ଧାନକିଣା କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ଜିଲାପାଳ

ଦେବଗଡ଼, ୫।୧୨(ଡ଼ି.ଏନ୍‌.ଏ.)- ଗତ ନଭେମ୍ବର ୧୦ ତାରିଖରେ ଅନୁଷ୍ଠିତ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକର ନିଷ୍ପତିମତେ ଶୁକ୍ରବାରଠାରୁ ଦେବଗଡ ଜିଲାରେ ଚାଷୀଙ୍କଠାରୁ ୨୦୨୦-୨୧ ଖରିଫ୍‌ ବର୍ଷ ନିମନ୍ତେ ଧାନକିଣା ଆରମ୍ଭ କରାଯାଇଛି। ବାରକୋଟ ବ୍ଲକ ଅନ୍ତର୍ଗତ କାଦୋପଡା ପ୍ରାଥମିକ କୃଷି ସମବାୟ ସମିତି ପରିସରରେ ଜିଲାପାଳ ସୁଧାଂଶୁ ମୋହନ ସାମଲ ଆନୁଷ୍ଠାନିକ ଭାବେ ଧାନକିଣା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। କୋଭିଡ- ୧୯ ନିୟମ ଅନୁପାଳନ ପୂର୍ବକ ପ୍ରଥମ ଦିବସରେ ୧୦ଜଣ ଚାଷୀଙ୍କଠାରୁ ୩୮୩.୬୦ କୁଇଣ୍ଟାଲ (୮୦୧ବସ୍ତା) ଧାନ କ୍ରୟ କରାଯାଇଥିବା ଜଣାଯାଇଛି। ଏହି ଧାନ ମଣ୍ଡି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗାଣ ଅଧିକାରୀ ଗଣେଶ୍ୱର ଚୌଧୁରୀ, ଏଆରସିଏସ. ନିମାଇଁ ଚରଣ ନାଏକ, ଅତିରିକ୍ତ ଏସିଏସଓ ବିଜୟ ବାରିକ, ଏସିଏସଓ ବିରେନ୍ଦ୍ର ସୋରେନ, କାଦୋପଡା ପ୍ରାଥମିକ କୃଷି ସମବାୟ ସମିତି ସମ୍ପାଦକ ଚନ୍ଦ୍ରଶେଖର ସାହୁ, ଚାଷୀ ପ୍ରତିନିଧି ପ୍ରମୋଦ ଝାଙ୍କର, ଯଜାତି କିଶୋର ବିଶ୍ୱାଳ, ଭୂପେନ୍ଦ୍ର ନାଏକଙ୍କ ସମେତ କ୍ୱାଲିଟି ଆନାଲିଷ୍ଟ, ଯୋଗାଣ ନିରୀକ୍ଷକ, ସ୍ଥାନୀୟ ମିଲର ଏବଂ ଯୋଗାଣ ବିଭାଗ ଓ ନିୟନ୍ତ୍ରିତ ବଜାର କମିଟିର କର୍ମକର୍ତ୍ତାଗଣ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ଜିଲାରେ ୨୯ଟି ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ୪୦ଟି ମଣ୍ଡିରେ ଚାଷୀଠାରୁ ଧାନକ୍ରୟ କରାଯିବା ନିମନ୍ତେ ଜିଲାସ୍ତରୀୟ ଧାନକିଣା କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି।