ଧାନ ରଖି ଚାଷୀଙ୍କ ରାସ୍ତା ଅବରୋଧ

ଖପ୍ରାଖୋଲ, ୭ା୬ (ଡି.ଏନ.ଏ.) : ବଲାଙ୍ଗୀର ଜିଲା ଖପ୍ରାଖୋଲ ପ୍ୟାକ୍ସରେ ଚଳିତ ରବିଋତୁରେ ଧାନ କିଣିବାକୁ କମ୍‌ ଟାର୍ଗେଟ ଥିବା ନେଇ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଶୁକ୍ରବାର ପ୍ୟାକ୍ସର ଅସ୍ଥାୟୀ ମଣ୍ଡି ବଡଗୁର୍ଜିଭଟାଠାରେ ଧାନ ରଖି ସେମାନେ ରାସ୍ତା ଅବରୋଧ କରି ଧାରଣା ଦେଇଥିଲେ ା ଫଳରେ ଖପ୍ରାଖୋଲ-ଲାଠୋର ମୁଖ୍ୟ ରାସ୍ତାରେ ଦୀର୍ଘ ସମୟ ଧରି ଯାତାୟାତ ବନ୍ଦ ରହିଥିଲା। ଶହଶହ ଗାଡି ମୋଟର ରାସ୍ତାର ଦୁଇପାର୍ଶ୍ୱରେ ଅଟକି ରହିଥିଲା। ଖପ୍ରାଖୋଲ ଥାନା ଅଧିକାରୀ ଜ୍ୟୋତିରଞ୍ଜନ ପତି, ଅତିରିକ୍ତ ତହସିଲଦାର ଜୟନ୍ତ କୁମାର ସାହୁ, ଯୋଗାଣ ନିରୀକ୍ଷକ ରାଜରାମ ହୋତା, ପ୍ୟାକ୍ସ ସଭାପତି ନରେନ୍ଦ୍ର ଭୋଇ, ସମ୍ପାଦକ ଶ୍ରୀପତୀ ଭୋଇ ପ୍ରମୁଖ ଗଟଣାସ୍ଥଳରେ ପହଞ୍ଚି ଚାଷୀଙ୍କୁ ବୁଝାଶୁଝା କରିଥିଲେ। ସମସ୍ୟାର ସମାଧାନ ନ ହେବା ଯାଏ ଆନ୍ଦୋନ ଜାରି ରହିବ ବୋଲି ଆନ୍ଦୋଳନରତ ଚାଷୀମାନେ ଅଡି ବସିଥିଲେ। ଖବର ପାଇ ପାଟଣାଗଡ ନବନିର୍ବାଚିତ ବିଧାୟକ ସରୋଜ ମେହେର ଧାରଣାସ୍ଥଳରେ ପହଞ୍ଚିଥିଲେ। ସମସ୍ୟା ଶୁଣିଲା ପରେ ଆଗାମୀ ୧୨ ତାରିଖ ମଧ୍ୟରେ ଉପତ୍ାଦିତ ଧାନ ବିକ୍ରି ପାଇଁ ବ୍ୟବସ୍ଥା କରିବାର ନିର୍ଭର ପ୍ରତିଶ୍ରୁତି ଦେବା ପରେ ଅପରାହ୍ନ ପ୍ରାୟ ୧ଟାରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ା ସୂଚନାଯୋଗ୍ୟ ଯେ, ଖପ୍ରାଖୋଲ ପ୍ୟାକ୍ସ ଅଞ୍ଚଳରେ ଚାଷୀ ୧୦ ହଜାର କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଧାନ ବିକ୍ରି ପାଇଁ ଅନଲାଇନ ପଞ୍ଜୀକରଣ କରିଥିବାବେଳେ ଯୋଗାଣ ବିଭାଗ ତରଫରୁ ମାତ୍ର ୫୪୫ କୁଇଣ୍ଟାଲ ଧାନ କିଣିବାକୁ ଟାର୍ଗେଟ ରହିଛି ା ଯାହାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇ ଶେଷରେ ଆନ୍ଦୋଳନର ରୂପ ନେଇଥିଲା ା ଆନ୍ଦୋଳନର ନେତୃତ୍ୱ ନୀଳାମ୍ବର ବିଶ୍ୱାଳ, ଜଳନ୍ଧର ପଧାନ, ଚୂଡାମଣି ସାହୁ, ଲୋକନାଥ ବିଶ୍ୱାଳ, ତରଣୀସେନ ସାହୁ, ଗଣେଶ ସାହୁ, ବୃନ୍ଦାବନ ବାରିକ, ତରଣୀ ବିଶ୍ୱାଳ, ରଘୁରାଜ ପଧାନ, ଫକିର ବିଶ୍ୱାଳ ପ୍ରମୁଖ ଚାଷୀ ନେଇଥିଲେ ା