ନବନିର୍ମାଣ କୃଷକ ସଙ୍ଗଠନର ସମାବେଶ

ନୟାଗଡ଼ ଅଫିସ,୧୦ା୧୦: ନବନିର୍ମାଣ କୃଷକ ସଙ୍ଗଠନର ନୟାଗଡ଼ ଜିଲାସ୍ତରୀୟ ସମାବେଶ ବୁଧବାର ସହରସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲା ସଂଯୋଜକ ମହେଶ୍ୱର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାବେଶରେ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଯୋଗଦେଇ ଚାଷୀକୁଳ ଅସଙ୍ଗଠିତ ହୋଇଥିବାରୁ ଶାସକ ଦଳ ଓ ଅମଲାତନ୍ତ୍ର ସେମାନଙ୍କୁ ଅବହେଳା କରିଆସୁଥିବା ପ୍ରକାଶ କରିଥିଲେ। କିନ୍ତୁ ନବନିର୍ମାଣ କୃଷକ ସଙ୍ଗଠନ ଚାଷୀମାନଙ୍କୁ ଏକତ୍ରିତ କରି ସଙ୍ଗଠିତ ଶକ୍ତିର ପରିଚୟ ଦେଇଛି। ଏହା ପରେ ମଧ୍ୟ ରାଷ୍ଟ୍ରଶକ୍ତି ଚାଷୀମାନଙ୍କ ସମସ୍ୟା ସମାଧାନ ପାଇଁ ଆଗ୍ରହ ପ୍ରକାଶ କରୁନାହିଁ। ଏଣୁ ଆସନ୍ତା ନଭେମ୍ବର ୬ ତାରିଖରେ ଭୁବେନଶ୍ୱରଠାରେ ହେବାକୁ ଥିବା ରାଷ୍ଟ୍ରୀୟ ସମ୍ମିଳନୀରେ ଯୋଗଦେବା ପାଇଁ ସେ ଚାଷୀମାନଙ୍କୁ ଆହ୍ବାନ ଦେଇଥିଲେ। ନିଜ ମୁକ୍ତି ପାଇଁ ସଂଘର୍ଷ କରିବାକୁ ପଡ଼ିବ ବୋଲି କହିଥିଲେ। ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ଜିଲା ସହ ସଂଯୋଜକ ରଣଜିତ୍‌ ଦଳବେହେରା, ମମତା ନାଥ, ପ୍ରସନ୍ନ ପ୍ରଧାନ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ସଙ୍ଗଠନର ଦ୍ୱାରା ବିଭିନ୍ନ ସମୟରେ ହୋଇଥିବା ଚାଷୀ ଆନ୍ଦୋଳନରେ ଅନେକ ସଫଳତା ମିଳିଛି। ଚାଷୀ ଆନ୍ଦୋଳନ ପାଇଁ ସରକାର ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଥିଲେ ହେଁ ପରେ ଧୋକା ଦେଉଛନ୍ତି। ଏହା ବିରୋଧରେ ଚାଷୀମାନେ ରାଷ୍ଟ୍ରୀୟ ସମାବେଶରେ ଏକାଠି ହେଲେ ସରକାର ଚାପଗ୍ରସ୍ତ ହୋଇ ଏହାର ସମାଧାନ କରିବେ ବୋଲି କହିଥିଲେ। ସଙ୍ଗଠନର ଉପଦେଷ୍ଟା ସନ୍ତୋଷ ପ୍ରଧାନ ସଙ୍ଗଠନ ବିଷୟରେ ଚାଷୀମାନେ ବୁଝିଲେ ସେମାନଙ୍କୁ ନେତାମାନେ ଆଉ ଶୋଷଣ କରିପାରିବେ ନାହିଁ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରବୀନ୍ଦ୍ର ବରାଡ଼, ଅଜୟ ମହାନ୍ତି, ଦାମୋଦର ପ୍ରଧାନ, ସୁଶାନ୍ତ କୁମାର ପାତ୍ର, ଶିଶିର କୁମାର ଭଞ୍ଜ, ବିଜୟ କୁମାର ପରିଡ଼ଙ୍କ ସମେତ ବହୁଚାଷୀ ଯୋଗ ଦେଇଥିଲେ।