ଧାମରାରେ କେନ୍ଦ୍ରୀୟ ପ୍ରତିନିଧି ଦଳ

ଚାନ୍ଦବାଲି,୧୫।୧୧(ଡି.ଏନ୍‌.ଏ.): ସାମୁଦ୍ରିକ ଝଡ଼ ‘ବୁଲ୍‌ବୁଲ୍‌’ପ୍ରଭାବରେ ଭଦ୍ରକ ଜିଲାର ଉପକୂଳବର୍ତ୍ତୀ ଅଞ୍ଚଳ ଚାନ୍ଦବାଲି ଓ ଧାମରାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏ ନେଇ କ୍ଷୟକ୍ଷତିର ଆକଳନ ଲାଗି ୮ ଜଣିଆ କେନ୍ଦ୍ରୀୟ ଟିମ୍‌ ଗୁରୁବାର ଧାମରା ଗସ୍ତ କରିଥିଲେ। ରାତିରେ ଧାମରାରେ ରହି ଶୁକ୍ରବାର ସକାଳୁ ସେମାନେ ଦୁଇଟି ଦଳରେ ବିଭକ୍ତ ହୋଇ ଗୋଟିଏ ଦଳ ଧାମରାର ଦୋସିଙ୍ଗା ଗ୍ରାମପଞ୍ଚାୟତର କେତେକ ଅଞ୍ଚଳ ପରିଦର୍ଶନ କରିଛନ୍ତି । ଅନ୍ୟ ଏକ ଦଳ ବାସୁଦେବପୁର ବ୍ଲକ ଗସ୍ତ କରିଛନ୍ତି । ଏହି ପରିଦର୍ଶନ ସମୟରେ ସେମାନେ ସ୍ଥାନୀୟ ଲୋକ ଓ ପ୍ରଶାସନିକ ଅଧିକାରୀଙ୍କ ସହିତ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିଛନ୍ତି । ମଧ୍ୟାହ୍ନରେ ସେମାନେ କେନ୍ଦ୍ରାପଡ଼ା ଜିଲା ଗସ୍ତରେ ଯାଇଛନ୍ତି ।