ନବନିର୍ବାଚିତ ଏମ୍‌ପି ଏବଂ ବିଧାୟକଙ୍କ ପାଟଣା ଗସ୍ତ : ଲୋକଙ୍କ ନିକଟତର ହେବାକୁ କର୍ମୀଙ୍କୁ ପରାମର୍ଶ

ପାଟଣା,୬ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକର ବିଭିନ୍ନ ଅଞ୍ଚଳକୁ ନବନିର୍ବାଚିତ ପାଟଣା ବିଧାୟକ ଜଗନ୍ନାଥ ନାଏକ ଓ ଏମ୍‌ପି ଚନ୍ଦ୍ରାଣୀ ମୁର୍ମୁ ଗସ୍ତ କରିଛନ୍ତି। ନିର୍ବାଚିତ ହେବା ପରେ ଏହା ତାଙ୍କର ପ୍ରଥମ ପାଟଣା ଗସ୍ତ। ବ୍ଲକର ଖିରେଇଟାଙ୍ଗିରୀ ଠାରୁ ବିଧାୟକ ଓ ଏମ୍‌ପି ଗୁରୁବାର ବିଭିନ୍ନ ଅଞ୍ଚଳ ପରିକ୍ରମା କରିବା ପରେ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା। ବ୍ଲକ ସହକାରୀ ଯନ୍ତ୍ରୀ ପୁରୁଷୋତ୍ତମ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ନୂତନ ବ୍ଲକ ଅଧ୍ୟକ୍ଷା ଦାୟିତ୍ୱ ନେଇଥିବା ଲକ୍ଷ୍ମୀପ୍ରିୟା ବେହେରା, ବିଡିଓ ପ୍ରଫୁଲ ନାଏକ, ବିଜେଡି ବ୍ଲକ ସଭାପତି ତଥା ସାମାଜିକ କର୍ମୀ ମାଧବାନନ୍ଦ ପୃଷ୍ଟି, ବିଜେଡିର ବରିଷ୍ଠ ନେତା ମିତ୍ରଭାନୁ ମହାନ୍ତ, ନବକିଶୋର ପୃଷ୍ଟି, ପ୍ରଶାନ୍ତ ଭଞ୍ଜ, ଭାମାମଣି ଦାସ, ଜିଲାପରିଷଦ ସଭ୍ୟ, ବ୍ଲକର ସମସ୍ତ ସରପଞ୍ଚ, ସମିତି ସଭ୍ୟ ଓ ସାଧାରଣ ଜନତାଙ୍କ ପକ୍ଷରୁ ନବନିିର୍ବାଚିତ ବିଧାୟକ ଜଗନ୍ନାଥ ନାଏକ ଓ ଏମ୍‌ପି ଚନ୍ଦ୍ରାଣୀ ମୁର୍ମୁଙ୍କୁ ପୁଷ୍ପଗୁୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଛି। ପାଟଣା ବ୍ଲକ କାର୍ଯ୍ୟାଳୟରୁ ଉଭୟ ନେତା ଏକ ରୋଡ୍‌ ଶୋ’ରେ ବଜାର ପରିକ୍ରମା ପରେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀମାନଙ୍କୁ ଫଳ ବଣ୍ଟନ କରିଥିଲେ। ଏହା ପରେ ଉଭୟ ନେତା ପାଟଣା ବୈତରଣୀ ନଦୀ କୂଳରେ ବିଜେଡି କର୍ମୀମାନଙ୍କୁ ଲୋକଙ୍କ ନିକଟତର ହେବକୁ ପରାମର୍ଶ ଦେଇଥିଲେ।