବାମୀ ହତ୍ୟା କରିଛନ୍ତି। ମଙ୍ଗଳବାର ଏ ନେଇ ନାନୁଙ୍କ ମା’ ମମତା ଦାସଙ୍କ ଏତଲାକୁ ଭିତ୍ତିକରି ଗୋପାଳପୁର ଥାନାରେ (ନଂ.୯୭/୧୯)ରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତ ସ୍ବାମୀ ଓ ତାଙ୍କ ମା’ଙ୍କୁ ପୋଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଛି।
ପ୍ରାୟ ଦେଢ଼ବର୍ଷ ତଳେ ନାନୁ ବୋହୂ ହୋଇ ମନସୁରକୋଟା ଗାଁକୁ ଆସିଥିଲେ। ବିବାହ ବେଳେ ବାପଘର ପକ୍ଷରୁ ଯାନିଯୌତୁକ ଦିଆଯାଇଥିଲା। କିଛିଦିନ ଭଲରେ ଚଳିବା ପରେ ସ୍ବାମୀ ଓ ଶାଶୁ ଅଧିକ ଯୌତୁକ ଆଣିବା ଦାବି କରି ନାନୁଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିଲେ। ବିଭିନ୍ନ ସମୟରେ ସ୍ବାମୀ ନିଶାସକ୍ତ ହୋଇ ଆସି ଗଣ୍ଡଗୋଳ କରୁଥିଲେ। ଜୁନ ମାସରେ ପ୍ରାୟ ୫ମାସର ଶିଶୁକନ୍ୟାକୁ ନେଇ ସ୍ବାମୀଙ୍କ ସହ ନାନୁ ବାପ ଘରକୁ ଯାଇଥିଲେ। ଗତ ୨ ତାରିଖରେ ମନସୁରକୋଟା ଆସିବା ପରେ ଟଙ୍କା ପାଇଁ ନାନୁଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିଲା। ସୋମବାର ରାତିରେ ଏ ସମ୍ପର୍କରେ ସେ ତାଙ୍କ ମା’ଙ୍କୁ ଫୋନ ଯୋଗେ ଜଣାଇଥିଲେ। ରାତି ପ୍ରାୟ ୧୧ଟାରେ ସ୍ବାମୀ ନିଶାସକ୍ତ ଅବସ୍ଥାରେ ଆସି ଯୌତୁକ ଟଙ୍କା ଆଣିବା ବିଷୟରେ ବାପଘରେ କହିଲୁ କି ନାହିଁ କହି ଏକ ଧାରୁଆ ଅସ୍ତ୍ରରେ ନାନୁଙ୍କ ମୁଣ୍ଡକୁ ପ୍ରହାର କରିଥିଲେ। ମୁଣ୍ଡରୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଚିତ୍କାର ଶୁଣି ପଡ଼ୋଶୀ ପହଞ୍ଚି ଗୁରୁତର ଅବସ୍ଥାରେ ନାନୁଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ନେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ରାତି ପ୍ରାୟ ୨ଟାରେ ନାନୁଙ୍କ ମୃତ୍ୟୁ ଘଟିିଥିଲା।