ପୂର୍ବତନ ନଗରପାଳଙ୍କ ଶବାଧାରରେ କାନ୍ଧ ଦେଲେ ମନ୍ତ୍ରୀ

ଆଠଗଡ଼,୨।୧୧(ସ୍ବ.ପ୍ର.): ମୃତଦେହକୁ କାନ୍ଧ ଦେଲେ ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ପୂର୍ବତନ ନଗରପାଳ ପ୍ରମଥ ଚନ୍ଦ୍ର ମିଶ୍ରଙ୍କ ଶନିବାର ସକାଳେ ପରଲୋକ ଘଟିଥିଲା। ଏହି ଖବର ପ୍ରଚାରିତ ହେବା ପରେ ଆଠଗଡ଼ର ସମସ୍ତ ଦେକାନବଜାରକୁ ବନ୍ଦ କରାଯାଇଥିଲା। ଖବରପାଇ ମନ୍ତ୍ରୀ ମଧ୍ୟ ପହଞ୍ଚି  ଶବାଧାରରେ କାନ୍ଧ ଦେଇ ତଳ ସାହି, ରଥଗଡ଼ା, ମହାମାୟା ସ୍କୁଲ, ଆଠଗଡ଼ କୋର୍ଟ, ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ, ଟ୍ୟାକ୍ସି ଷ୍ଟାଣ୍ଡ, ଚାନ୍ଦବାଲି ଛକ ବଜାର, ଲକ୍ଷ୍ମୀବଜାର, ଗୋପବନ୍ଧୁ ଛକ ବଜାର, ଦୁର୍ଗା ବଜାର, ଗଦା ସାହି ଆଦି ସ୍ଥାନକୁ ନେଇଥିଲେ। ସେଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ପରେ ଆଠଗଡ଼ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ପ୍ରମଥଙ୍କ ବିୟୋଗକୁ ନେଇ ମନ୍ତ୍ରୀଙ୍କ ସମେତ ଆଠଗଡ଼ ଉପଜିଲାପାଳ ଅମିୟ କୁମାର ସାହୁ, ପୂର୍ବତନ ନଗରପାଳ ପର୍ଶୁରାମ ସାହୁ, ରମେଶ ଚନ୍ଦ୍ର ଘଡେଇ, ସୁବର୍ଣ୍ଣ ମଞ୍ଜରୀ ଭଞ୍ଜ,ସୁଚିତ୍ରା ସାହୁ, ଲଳିତ ମୋହନ ନାୟକ, ଆଠଗଡ଼ ବାର୍‌ ଆସୋସିଏଶନର ସମସ୍ତ କର୍ମକର୍ତ୍ତା, ଟ୍ୟାକ୍ସି ଷ୍ଟାଣ୍ଡର ସମସ୍ତ କର୍ମକର୍ତ୍ତାଙ୍କ ସମେତ ସମସ୍ତ ସାହି ଏବଂ ବିଭିନ୍ନ ଦଳୀୟ ନେତାମାନେ ଶୋକ ପ୍ରକାଶ କରିଛନ୍ତି।