ନପଙ୍ଗ ପଞ୍ଚାୟତ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା

ଭଣ୍ଡାରିପୋଖରୀ,୧୭ା୬(ଡି.ଏନ୍‌.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅଧୀନ ନପଙ୍ଗ ପଞ୍ଚାୟତକୁ ପ୍ରଶାସନ ପକ୍ଷରୁ ସୋମବାର କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ପଞ୍ଚାୟତର ଚଣ୍ଡୀମାତା ଉଚ୍ଚ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରୁ ୨ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ସଙ୍ଗରୋଧ କେନ୍ଦ୍ରରୁ ଜଣେ ଏବଂ ସଙ୍ଗରୋଧ ଅବଧିରୁ ବାହାରିବାର ୨ ଦିନ ପରେ ଆଉ ଜଣେ ଚିହ୍ନଟ ହୋଇଥିଲେ। ଗ୍ରାମର ଜଣେ ବ୍ୟକ୍ତି ଗତମାସ ୨୮ତାରିଖରେ କୋଲକାତାରୁ ଆସି ନପଙ୍ଗ ସଙ୍ଗରୋଧ କେନ୍ଦ୍ରରେ ଥିଲେ। ଗତ ୧୦ ତାରିଖରେ ତାଙ୍କର ସ୍ବାବ୍‌ ପରୀକ୍ଷା ପାଇଁ ନିଆଯାଇଥିଲା। ୧୧ ତାରିଖରେ ସଙ୍ଗରୋଧ ଅବଧି ସରିବା ପରେ ହୋମ୍‌ କ୍ୱାରାଣ୍ଟାଇନ୍‌କୁ ଯାଇ ବାହାରେ ବୁଲାବୁଲି କରିଥିଲେ। ଆକ୍ରାନ୍ତ ଦ୍ୱୟଙ୍କୁ କୋଭିଡ୍‌ ହସ୍ପିଟାଲ୍‌ ପଠାଯାଇଛି। ୧୪ ତାରିଖରେ ପଜିଟିଭ୍‌ ରିପୋର୍ଟ ଆସିବା ପରେ ପ୍ରଶାସନ ପକ୍ଷରୁ ନପଙ୍ଗ ପଞ୍ଚାୟତକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା ସହ ସଙ୍ଗରୋଧ କେନ୍ଦ୍ର ସହ ନପଙ୍ଗ ରାଜସ୍ବ ଗ୍ରାମକୁ ସମ୍ପୂଣ୍ଣର୍ର୍ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି।
ସୋମବାର ଅପରାହ୍ନରେ ସ୍ଥାନୀୟ ପୋଲିସ ପକ୍ଷରୁ ପଞ୍ଚାୟତର ବିଭିନ୍ନ ପ୍ରବେଶ ପଥକୁ ସିଲ୍‌ କରାଯିବା ସହ ଲୋକଙ୍କ ଯିବା ଆସିବା ଉପରେ ରୋକ ଲଗାଯାଇଛି। ଏହା ୧୪ ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ସମୟ ସୀମା ମଧ୍ୟରେ ପଞ୍ଚାୟତର ଜନସାଧାରଣ କେହି ବାହାରକୁ ନ ଯିବା ପାଇଁ ସରପଞ୍ଚ କାମିନିବାଳା ନାୟକ ଅନୁରୋଧ କରିଛନ୍ତି। କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଲୋକମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଉଥିବା ସରପଞ୍ଚ ପ୍ରତିନିଧି ଆକାଶ ନାୟକ ପ୍ରକାଶ କହିଛନ୍ତି। ନପଙ୍ଗ ରାଉତ ଓ ସାମଲସାହି ହଟସ୍ପଟ ଜୋନ ଓ ନପଙ୍ଗ ରାଜସ୍ବ ଗ୍ରାମକୁ କଣ୍ଟେନ୍‌ମେଣ୍ଟ ଜୋନ କରାଯାଇ ପୋଲିସ ଜଗିଛି। ଗ୍ରାମର ମାଲଦା-କେଲାପଦି, ସାତଗୋଛିଆ, ନପଙ୍ଗ ଦାଶସାହି ଛକ, ମାଲଦା ଗାଁ ପାଖ, ଧୋଳେଶ୍ୱର ମନ୍ଦିର ଛକ ରାସ୍ତାକୁ ସିଲ୍‌ କରାଯାଇଛି।