ନକଲି ପ୍ରଦୂଷଣ ଯାଞ୍ଚ ପ୍ରମାଣପତ୍ର କାରବାର: ୩ ଗିରଫ

ରାଇରଙ୍ଗପୁର,୯।୯(ଡି.ଏନ.ଏ.)-ନୂଆ ମୋଟର ଯାନ ଆଇନ ଲାଗୁ ପରେ ବିଭିନ୍ନ ଗାଡିର ନକଲି ପ୍ରମାଣପତ୍ର କାରବାର ବୃଦ୍ଧି ପାଇଛି। ଗାଡି ଚାଳକଙ୍କୁ ନକଲି ପ୍ରଦୂଷଣ ଯାଞ୍ଚ ପ୍ରମାଣପତ୍ର ଯୋଗାଇବା ଅଭିଯୋଗ କ୍ରମେ ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ମଡେଲ ଥାନା ପୋଲିସ ଚଢାଉ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏ ନେଇ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।
ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ବାଇକ ଲାଗି ୫ ହଜାର ଏବଂ ୪ ଚକିଆ ଯାନ ଲାଗି ୧୦ ହଜାରଟଙ୍କା ଜରିମାନା ଆଦାୟ କରାଯାଉଥିବାରୁ ଗାଡିଚାଳକମାନେ ବିଭିନ୍ନ ପ୍ରଦୂଷଣଯାଞ୍ଚ କେନ୍ଦ୍ରରେ ଭିଡ ଜମାଉଛନ୍ତି। ଏହାର ସୁଯୋଗ ନେଇ ମୟୂରଭଞ୍ଜ ଜିଲାରେ ଲୋକଙ୍କୁ ନକଲି ପ୍ରମାଣପତ୍ର ଯୋଗାଇ ଅର୍ଥ ରୋଜଗାର କରାଯିବା ଘଟଣା ପଦାକୁ ଆସିଛି। ପୋଲିସ ଏ ସଂକ୍ରାନ୍ତରେ ସୂଚନା ପାଇବା ପରେ ଚଢାଉ କରି ସ୍ଥାନୀୟ ବିକାଶନଗର ବସ୍ତି ଅଞ୍ଚଳରୁ ରୂପକ କୁମାର ମହାନ୍ତ, ଦୁର୍ଗାଚରଣ ମହାନ୍ତ ଏବଂ ବହଳଦା ଥାନା ତିଖିଆ ଗ୍ରାମର ସିପୁନ ମହାନ୍ତଙ୍କୁ ଗିରଫ କରିଛି। ସେମାନେ ନକଲି ସାର୍ଟିଫିକେଟ ଦେବା ଲାଗି ବ୍ୟବହାର କରୁଥିବା ଏକ କମ୍ପ୍ୟୁଟର ଓ ବିଭିନ୍ନ କାଗଜପତ୍ର ଜବତ କରାଯାଇଛି। ଅଭିଯୁକ୍ତମାନେ ମହୁଲଡିହା ବସ୍ତି ଅଞ୍ଚଳରେ ଏକ ଘରେ କାଉଣ୍ଟର ଖୋଲି ବିଭିନ୍ନ ଯାନବାହନ ସକାଶେ ପ୍ରଦୂଷଣ ଯାଞ୍ଚ ପ୍ରମାଣପତ୍ର ଯୋଗାଥିଲେ। ସେମାନେଅନେକ ଗାଡି ଚାଳକଙ୍କୁ ନକଲି ପ୍ରମାଣପତ୍ର ଦେଇ ଠକିଥିବା ସନ୍ଦେହ କରି ଯାଞ୍ଚ କରାଯାଉଛି ବୋଲି ମଡେଲ ଥାନା ଅଧିକାରୀ ରଞ୍ଜନ କୁମାର ସେଠୀ ସୂଚନା ଦେଇଛନ୍ତି।