Categories: ଜାତୀୟ

ନନ୍ଦା ଦେବୀରୁ ଠାବ ହେଲା ୫ ମୃତଦେହ

ଡେରାଡୁନ,୩।୬: ଉତ୍ତରାଖଣ୍ଡର ନନ୍ଦାଦେବୀ ପର୍ବତରେ ବରଫ ସ୍ଖଳନ ଯୋଗୁ ନିଖୋଜ ଥିବା ୮ ପର୍ବତ ଆରୋହୀଙ୍କ ମଧ୍ୟରୁ ସୋମବାର ୫ ଜଣଙ୍କ ମୃତଦେହ ଠାବ କରାଯାଇଛି। ବାୟୁସେନା ପକ୍ଷରୁ ହେଲିକପ୍ଟର ଦ୍ୱାରା ଚାଲିଥିବା ସର୍ଚ୍ଚ ଅପରେସନ ବେଳେ ଏହାକୁ ଠାବ କରାଯାଇଥିଲା। ନନ୍ଦା ଦେବୀ ହେଉଛି ଭାରତର ଦ୍ୱିତୀୟ ଉଚ୍ଚତମ ପର୍ବତ। ଶୁକ୍ରବାର ୮ ଜଣ ପର୍ବତ ଆରୋହୀ ଏହା ଉପରକୁ ଚଢ଼ୁଥିବା ବେଳେ ବରଫ ସ୍ଖଳନ ହୋଇଥିଲା। ସେବେଠାରୁ ସେମାନେ ନିଖୋଜ ରହିଥିଲେ। ଏହି ନିଖୋଜ ପର୍ବତ ଆରୋହୀଙ୍କ ମଧ୍ୟରେ ୪ ଜଣ ବ୍ରିଟେନର ହୋଇଥିବା ବେଳେ ୨ ଜଣ ଆମେରିକାର ରହିଛନ୍ତି। ଏଥିସହ ଭାରତ ଓ ଅଷ୍ଟ୍ରେଲିଆର ଜଣେ ଲେଖାଏଁ ବ୍ୟକ୍ତି ରହିଥିବା ଜଣାପଡ଼ିଛି। ରବିବାର ଦିନ ପର୍ବତର ଦ୍ୱିତୀୟ ବେସ କ୍ୟାମ୍ପରୁ ଉଦ୍ଧାର ହୋଇଥିବା ପର୍ବତ ଆରୋହୀ ମାର୍କ ଟମାସ ସୋମବାର ବାୟୁସେନାର ହେଲିକପ୍ଟରରେ ଯାଇ ସର୍ଚ୍ଚ ଅପରେସନରେ ସାମିଲ ହୋଇଥିଲେ। ଏହି ସମୟରେ ଟମାସ କିଛି ସ୍ଥାନର ଫଟୋ ଉଠାଇଥିଲେ। ଏହି ଫଟୋରୁ ହିଁ ନିଖୋଜ ୮ ଜଣ ପର୍ବତ ଆରୋହୀଙ୍କ ମଧ୍ୟରୁ ୫ ଜଣଙ୍କ ମୃତଦେହ ଠାବ ହୋଇଥିଲା।

Share