ଧାନ ଫସଲରେ ହଳଦୀଗୁଣ୍ଡି ପୋକ: ଚିନ୍ତାରେ ଚାଷୀ

ଭାପୁର,୧୮ା୧୦(ଡି.ଏନ୍‌.ଏ.): ନୟାଗଡ଼ା ଜିଲା ଭାପୁର ବ୍ଲକ ଅଞ୍ଚଳରେ ସମ୍ପ୍ରତି ଧାନ ଫସଲରେ ପୋକ ଚାଷୀମାନଙ୍କୁ ଚିନ୍ତାରେ ପକାଇଛି। ବ୍ଲକରେ ଥିବା ୧୦ ହଜାର ଏକର ଚାଷଜମି ମଧ୍ୟରୁ ୭ ହଜାର ଏକର ଜମିରେ ଧାନଚାଷ ହୋଇଥିବାବେଳେ ୩ ହଜାର ଏକରରୁ ଊର୍ଦ୍ଧ୍ୱ ଜମି ପଡ଼ିଆ ପଡ଼ିଛି। ଅଧିକାଂଶ ଜମିରେ ସରକାରୀ ଧାନ ଚାଷ ହୋଇଛି। ହେଲେ ଥୋଡ଼ ହେବା ପୂର୍ବରୁ ଧାନ ଫସଲରେ ପୋକ ଲାଗିଛନ୍ତି। ହଳଦୀଗୁଣ୍ଡି, କାଣ୍ଡବିନ୍ଧା, ରଙ୍ଗି ପୋକ ଲାଗି ଧାନଗଛ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଉଛି। ଏ ବର୍ଷ ଭଲ ବର୍ଷା ହୋଇଥିବାରୁ ବିଳମ୍ବରେ ବେଉଷଣ ହୋଇଥିଲେ ମଧ୍ୟ ଧାନ ଫସଲ ଭଲ ହୋଇଥିଲା। ମାତ୍ର ପୋକ ଲାଗି ଧାନ ଫସଲ ନଷ୍ଟ ହେଉଥିବାରୁ ଚାଷୀଙ୍କ ମୁଣ୍ଡରେ ଏକପ୍ରକାର ଚଡକ ପଡିଛି। ଭାପୁର ପଞ୍ଚାୟତ ଖଇରଗାଡ଼ିଆ ଗ୍ରାମର ଅନ୍ତର୍ଯ୍ୟାମୀ ମହାପାତ୍ର କହିବା ପ୍ରକାରେ ତାଙ୍କର ୨ ଏକର ଜମିରେ ପୋକ ଲାଗି ୨୦ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ଧାନ ଫସଲ ଉଜୁଡ଼ିଯାଇଛି। ଏ ବିଷୟରେ ଭାପୁର କୃଷି ଅଧିକାରୀ ପ୍ରଦୀପ ପଟ୍ଟନାୟକ କୁହନ୍ତି, ଘଟଣା ନେଇ ତାଙ୍କୁ କେହି ଜଣାଇନାହାନ୍ତି। ତଥାପି ସେ ଶୁକ୍ରବାର ସର୍‌ଜମିନ ତଦନ୍ତ କରିବେ ବୋଲି କହିଥିଲେ।