ନବପ୍ରଯୁକ୍ତିର ପ୍ରବର୍ତ୍ତକ

ସୋନମ ଓ୍ବାଙ୍ଗ୍‌ଚୁକ୍‌

ଚର୍ଚ୍ଚିତ ହିନ୍ଦୀ ଚଳଚ୍ଚିତ୍ର ‘ଥ୍ରୀ ଇଡିଅଟ୍ସ’ର ଏକ ପ୍ରମୁଖ ଚରିତ୍ର ଫୁନ୍‌ସୁଖ୍‌ ଓ୍ବାଙ୍ଗଡୁ। ଅମିର ଖାନ୍‌ ଏହି ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ବେଳେ ଯେଉଁ କାହାଣୀ ଆଧାରରେ ଏହି ସିନେମା ଲୋକପ୍ରିୟତା ଅର୍ଜନ କରିଥିଲା, ତାହାର ମୂଳ ବ୍ୟକ୍ତିତ୍ୱ ଥିଲେ ଲଦାଖ ବାସିନ୍ଦା ସୋନମ ଓ୍ବାଙ୍ଗ୍‌ଚୁକ୍‌। ଯେଉଁମାନେ ଏହି ଚଳଚ୍ଚିତ୍ର ଦେଖିଥିବେ ସେମାନେ ଓ୍ବାଙ୍ଗଡୁଙ୍କ ଶିକ୍ଷା ଦିଗରେ ଅଭିନବ ଚିନ୍ତାଧାରା ଓ ପ୍ରଯୁକ୍ତି କ୍ଷେତ୍ରରେ ଜଣେ ଇନୋଭେଟର ବା ନବପ୍ରବର୍ତ୍ତକ ଭାବେ ଉଭା ହୋଇଥିବା ଓ୍ବାଙ୍ଗ୍‌ଚୁକ୍‌ଙ୍କୁ ପାଇପାରିବେ। କୁହାଯାଉଛି ରାଜକୁମାର ହିରାନିଙ୍କ ନିର୍ଦ୍ଦେଶିତ ‘ଥ୍ରୀ ଇଡିଅଟ୍ସ’ରେ ଓ୍ବାଙ୍ଗ୍‌ଚୁକ୍‌ଙ୍କ ଜୀବନୀ ଓ୍ବାଙ୍ଗଡୁ ଚରିତ୍ର ସୃଷ୍ଟି କରିଥିଲା। କିନ୍ତୁ ଓ୍ବାଙ୍ଗ୍‌ଚୁକ୍‌ କହିଥାଆନ୍ତି ‘ଥ୍ରୀ ଇଡିଅଟ୍ସ’ ତାଙ୍କ ବାୟୋପିକ୍‌ ନୁହେଁ ଓ ସେ ଫୁନ୍‌ସୁଖ୍‌ ଓ୍ବାଙ୍ଗଡୁ ନୁହନ୍ତି। ତେବେ ଜଣଙ୍କ କାର୍ଯ୍ୟ ଯେତେବେଳେ ଜନକଲ୍ୟାଣ ଦିଗରେ ଅଭିପ୍ରେତ ହୋଇଥାଏ ଓ ବହୁ ଲୋକଙ୍କୁ ତାହା ପ୍ରଭାବିତ କରେ, ସେତେବେଳେ ସେ ଆଇକନ୍‌ ପାଲଟି ଯାଇଥାଆନ୍ତି। ସୋନମ ଓ୍ବାଙ୍ଗ୍‌ଚୁକ୍‌ ଚରିତ୍ର ରିଲ୍‌ ନୁହେଁ, ରିୟଲ ଦୁନିଆରେ ଅନେକ ପରିବର୍ତ୍ତନ ଆଣିପାରିଥିବାରୁ ରମନ ମାଗାସେସ୍‌ ଭଳି ତାଙ୍କୁ ଦେଶବିଦେଶରୁ ଅନେକ ସମ୍ମାନ ମିଳିଛି। ସେ ଆଦର୍ଶ ସ୍ଥାନୀୟ ସ୍ତର ଛୁଇଁ ପାରିଥିବାରୁ ସର୍ବଦା ଚର୍ଚ୍ଚାରେ ରହିଛନ୍ତି। ନିକଟରେ ମର୍ଯ୍ୟାଦାଜନକ ‘ସନ୍ତୋକବା ହ୍ୟୁମାନଟରିଆନ୍‌ ଆଓ୍ବାର୍ଡ’ ପାଇବା ପରେ ପୁରସ୍କାର ବାବଦରେ ମିଳିଥିବା ଏକ କୋଟି ଟଙ୍କାର ଅର୍ଥରାଶିକୁ ସେ ଲଦାଖର କନ୍ୟା ସନ୍ତାନଙ୍କ ଶିକ୍ଷା ଓ ସେଠାକାର ଲୋକଙ୍କ ବିବିଧ ଜୀବିକା ସୁନିଶ୍ଚିତ କରିବା ଲାଗି ଉତ୍ସର୍ଗ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ୧୦ ଏପ୍ରିଲ ୨୦୨୩ରେ ଓ୍ବାଙ୍ଗ୍‌ଚୁକ୍‌ଙ୍କୁ ଲଦାଖସ୍ଥିତ ଏକ ହୋଟେଲରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଗୁଜରାଟର ଅନ୍ୟତମ ପ୍ରମୁଖ ହୀରା କମ୍ପାନୀ ଶ୍ରୀରାମକ୍ରିଷ୍ଣ ଏକ୍ସପୋର୍ଟସ (ଏସ୍‌ଆର୍‌କେ) ଓ ଏହାର ଜନହିତକର ଶାଖା ଶ୍ରୀରାମକ୍ରିଷ୍ଣ ନଲେଜ୍‌ ଫାଉଣ୍ଡେଶନ (ଏସ୍‌ଆର୍‌କେକେଏଫ୍‌) ଦ୍ୱାରା ଗଠିତ ଏହି ପୁରସ୍କାରର ପ୍ରତିଷ୍ଠାତା ଅଧ୍ୟକ୍ଷ ଗୋବିନ୍ଦ ଢୋଲକିଆଙ୍କ ସ୍ବର୍ଗତ ମାତା ସନ୍ତୋକବା ଢୋଲକିଆଙ୍କ ସ୍ମୃତିରେ ୨୦୦୬ରେ ପ୍ରତିଷ୍ଠା କରାଯାଇଥିଲା। ଏହି ପୁରସ୍କାର ପାଇଥିବା ପ୍ରମୁଖ ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି-ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ରତନ ଟାଟା, ନୋବେଲ ଶାନ୍ତି ବିଜେତା କୈଳାସ ସତ୍ୟାର୍ଥୀ, ମହାକାଶ ବିଜ୍ଞାନୀ ତଥା ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ଏ.ଏସ୍‌. କିରନ କୁମାର, ଫିଲାନଥ୍ରୋପିଷ୍ଟ ସୁଧା ମୂର୍ତ୍ତି। ଏବେ ଏହି ତାଲିକାରେ ସାମିଲ ହୋଇଥିବା ଓ୍ବାଙ୍ଗ୍‌ଚୁକ୍‌ କହିଛନ୍ତି, ଜଣେ ମା’ଙ୍କ ନାମରେ ଏହା ପ୍ରତିଷ୍ଠିତ ହୋଇଥିବାରୁ ମାତୃକୁଳ ସମ୍ମାନିତ ହେଉଛି। ବଡ଼ ଭଉଣୀ ଓ ସହଧର୍ମିଣୀଙ୍କ ସହଯୋଗ ଯୋଗୁ ସେ ଆଜି ଏଭଳି ସ୍ତରରେ ପହଞ୍ଚତ୍ପାରିଛନ୍ତି ବୋଲି ଓ୍ବାଙ୍ଗ୍‌ଚୁକ୍‌ ପ୍ରକାଶ କରିଛନ୍ତି।
ଲଦାଖର ଲେହ ଜିଲା ଅନ୍ତର୍ଗତ ଉଲେୟଟୋକ୍‌ପୋରେ ଓ୍ବାଙ୍ଗ୍‌ଚୁକ୍‌ ୧ ସେପ୍ଟେମ୍ବର ୧୯୬୬ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କୁ ୯ ବର୍ଷ ହେବାଯାଏ ସେ ସ୍କୁଲ ଯାଇ ନ ଥିଲେ। କାରଣ ତାଙ୍କ ଗାଁରେ କୌଣସି ସ୍କୁଲ ନ ଥିଲା। ମାତୃଭାଷାରେ ତାଙ୍କ ମା’ ସେରିଙ୍ଗ୍‌ ଓ୍ବାଙ୍ଗ୍‌ମୋ ତାଙ୍କୁ ପ୍ରାଥମିକ ଶିକ୍ଷା ଦେଇଥିଲେ। ପିତା ସୋନମ ଓ୍ବାଙ୍ଗ୍‌ୟାଲ୍‌ ଜଣେ ରାଜନେତା, ଯିଏକି ପରବର୍ତ୍ତୀ ସମୟରେ ରାଜ୍ୟ ସରକାରରେ ମନ୍ତ୍ରୀ ହୋଇଥିବାରୁ ଶ୍ରୀନଗରରେ ରହୁଥିଲେ। ତେଣୁ ଓ୍ବାଙ୍ଗ୍‌ଚୁକ୍‌ ୯ ବର୍ଷରେ ଶ୍ରୀନଗରର ଏକ ବିଦ୍ୟାଳୟରେ ନାମ ଲେଖାଇଥିଲେ। କିନ୍ତୁ ସେଠାକାର ଭାଷା ବୁଝି ନ ପାରିବାରୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ପରେ ସେ ୧୯୭୭ରେ ଲୁଚି ଦିଲ୍ଲୀ ପଳାଇଯାଇ ସେଠାରେ ପାଠପଢ଼ାରେ ମନୋନିବେଶ କରିଥିଲେ। ମେଧାସମ୍ପନ୍ନ ହୋଇଥିବାରୁ ୧୯୮୭ରେ ସେ ଶ୍ରୀନଗରସ୍ଥିତ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲଜି (ସେତେବେଳେ ଆର୍‌ଇସି)ରୁ ମେକାନିକାଲ୍‌ ଇଞ୍ଜିନିୟରିଂରେ ବି.ଟେକ୍‌. ଡିଗ୍ରୀ ଅର୍ଜନ କରିଥିଲେ। ଇଞ୍ଜିନିୟରିଂକୁ କ୍ୟାରିୟର କରିଥିବାରୁ ପିତା ଓ ପୁତ୍ରଙ୍କ ମଧ୍ୟରେ ମତଭେଦ ଦେଖାଦେଇଥିଲା। ତେଣୁ ନିଜେ ସେ ପଢ଼ା ଖର୍ଚ୍ଚ ତୁଲାଇଥିଲେ। ଉଚ୍ଚଶିକ୍ଷା ପ୍ରତି ଆକାଂକ୍ଷା ଥିବାରୁ ସେ ୨୦୧୧ରେ ଫ୍ରାନ୍ସର ଗ୍ରେନୋବଲସ୍ଥିତ କ୍ରାଟେରି ସ୍କୁଲ୍‌ ଅଫ୍‌ ଆର୍କିଟେକ୍‌ଚରରେ ଦୁଇବର୍ଷ ଆର୍ଦେନ୍‌ ଆର୍କିଟେକ୍‌ଚର ପାଠପଢ଼ିଥିଲେ। ତେବେ ତାଙ୍କ କ୍ୟାରିୟର ଦେଖିଲେ ବି.ଟେକ୍‌. କରି ସାରିବା ପରେ ୧୯୮୮ରେ ଓ୍ବାଙ୍ଗ୍‌ଚୁକ୍‌ ତାଙ୍କ ଭାଇ ଓ ୫ ଜଣ ବନ୍ଧୁଙ୍କ ସହ ମିଶି ଷ୍ଟୁଡେଣ୍ଟ୍‌ସ ଏଜୁକେଶନାଲ ଆଣ୍ଡ୍‌ କଲ୍‌ଚରାଲ ମୁଭ୍‌ମେଣ୍ଟ ଅଫ୍‌ ଲଦାଖ (ଏସ୍‌ଇସିଏମ୍‌ଓଏଲ୍‌) ଆରମ୍ଭ କରିଥିଲେ। ସରକାରୀ ହାଇସ୍କୁଲ ଶିକ୍ଷାରେ ସଂସ୍କାର ଆଣିବା ଦିଗରେ ଏହି ସଙ୍ଗଠନ କାର୍ଯ୍ୟ କରିଥିଲା। ଅଭିନବ ଚିନ୍ତାଧାରା ସନ୍ନିବେଶିତ ଥିବାରୁ ସରକାର ମଧ୍ୟ ଏସ୍‌ଇସିଏମ୍‌ଓଏଲ୍‌ ସହ ମିଶି ଗୁଣାତ୍ମକ ଶିକ୍ଷାକୁ ପ୍ରସାରିତ କରିଚାଲିଲେ। ଜୁନ୍‌ ୧୯୯୩ରୁ ଅଗଷ୍ଟ ୨୦୦୫ ଯାଏ ଓ୍ବାଙ୍ଗ୍‌ଚୁକ୍‌ ଲଦାଖରୁ ପ୍ରଥମ ଥର ପାଇଁ ମୁଦ୍ରଣ ପତ୍ରିକା ‘ଲଦାଗ୍ସ ମିଲୋଙ୍ଗ୍‌’ ପ୍ରକାଶ କରି ତାହାର ସମ୍ପାଦକ ରହିଥିଲେ। ୨୦୦୧ରେ ତାଙ୍କୁ ହିଲ୍‌ କାଉନ୍‌ସିଲ ଗଭର୍ନମେଣ୍ଟରେ ଶିକ୍ଷା ବିଭାଗର ଉପଦେଷ୍ଟା ନିଯୁକ୍ତ କରାଯାଇଥିଲା। ୨୦୦୨ରେ ସେ ଅନ୍ୟ ସ୍ବେଚ୍ଛାସେବୀ ସଙ୍ଗଠନ (ଏନ୍‌ଜିଓ) ମୁଖ୍ୟଙ୍କ ସହ ମିଶି ଲଦାଖ ଭଲ୍ୟୁଣ୍ଟାରି ନେଟ୍‌ଓ୍ବର୍କ(ଏଲ୍‌ଭିଏନ୍‌) ଗଢ଼ିଥିଲେ। ତେବେ ୨୦୧୩ରେ ଓ୍ବାଙ୍ଗ୍‌ଚୁକ୍‌ ‘ଆଇସ୍‌ ସ୍ତୂପ’ ଉଦ୍ଭାବନ କରିବା ପରେ ତାଙ୍କ ନାମ ଦିଗବିଦିଗ ହୋଇଥିଲା। ଉଲ୍ଲେଖଯୋଗ୍ୟ, ଏହା ଏକ କୃତ୍ରିମ ହିମପିଣ୍ଡ (ଆର୍ଟିଫିସିଆଲ୍‌ ଗ୍ଲେସିୟର) ଯେଉଁଥିରେ ଝରଣାରୁ ବହିଯାଉଥିବା ପାଣିକୁ ଶୀତଦିନେ ଏକ ବୃହତ୍‌ ଆଇସ୍‌ କୋନ୍‌ ବା ସ୍ତୂପରେ ସଂରକ୍ଷିତ କରି ରଖିବାର ବ୍ୟବସ୍ଥା କରାଯାଇଛି। ବସନ୍ତର ଶେଷ ଆଡ଼କୁ ଯେତେବେଳେ ବରଫ ତରଳିଥାଏ ତାହାକୁ କୃଷକମାନେ ବ୍ୟବହାର କରିବାର ସୁଯୋଗ ପାଇଥାଆନ୍ତି। ଲଦାଖରେ ଗ୍ରୀଷ୍ମ ସମୟରେ ପାଣି ପାଇବା ପାଇଁ ଲୋକେ ଡହଳବିକଳ ହୋଇଥାଆନ୍ତି। ଓ୍ବାଙ୍ଗ୍‌ଚୁକ୍‌ଙ୍କ ‘ଆଇସ୍‌ ସ୍ତୂପ’ ଲଦାଖବାସୀଙ୍କ ପାଇଁ ଏକ ବରଦାନ ସଦୃଶ ହୋଇପାରିଛି। ଏହି ଟେକ୍ନୋଲଜି ଲୋକପ୍ରିୟତା ଅର୍ଜନ କରିବା ପରେ ସୁଇଜରଲାଣ୍ଡ ଭଳି ଦେଶ ତାଙ୍କୁ ନିମନ୍ତ୍ରଣ କରି ଆଇସ୍‌ ସ୍ତୂପ ପ୍ରତିଷ୍ଠା କରିଥିଲା, ଯଦ୍ଦ୍ବାରା ସେଠାକାର ପର୍ଯ୍ୟଟନକୁ ଏହା ଅଧିକ ଆକର୍ଷଣୀୟ କରିଥିଲା। ଓ୍ବାଙ୍ଗ୍‌ଚୁକ୍‌ ନୂଆ କିଛି କରିବାରେ ଆନନ୍ଦ ପାଇଥାଆନ୍ତି। ୨୦୧୫ରେ ସେ ହିମାଲୟାନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଅଲଟରନେଟିଭ୍‌ ପ୍ରତିଷ୍ଠା କରିଥିଲେ। ପର୍ବତାଞ୍ଚଳରେ ଥିବା ବିଶ୍ୱବିଦ୍ୟାଳୟଗୁଡ଼ିକ ଏହି ଦିଗ ପ୍ରତି ଅଣଦେଖା କରୁଥିବାରୁ କ୍ଷୋଭ ପ୍ରଦର୍ଶନ କରି ସେ ଏହି ପ୍ରତିଷ୍ଠାନ ଗଢ଼ିଥିବା ପ୍ରକାଶ କରିଥିଲେ।
ନବସୃଜନ ମାଧ୍ୟମରେ ସମାଜରେ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଥିବା ଓ୍ବାଙ୍ଗ୍‌ଚୁକ୍‌ ମଣିଷର ବାସ୍ତବ ଜୀବନରେ ପରିବର୍ତ୍ତନ ଦେଖିଲେ ଆନନ୍ଦିତ ହୋଇଥାଆନ୍ତି ବୋଲି କହିଥାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri