ଧଳାବାଘ ‘ସମ୍ରାଟ’ ଅସୁସ୍ଥ

ବାରଙ୍ଗ,୨୭ା୬(ଡି.ଏନ୍‌.ଏ.): ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଅନ୍ୟତମ ଆକର୍ଷଣ ଧଳାବାଘ ସମ୍ରାଟ ଅସୁସ୍ଥ ହୋଇପଡ଼ିଛି। ତା’ର ପିଠି ବଙ୍କା ହୋଇରହିବା ସହ ସେ ଛୋଟେଇ ଛୋଟେଇ ଚାଲୁଛି। ଗତ ୩ମାସ ଧରି ଏହାର ନିରାକରଣ ଲାଗି ଡାକ୍ତରମାନେ ପ୍ରଚେଷ୍ଟା କରିଆସୁଥିଲେ ମଧ୍ୟ କିଛି ସୁଫଳ ମିଳୁନି, ଯାହାକି ନନ୍ଦନକାନନ ପାଇଁ ଚିନ୍ତାର ବିଷୟ ହୋଇଛି। ନନ୍ଦନକାନନ କର୍ତ୍ତୃପକ୍ଷ ଏ ବିଷୟରେ ଓୟୁଏଟି ବିଶେଷଜ୍ଞମାନଙ୍କ ସହ ଆଲୋଚନା କରିବା ପରେ ସେଠାରୁ ଏକ ଟିମ୍‌ ଗୁରୁବାର ନନ୍ଦନକାନନ ଆସିବାକୁ କହିଛନ୍ତି। ଏହି ଟିମ୍‌ ସମ୍ରାଟର ସ୍ବାସ୍ଥ୍ୟାବସ୍ଥା ପରଖି ଡାକ୍ତରଖାନାରେ ଏକ୍ସ-ରେ କରିବେ। ଏଥିପାଇଁ ତାକୁ ୩୩ନଂ. ଏନ୍‌କ୍ଲୋଜରରୁ ଡାକ୍ତରଖାନା ନେବା ପାଇଁ ବୁଧବାର ଅପରାହ୍ନରେ ପ୍ରାଣୀ ବିଭାଗ ପକ୍ଷରୁ ଉଦ୍ୟମ ହୋଇଥିଲା। ଏନ୍‌କ୍ଲୋଜରରୁ ଜନ୍ତାରେ ପୂରାଇବା ପାଇଁ କର୍ମଚାରୀମାନଙ୍କୁ ନାକେଦମ୍‌ ହେବାକୁ ପଡ଼ିଥିଲା। ତଥାପି ସମ୍ରାଟ ଧରାଦେଇ ନ ଥିଲା। ଗୁରୁବାର ଏହାକୁ ଡାକ୍ତରଖାନା ଅଣାଯିବ ବୋଲି ଜଣାପଡ଼ିଛି। ସୂଚନାଥାଉ କି, ୨୦୧୦ ମାର୍ଚ୍ଚ ୧ରେ ନିଶାନ ଓ କୁସୁମ ଔରସରୁ ସମ୍ରାଟର ଜନ୍ମ। ୨୦୧୬ରେ ସାଧାରଣ ରଙ୍ଗର ବାଘୁଣୀ ରେଣୁକା ସହ ତା’ର ପ୍ରଥମ ମିଳନ ଘଟିଥିଲା। ହେଲେ ରେଣୁକା ଏକ ମୃତ ବିରଳ କଳାଲୋମଯୁକ୍ତ ଶାବକ ଜନ୍ମ ଦେଇଥିଲା। ଏହି ବିରଳ କଳାଲୋମଯୁକ୍ତ ଶାବକ ନନ୍ଦନକାନନ ପାଇଁ ଇତିହାସ ରଚିବାରେ ସହାୟକ ହୋଇଥିଲା। ପରେ ପୁଣି ୨୦୧୮ରେ ସେମାନଙ୍କ ମଧ୍ୟରେ ଦ୍ୱିତୀୟ ମିଳନ ଘଟି ରେଣୁକା ୨ଟି କଳାଲୋମଯୁକ୍ତ ଶାବକ କରିଥିଲା। ଆଉ ଏହା ନନ୍ଦନକାନନ ପାଇଁ ଗୌରବ ଆଣିଦେଇଥିଲା। ଏବେ ସମ୍ରାଟକୁ ୯ବର୍ଷ ୩ମାସ।
ସେପଟେ ନନ୍ଦନକାନନର ୬୬ନଂ. ଏନ୍‌କ୍ଲୋଜରରେ ଥିବା କୃଷ୍ଣସାର ମୃଗ ବୁଧବାର ଗୋଟିଏ ଶାବକ ଜନ୍ମ କରିଛି। ଫଳରେ ଏମାନଙ୍କ ସଂଖ୍ୟା ଏଠାରେ ୩୧କୁ ବୃଦ୍ଧିପାଇଛି। ସେଥିମଧ୍ୟରେ ୧୦ ମାଈ, ୧୦ ଅଣ୍ଡିରା ଥିବାବେଳେ ୧୨ଟିର ଲିଙ୍ଗ ନିରୂପଣ ହୋଇନାହିଁ। ସେହିପରି ୭୦ନଂ. ଏନ୍‌କ୍ଲୋଜରରେ ଥିବା କୁଜି ହରିଣ ମଧ୍ୟ ୨ଟି ଶାବକ ଜନ୍ମ କରିଛି। ଏମାନଙ୍କ ସଂଖା ବୃଦ୍ଧିପାଇ ୪୦ରେ ପହଞ୍ଚିଛି। ସେଥିମଧ୍ୟରେ ୧୭ ମାଈ, ୬ ଅଣ୍ଡିରା ଥିବାବେଳେ ୧୭ଟିର ଲିଙ୍ଗ ନିରୂପଣ ହୋଇନାହିଁ। ଅନ୍ୟପକ୍ଷରେ ବିହଙ୍ଗ ସରଣୀର ୭୭ନଂ. ଏନ୍‌କ୍ଲୋଜରରେ ବୁଧବାର ଏକ ମାଈ ମାଣ୍ଡାରିନ୍‌ ବତକର ମୃତ୍ୟୁ ଘଟିଛି। ଏହାର ମୃତ୍ୟୁ ପରେ ଏମାନଙ୍କ ସଂଖ୍ୟା ୧୪କୁ ହ୍ରାସ ପାଇଛି। ସେହିଭଳି ଏକ ସନ୍‌ କନୁର ପକ୍ଷୀର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।