Categories: ଜାତୀୟ

ନବନିର୍ବାଚିତ ବିଏସପି ଏମ୍‌ପିଙ୍କୁ ସୁରକ୍ଷା ଦେବାକୁ ମନାକଲେ ସୁପ୍ରିମକୋର୍ଟ

ଲକ୍ଷ୍ନୌ,୨୭।୫: ଜଣେ ଛାତ୍ରୀଙ୍କୁ ବଳାତ୍କାର ମାମଲାରେ ବିଏସପିର ନବନିର୍ବାଚିତ ଏମ୍‌ପି ଅତୁଲ ରାୟଙ୍କୁ ସୁପ୍ରିମକୋର୍ଟରୁ ଝଟ୍‌କା ଲାଗିଛି। ଗିରଫଦାରୀରୁ ବର୍ତ୍ତିବା ପାଇଁ ହୋଇଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ସୋମବାର ଶୁଣାଣି କରିଛନ୍ତି। ଅତୁଲ ଗିରଫଦାରୀ ଉପରେ ସୁରକ୍ଷା ଦେବାକୁ କୋର୍ଟ ମନା କରିଦେଇଛନ୍ତି। ଫଳରେ ଯେକୌଣସି ମୁହୂର୍ତ୍ତରେ ପୁଲିସ ତାଙ୍କୁ ଗିରଫ କରିବା ସମ୍ଭାବନା ରହିଛି। ଉତ୍ତରପ୍ରଦେଶର ଘୋଶି ଲୋକ ସଭା ଆସନରୁ ଅତୁଲ ରାୟ ଚଳିତ ଥର ନିର୍ବାଚିତ ହୋଇଥିଲେ। ବାରଣାସୀର ଜଣେ ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ଗିରଫଦାରିକୁ ଏଡ଼ାଇବା ପାଇଁ ଅତୁଲ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଏବଂ ବିଚାରପତି ଅନିରୁଦ୍ଧ ବୋଷଙ୍କୁ ନେଇ ଗଠିତ ଅବସରକାଳୀନ ଖଣ୍ଡପୀଠ ପିଟିଶନର ଶୁଣାଣି କରିଛନ୍ତି। ଅଭିଯୁକ୍ତଙ୍କୁ ସୁରକ୍ଷା ଦିଆଯାଇପାରିବ ନାହିଁ ବୋଲି ବିଚାରପତି କହିଛନ୍ତି।

Share