ନନ୍ଦଳାରେ ଅଗ୍ନିକାଣ୍ଡ: ୪ ବଖରା ଭସ୍ମୀଭୂତ, ୨ ବଳଦ ଅର୍ଦ୍ଧଦଗ୍ଧ

କୃଷ୍ଣପ୍ରସାଦ, ୨୯।୧୦(ଡି.ଏନ୍‌.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ରାମଲେଙ୍କା ପଞ୍ଚାୟତ ନନ୍ଦଳାଗାଁରେ ସୋମବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୪ ବଖରା ଘର ପୋଡ଼ିଯାଇଛି। ଏଥିସହ ୨ଟି ବଳଦ ଅର୍ଦ୍ଧଦଗ୍ଧ ହୋଇଥିବା ଜଣାପଡ଼ିଛି।
ପ୍ରକାଶ ଯେ, ସବୁଦିନ ଭଳି ସୋମବାର ଶରତଚନ୍ଦ୍ର ସ୍ବାଇଁ ଗୁହାଳରେ ବଳଦ ବାନ୍ଧି ମଶାଦାଉରୁ ରକ୍ଷା ପାଇଁ ପାଳଧୂଆଁ ଦେଇଥିଲେ। ବିଳମ୍ବିତ ରାତିରେ ବଳଦ ପାଳକୁ ଭିଡିନେବାରୁ ନିଆଁ ଲାଗିଯାଇଥିଲା। ଗୁହାଳ ଘର ପୋଡ଼ି ଶୋଇବା ଘରେ ନିଆଁ ଲାଗିବାରୁ ପରିବାର ଲୋକେ ଜୀବନ ରକ୍ଷା ପାଇଁ ବାହାରକୁ ଧାଇଁଥିଲେ। ଦେଖୁ ଦେଖୁ ୪ ବଖରା ଘର ଜଳି ପାଉଁଶ ହୋଇଯାଇଛି। ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଜିନିଷ ପୋଡି ପାଉଁଶ ହୋଇଯାଇଛି ା ରାଜସ୍ବବିଭାଗ କ୍ଷତି ଆକଳନ କରି ଖାଦ୍ୟ, ବସ୍ତ୍ର, ପଲିଥିନ ଏବଂ ବାସଗୃହ ଯୋଗାଇଦେବାକୁ ଦାବି ହେଉଛି ା