ନବଜାତ ଶିଶୁ ଇସାରାରେ କହିଥାନ୍ତି ନିଜ ସମସ୍ୟା

ନବଜାତ ଶିଶୁ କଥା କହିପାରି ନ ଥାନ୍ତି। ମାତ୍ର ସେମାନେ ନିଜର ଖୁସି ତଥା କଷ୍ଟକୁ ଇସାରାରେ ପ୍ରକାଶ କରିଥାନ୍ତି। ଶିଶୁ କାନ୍ଦିବାଠାରୁ ଆରମ୍ଭକରି ହାକୁଟିମାରିବା, ହାତ ପାଟିରେ ପୂରାଇବା ଆଦି କିଛି ସଙ୍କେତ ଦେଇଥାଏ। ତାହା କେବଳ ବୁଝିବାକୁ ହେବ ଯେ ଶିଶୁ କ’ଣ କହିବାକୁ ଚାହୁଁଛି। ଏହାଦ୍ୱାରା ଆପଣ ଶିଶୁର ସମସ୍ୟାକୁ ଅତି ସହଜରେ ଦୂର କରିପାରିବେ।

ଜାଣିବା ସେ ବିଷୟରେ:


ଶିଶୁ କାନ୍ଦିବା: ନବଜାତ ଶିଶୁ ସାଧାରଣତଃ କାନ୍ଦିଥାନ୍ତି। ତେବେ ଶିଶୁ କାନ୍ଦିବା ପଛରେ ଅନେକ କାରଣ ରହିଛି। ଯେମିତି କି ଭୋକ, ଡର ବା କଷ୍ଟ ଲାଗିବା ଆଦି। ମାତ୍ର ଶିଶୁକୁ କଷ୍ଟ ହେଲେ ସେମାନେ କାନ୍ଦିବା ସମୟରେ ଆଖି ବନ୍ଦ କରିଥାନ୍ତି। ହେଲେ ଭୋକ ହେଲେ ସେମାନେ ଆଖି ଖୋଲା ରଖି କାନ୍ଦିଥାନ୍ତି। ତେଣୁ ଶିଶୁର କାନ୍ଦିବା ପଛରେ କ’ଣ କାରଣ ରହିଛି ଆମକୁ ବୁଝିବାକୁ ହେବ।
ଜୋର୍‌ରେ ନିଃଶ୍ୱାସ-ପ୍ରଶ୍ୱାସ ନେବା: ନବଜାତ ଶିଶୁ ଜୋର୍‌ରେ ନିଃଶ୍ୱାସପ୍ରଶ୍ୱାସ ନେବା ପଛରେ ୨ଟି କାରଣ ରହିଛି। ଗୋଟିଏ ହେଉଛି ସେମାନେ ବହୁତ ଉତ୍ସାହିତ ଅଛନ୍ତି। ଅନ୍ୟଟି ହେଲା ଡରିଯାଇଛନ୍ତି। ଏହି ସମୟରେ ପିଲାକୁ ନିଜ ଛାତିରେ ଜାବୁଡ଼ି ଧରିବା ସହ ଇସାରାରେ ତା’ସହ କଥାବାର୍ତ୍ତା ହେବାକୁ ଚେଷ୍ଟା କରନ୍ତୁ।

ଗୋଡ଼କୁ ପେଟରେ ଲଗାଇ ରଖିବା: ବେଳେ ବେଳେ ଶିଶୁ ନିଜ ଗୋଡ଼କୁ ପେଟରେ ଲଗାଇ ଶୋଇଥାନ୍ତି। ଏହାର ଅର୍ଥ ଶିଶୁ ପାଚନ ସମସ୍ୟାରେ ପୀଡ଼ିତ ଥାଇପାରେ। ପେଟ ଦରଜ, କୋଷ୍ଠକାଠିନ୍ୟ ପରି ସମସ୍ୟା ହୋଇଥାଇ ପାରେ। ତେଣୁ ପିଲାକୁ କ୍ଷୀର ପିଆଇବା ପରେ ଏହି ଲକ୍ଷଣ ପୁନର୍ବାର ଦେଖାଦିଏ ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ।

ଗୋଡ଼ ଉପରକୁ ଉଠାଇ ହଲାଇବା: ନବଜାତ ଶିଶୁ ଉପରକୁ ଗୋଡ଼କରି ହଲାଇବା ସାମାନ୍ୟ କଥା। ମାତ୍ର ଏହା ପଛରେ ମଧ୍ୟ କାରଣ ରହିଛି। ଶିଶୁ ଅଧିକ ଖୁସିରେ ଏପରି କରିଥାଏ। ବେଳେବେଳେ କାନ୍ଦିବା ସମୟରେ ମଧ୍ୟ ଉପରକୁ ଗୋଡ଼କରି କାନ୍ଦିଥାଏ। ଶିଶୁ ଉପରକୁ ଗୋଡ଼କରି କାନ୍ଦିବା ଅର୍ଥ ସେ କୌଣସି ଅସୁବିଧାରେ ଥାଇପାରେ। ସେ ପରିସ୍ରା କରି କାନ୍ଦୁଥାଇପାରେ। ତେଣୁ ତୁରନ୍ତ ଶିଶୁର ପ୍ୟାଣ୍ଟ ବଦଳାଇ ଦେବା ଉଚିତ। ଯଦି ଖୁସିରେ ଶିଶୁଟି ଏପରି କରୁଥାଏ ତେବେ ଏଥିପାଇଁ ଅଧିକ ପ୍ରୋତ୍ସାହିତ କରନ୍ତୁ। କାରଣ ଏପରି କରିବା ଦ୍ୱାରା ପିଲାର ଗୋଡ଼ର ମାଂସପେଶୀ ବିକଶିତ ହେବ।

କାନ ଟାଣିବା: ଶିଶୁ ବାରମ୍ବାର କାନ ଟାଣିବା ଅର୍ଥ ସେ କାନ ସମ୍ବନ୍ଧୀୟ କୌଣସି ସମସ୍ୟାରେ ପଡ଼ିଥାଇପାରେ।

ଆଖି ମଳିବା: ଅଧିକାଂଶ ସମୟରେ ଶିଶୁ ଥକିଗଲେ ଅବା ନିଦ ଲାଗିଲେ ଆଖି ମଳିଥାଏ। ହେଲେ ନିଦରୁ ଉଠିବା ପରେ ଯଦି ଶିଶୁ ଆଖି ମଳୁଥାଏ ତେବେ ଆପଣ ପରୀକ୍ଷା କରାଇଦିଅନ୍ତୁ। ବେଳେ ବେଳେ ଆଖିରେ କିଛି ପଡ଼ିଗଲେ ଅବା ସଂକ୍ରମଣ ଯୋଗୁ ଶିଶୁ ଏପରି କରିଥାଏ।