ଧାନ ମଣ୍ଡିରେ ଅବ୍ୟବସ୍ଥା: ଚାଷୀଙ୍କ ରାସ୍ତାରୋକୋ

ଚନ୍ଦାହାଣ୍ଡି,୨୭।୧(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକରେ ଧାନ ମଣ୍ଡିରେ ଅବ୍ୟବସ୍ଥା ନେଇ ସୋମବାର ଚାଷୀ ଉମରକୋଟ ମାଲଗାଁ ରାଜ୍ୟ ରାଜପଥରେ ଧାନବସ୍ତା ରଖି ଧାରଣା ଦେଇଛନ୍ତି। ବ୍ଲକ କଂଗ୍ରେସ ସମ୍ପାଦକ କ୍ଷେମରାଜ ବାଗଙ୍କ ନେତୃତ୍ୱରେ ଧୋଡିପାଣି ଅନ୍ତର୍ଗତ ବହୁଚାଷୀ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଖବରପାଇ ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ, ତହସିଲଦାର ହୃଦାନନ୍ଦ ସିଂ ମାଝି, ବ୍ଲକ ଯୋଗାଣ ଅଧିକାରୀ ଦେବେନ୍ଦ୍ର ସେଠିଆ ଏବଂ ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରଶାସନ ପକ୍ଷରୁ ଲିଖିତ ଅଭିଯୋଗ ପରେ ରାସ୍ତାରୋକୋ ହଟିଛି।
ସୂଚନାଯୋଗ୍ୟ, ଚଳିତ ଖରିପ ଋତୁରେ ବିଭିନ୍ନ ମଣ୍ଡିରେ ଶହ ଶହ କୁଇଣ୍ଟାଲ ଧାନ ପଡ଼ି ରହିଛି। ଏଯାବତ୍‌ ବହୁ ଚାଷୀଙ୍କ ନାମ ପଞ୍ଜୀକୃତ ନ ହୋଇ ଟୋକନ ଆସୁ ନ ଥିବା ବେଳେ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛନ୍ତି। ଏ ନେଇ ଅସନ୍ତୋଷ ବୃଦ୍ଧି ପାଇ ଏହି ଆନ୍ଦୋଳନ ହୋଇଛି।