Categories: ଜାତୀୟ

ନବଜାତ ଶିଶୁ କନ୍ୟାକୁ ନାଳରେ ଫୋପାଡିଲେ ମା’ ଉଦ୍ଧାର କଲା କୁକୁର

କୌଥଲ,୧୯।୭: ହରିୟାଣାର କୌଥଲରେ ଶିଶୁ କନ୍ୟାକୁ ଅଲୋଡା ଭାବି ଜନ୍ମିତ ମା’ ଫିଙ୍ଗି ଦେଇଛନ୍ତି ନାଳ ଭିତରକୁ। ସୂଚନା ଅନୁଯାୟୀ, କୌଥାଲରେ ଜଣେ ମହିଳା ଶିଶୁ କନ୍ୟାକୁ ଜନ୍ମ ଦେବାର ମାତ୍ର କେଇ ଘଣ୍ଟା ପରେ ପଲିଥିନରେ ଗୁଡାଇ ନାଳରେ ଫିଙ୍ଗି ଦେଇଥିଲେ। ହେଲେ ସେଠାରେ ଥିବା ଏକ କୁକୁର ପଲିଥିନକୁ ଉପରକୁ ଟାଣି ଆଣିବା ସହ ଭୁକିବାକୁ ଆରମ୍ଭ କରିଥିଲା। କୁକୁର ପଲିଥିନ ପାଖରେ ଠିଆ ହୋଇ ଭୁକୁଥିବା ଦେଖିବା ପରେ ସ୍ଥାନୀୟ ଲୋକେ ପଲିଥିନ ମଧ୍ୟରୁ ଏକ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରି ପୋଲିସ ସହାୟତାରେ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏବେ ଶିଶୁ କନ୍ୟାର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ବେଳେ ଡାକ୍ତର ଶିଶୁଟିର ଚିକିତ୍ସା ଜାରି ରଖିଥିବା ସୂଚନା ମିଳିଛି। ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା କଥା ହେଲା ଗୁରୁବାର ସକାଳେ ମହିଳା ଜଣକ ଶିଶୁଟିକୁ ନାଳରେ ଫୋପାଡିବା ପରେ କୁକୁରଟି ପଲିଥିନ ବାହାରକୁ ଆଣି ଭୋକିବାକୁ ଆରମ୍ଭ କରିଥିଲା। ଏହି ସମୟରେ ସେଠାରେ ଥିବା ମୁଖତାର ନାମକ ଜଣେ ବ୍ୟକ୍ତି ଛୋଟ ପିଲାଙ୍କ କାନ୍ଦଣା ଶୁଣି ପଲିଥିନ ନିକଟକୁ ଆସି ଦେଖିବାରୁ ସେଥିରେ ନବଜାତ ଶିଶୁଟି ବନ୍ଧା ହୋଇଥିବା ଦେଖାଯାଇଥିଲା। ଏହାପରେ ମୁଖତାର ପାଖ ପଡୋଶୀଙ୍କ ସହାୟତାରେ ପୋଲିସକୁ ଖବର ଦେଇ ଶିଶୁଟିକୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏ ସମସ୍ତ ଘଟଣା ନିକଟରେ ଲାଗିଥିବା ଏକ ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଯାଇଥିଲା।

Share