ନନ୍ଦନକାନନକୁ ଚଡ଼କ: ଶେଷ ହେଲା ନୀଳଗିରି ବାନର ବଂଶ

ବାରଙ୍ଗ,୨୪।୯(ଡି.ଏନ.ଏ.): ଗତ କିଛିଦିନ ହେବ ନନ୍ଦନକାନନରେ ଦୁଃଖଦ ଘଟଣା ବଢ଼ିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ଜୀବଜନ୍ତୁ ଦିନକୁ ଦିନ କମିବାରେ ଲାଗିଛନ୍ତି। ରବିବାର ଗୋଟିଏ ବେଲେରା ମୂଷାର ମୃତ୍ୟୁ ହୋଇଥିବାବେଳେ ସୋମବାର ସକାଳେ ଏକ ମାଈ ନୀଳଗିରି ବାନରର ମୃତ୍ୟୁ ହୋଇଛି। ଏକମାତ୍ର ଥିବା ଏହି ନୀଳଗିରି ବାନରର ମୃତ୍ୟୁ ପରେ ଏମାନଙ୍କର ବଂଶ ଲୋପପାଇଛି। ଗତ ୨୦ତାରିଖରୁ ଏକୁଟିଆ ଥିବା ମାଈ ବାନରଟି ଅସୁସ୍ଥ ରହିଥିଲା। ଖାଇବା କମାଇବା ସହ ଫଳ ଆହର ସମ୍ପୂର୍ଣ୍ଣ ରୂପେ ତ୍ୟାଗ କରିଥିଲା। ଏପରିକି ଝାଡ଼ା ଓ ପରିଶ୍ରା ମଧ୍ୟ ହୋଇ ନ ଥିଲା। ସୁସ୍ଥଭାବେ ବିଚରଣ କରୁଥିବା ବାନରଟିର ହଠାତ ଏଭଳି ଅସୁସ୍ଥ ହୋଇପଡିବା ଘଟଣା ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଖବରପାଇ ନନ୍ଦନକାନନର ଡାକ୍ତରମାନେ ଆସି ତା’ର ଚିକିତ୍ସା ଆରମ୍ଭ କରିଥିଲେ ମଧ୍ୟ ସ୍ବାସ୍ଥ୍ୟରେ ଉନ୍ନତି ଘଟି ନ ଥିଲା। ଫଳରେ ବାନରକୁ ରବିବାର ଏନ୍‌କ୍ଲୋଜର ୬୮ରୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତରମାନଙ୍କ ନଜରବନ୍ଦିରେ ରଖି ଚିକିତ୍ସା ସତ୍ତ୍ୱେ ସୋମବାର ତା’ର ମୃତ୍ୟୁ ଘଟିଛି। ତେବେ ମୃତ୍ୟୁର କାରଣ ଜଣାପଡି ନାହିଁ। ଏମାନେ ପ୍ରାୟତଃ ଦକ୍ଷିଣଭାରତର ପଶ୍ଚିମଘାଟ ପର୍ବତମାଳାର ନୀଳଗିରି ପାହଡି ଜଙ୍ଗଲରେ ଦେଖାଯାଆନ୍ତି। ଚିକ୍କଣ, କଳାଲୋମଯୁକ୍ତ ଏହି ବାନରଟି ଦଳବଦ୍ଧ ହୋଇ ରହିବାକୁ ଭଲପାଇଥାଏ। ବର୍ଷର ଆରମ୍ଭ ଓ ଶେଷ ସମୟରେ ସନ୍ତାନ ଜନ୍ମ କରିବା ଏମାନଙ୍କର ବିଶେଷତ୍ୱ ରହିଥାଏ। ୨୦୧୭ ସେପ୍ଟେମ୍ବର ୨୬ରେ ଚେନ୍ନାଇରୁ ହଳେ ନୀଳଗିରି ବାନର ନନ୍ଦନକାନନକୁ ଆସିଥିଲା। ୩୧ ମେ ୨୦୧୯ରେ ଅଣ୍ଡିରା ବାନରଟି ମୃତ୍ୟୁ କରିଥିଲା। ସାଥୀ ହରାଇ ମାଈ ବାନରଟି ଏକାଥିବାବେଳେ ଏକ ଛୁଆ ଜନ୍ମ କରିଥିଲା। କିନ୍ତୁ ସେ ମଧ୍ୟ ଅଳ୍ପଦିନ ମଧ୍ୟରେ ମୃତ୍ୟୁ କରିଥିଲା। ସେହିଦିନଠାରୁ ମାଈ ବାନରଟି ଏକୁଟିଆ ଥିଲେ ମଧ୍ୟ ବେଶି ଦିନ ବଞ୍ଚତ୍ପାରି ନ ଥିଲା।