ନଟି ବରୁଣ

ବଲିଉଡ୍‌ର ୟଙ୍ଗ ସେନସେଶନ ବରୁଣ ଧାଓ୍ବନ। ଆଗଧାଡିର ନିର୍ଦ୍ଦେଶକ ଡେଭିଡ ଧାଓ୍ବନଙ୍କ ପୁଅ ହେଲେ ମଧ୍ୟ ଅଭିନେତା ଭାବରେ ସେ ନିଜ ଗୋଡ଼ରେ ନିଜେ ଠିଆ ହେବାକୁ ପସନ୍ଦ କରନ୍ତି। ପିଲାଦିନେ ସେ ଭାରି ଦୁଷ୍ଟ ଥିଲେ। ସ୍କୁଲରେ ପଢ଼ିବା ସମୟରେ ସାଙ୍ଗ ପିଲମାନଙ୍କୁ ଚିଡାଇବା ତାଙ୍କର ଏକ ଅଭ୍ୟାସ ଥିଲା। ପିଲାଦିନେ ପାଠପଢ଼ା ପ୍ରତି ଆଗ୍ରହ ରଖିବା ପାଇଁ ତାଙ୍କର ବାପା-ମା’ଙ୍କୁ ବେଶ୍‌ ପରିଶ୍ରମ କରିବାକୁ ପଡିଥିଲା। ଇଂଲଣ୍ଡର ନଟିଂହାମ ଟ୍ରେଣ୍ଟ ୟୁନିଭର୍ସିଟିରୁ ସେ ବିଜ୍‌ନେସ ମ୍ୟାନେଜମେଣ୍ଟରେ ଡିଗ୍ରୀ ହାସଲ କରିଛନ୍ତି। ସେଠାରେ ଏକ୍‌ଷ୍ଟ୍ରା ପକେଟମନି ପାଇଁ ସେ ଲିଫଲେଟ ଡିଷ୍ଟ୍ରିବ୍ୟୁଟର ଭାବରେ କିଛିଦିନ କାମ କରିଥିଲେ। ବଲିଉଡ୍‌ରେ ବରୁଣ ଜଣେ ସହନିର୍ଦ୍ଦେଶକ ଭାବରେ ଏଣ୍ଟ୍ରି କରିଥିଲେ। କରନ ଜୋହରଙ୍କ ‘ମାଇଁ ନେମ୍‌ ଇଜ୍‌ ଖାନ୍‌’ରେ ସେ ଏପରି ଦାୟିତ୍ୱକୁ ବେଶ୍‌ ସୁଚାରୂ ରୂପେ ତୁଲାଇଥିଲେ। ନିଜ ଉପରେ ବିଶ୍ୱାସ ରଖି ସେ ‘ଷ୍ଟୁଡେଣ୍ଟ ଅଫ ଦ ଇୟର’ ପାଇଁ ଅଡିଶନ ଦେଇଥିଲେ ଏବଂ ସେଥିରେ ସେ ଉତ୍ତୀର୍ଣ୍ଣ ହୋଇ ହିନ୍ଦୀ ସିନେମାରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ପିଲାଦିନେ ତାଙ୍କର ସବୁଠାରୁ ପସନ୍ଦ ଅଭିନେତା ଥିଲେ ଗୋବିନ୍ଦା। ତାଙ୍କ ଅଭିନୀତ ପ୍ରାୟ ସମସ୍ତ ଫିଲ୍ମ ସେ ଦେଖିଛନ୍ତି। ବର୍ତ୍ତମାନ ବରୁଣଙ୍କ ଅଭିନୀତ ‘ଷ୍ଟ୍ରିଟ୍‌ ଡ୍ୟାନ୍ସର’ ଏବଂ ‘କୁଲି ନଂ ଓ୍ବାନ’ ରିଲିଜ୍‌ ଅପେକ୍ଷାରେ ରହିଛି।

Share