Categories: ଜାତୀୟ

ନଡ୍ଡା ହେବେ ଭାଜପା ଅଧ୍ୟକ୍ଷ

ନୂଆଦିଲ୍ଲୀ,୩୦ା୫(ଆଇଏଏନ୍‌ଏସ୍‌): ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମୋଦିଙ୍କ କ୍ୟାବିନେଟ୍‌ରେ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ଗ୍ରହଣ କରିବାକୁ ଯାଉଥିବାବେଳେ ଦଳର ସାଙ୍ଗଠନିକ ଦାୟିତ୍ୱ ବରିଷ୍ଠ ଭାଜପା ନେତା ଜେ. ପି. ନଡ୍ଡାଙ୍କ ଉପରେ ନ୍ୟସ୍ତ କରାଯିବ ବୋଲି ଜଣାପଡ଼ିଛି। ୫୫ ବର୍ଷୀୟ ନଡ୍ଡା ଜଣେ ବ୍ରାହ୍ମଣ ଓ ରାଜ୍ୟ ସଭା ସାଂସଦ। ଦଳର ଜଣେ ବିଶିଷ୍ଟ କୂଟନୀତିଜ୍ଞଭାବେ ନଡ୍ଡା ଜଣାଶୁଣା। ୟୁପି ନିର୍ବାଚନ ଦାୟିତ୍ୱ ନେଇଥିବା ନଡ୍ଡାଙ୍କୁ ସଫଳତା ମିଳିଥିଲା। ଦଳ ଏଠାରୁ ମୋଟ ୮୦ରୁ ୬୨ ଆସନ ଜିତିବାରେ ସଫଳ ହେଲା।
ସେଣ୍ଟ ଜାଭିୟର୍ସ ସ୍କୁଲରେ ଶିକ୍ଷାଲାଭ କରିବା ପରେ ସେ ପାଟ୍‌ନା କଲେଜ୍‌ରେ ବିଏ ଓ ହିମାଚଳ ପ୍ରଦେଶ ବିଶ୍ୱବିଦ୍ୟାଳୟରେ ଏଲ୍‌ଏଲ୍‌ବି କରିଥିଲେ। ହିମାଚଳ ପ୍ରଦେଶରେ ୩ ଥର ବିଧାୟକ ହେବା ପରେ ରାଜ୍ୟ ସଭାକୁ ଆସିଥିଲେ। ୨୦୧୪ରେ ମୋଦି କ୍ୟାବିନେଟରେ ସେ ସ୍ବାସ୍ଥ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ। ଏବେ ଶାହଙ୍କ ପରେ ତାଙ୍କୁ ଦଳର ସାଙ୍ଗଠନିକ ଦାୟିତ୍ୱ ବୁଝିବାକୁ ପଡ଼ିବ। ଆଗକୁ ତାଙ୍କ ପାଇଁ ଅନେକ ଚ୍ୟାଲେଞ୍ଜ ଥିବାବେଳେ ଭାଜପାର ‘ଅପରେଶନ ସାଉଥ୍‌’, ସେପ୍ଟେମ୍ବରରେ ହେବାକୁ ଥିବା ମହାରାଷ୍ଟ୍ର, ଝାଡ଼ଖଣ୍ଡ, ହରିୟାଣା ବିଧାନସଭା ଭୋଟ ସହ ଦଳୀୟ ରଣନୀତି ଓ ସଙ୍ଗଠନ ତାଙ୍କ ପାଇଁ ଚ୍ୟାଲେଞ୍ଜ୍‌ ସୃଷ୍ଟିକରିବ ବୋଲି କୁହାଯାଉଛି।

Share