ଧଳାଜହର ବଳୟରେ କୁଜଙ୍ଗ ଅଞ୍ଚଳ

କୁଜଙ୍ଗ,୧୩ା୧(ଡି.ଏନ.ଏ.): ନିଶା ସେବନ କରି ଯୁବସମାଜ ପଥଭ୍ରଷ୍ଟ ହେବା ସାଙ୍ଗକୁ ନାନଦି କୁକର୍ମରେ ଲିପ୍ତ ରହି ନିଜର ଉଜ୍ଜ୍ୱଳ ଭବିଷ୍ୟତକୁ ଅନ୍ଧକାରମଧ୍ୟକୁ ଠେଲି ଦେଉଛନ୍ତି। ଯଦ୍ଦ୍ବାରା ସେମାନଙ୍କ ମା’ବାପା ଚିନ୍ତାରେ ରହୁଛନ୍ତି। ନିଶା କାବାରକୁ ସାମାଜିକସ୍ତରରେ ବିରୋଧ କରାଯାଉଥିଲେବି ବାସ୍ତବରେ ନିଶାକାରବାରର କାୟା ଦିନକୁଦି ବୃଦ୍ଧିପାଇବାରେ ଲାଗିଛି। ବେଆଇନ ନିଶା କାରବାର ରୋକିବାପାଇଁ ଅବକାରୀ ବିଭାଗ ରହିଥିଲେ ମଧ୍ୟ ସେ ନାମକୁ ମାତ୍ର ଚଢ଼ାଉକରି ବେଆଇନ ନିଶା ବେପାରୀଙ୍କଠାରୁ ମୋଟା ଅଙ୍କର ଅର୍ଥ ନେଇ ଛାଡ଼ି ଦେଉଥିବା ଅଭିଯୋଗ ହେଉଛି। ଯେଉଁଥି ପାଇଁ କୁଜଙ୍ଗ ଅଞ୍ଚଳରେ ନିଶା କାରବାର ବ୍ୟାପକ ମାତ୍ରାରେ ବୃଦ୍ଧି ପାଉଛି। ଅନ୍ୟପକ୍ଷରେ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ବେଆଇନ ନିଶା କାରବାର ନ କରି ଭିନ୍ନଭିନ୍ନ ସ୍ଥାନରେ ବେପାର କରିବାକୁ ନିଶା ବେପାରୀଙ୍କୁ ପରୋକ୍ଷରେ ପୋ୍ରତ୍ସାହନ ଦିଆଯାଉଥିବା ମଧ୍ୟ ଅଭିଯୋଗ ହୋଇଛି। ଏହିକ୍ରମରେ ବର୍ତ୍ତମାନ କୁଜଙ୍ଗ ଅଞ୍ଚଳରେ ବ୍ରାଉନ ସୁଗାର ବା ଧଳା ଜହରର କାରବାର ଅହେତୁକ ଭାବେ ବୃଦ୍ଧିପାଇଛି। ବ୍ରାଉନ ସୁଗାରବେପାରୀ ଏବେ ଧାର୍ମିକ ସ୍ଥାନ ଓ ଶିକ୍ଷାନୁଷ୍ଠାନ ସନ୍ନିକଟ ସ୍ଥାନକୁ ନିରାପଦ ଭାବେ ବାଛି ନେଇଛନ୍ତି। କୁଜଙ୍ଗ ବଜାରର ପ୍ରଥମେ ଏକ ଧାର୍ମିକ ସ୍ଥାନ ନିକଟରେ ଟୁଙ୍ଗି କରାଯାଇ ବ୍ରାଉନ ସୁଗାର କାରବାର ଚାଲିଥିଲା। ଯଦିଓ ସେ ସ୍ଥାନ ମୂଳପିଣ୍ଡିଭାବେ ନିଶା ବେପାରୀଙ୍କ କବଜାରେ ରହିଛି କିନ୍ତୁ ଏବେ ସେ ସ୍ଥାନରେ ଆଉ ବିଶେଷ କାରବାର ହେଉନାହଁି। ଅନ୍ୟପକ୍ଷରେ ନିଶା ବେପାରୀ ସିଧାସଳଖ କାରବାରରେ ଲିପ୍ତ ନ ରହି କେତେକ ଅପରାଧ ପ୍ରବଣ ଯୁବକ ଯେଉଁମାନେ ବିଭିନ୍ନ ସମୟରେ ରାହାଜାନୀ, ଛିନ୍ତାଇ ଭଳି ଅପରାଧରେ ଜେଲ ଯାଇଛନ୍ତି ସେହିମାନଙ୍କ ଜରିଆରେ ବେପାର ଚଳାଇଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ସେହି ଯୁବକଙ୍କ ମଧ୍ୟରୁ ଜଣେ ଏବେ କୁଜଙ୍ଗର ପ୍ରତିଷ୍ଠିତ ବିଦ୍ୟାଳୟ ଫାଟକ ସମ୍ମୁଖ ଓ ନିକଟସ୍ଥ ସ୍ଥାନରେ ଛିଡ଼ା ହୋଇ ବେପାର କରୁଥିବା ବିଶେଷସୂତ୍ରରୁ ସୂଚନା ମିଳିଛି। ବ୍ରାଉନ ସୁଗାର କାରବାରର ମାଷ୍ଟର ମାଇଣ୍ଡ ଅସାମାଜିକ ଯୁବକଙ୍କ ଜରିଆରେ ଅଞ୍ଚଳର ବିଭିନ୍ନ ସ୍ଥାନକୁ ବ୍ରାଉନ ସୁଗାର ଯୋଗାଉଥିଲେ ବି ଅବକାରୀ ବିଭାଗ ନିକଟରେ କୌଣସି ଖବର ନାହିଁ। ତେଣୁ ଅବକାରୀ ବିଭାଗ ଓ ପୋଲିସ ଏଦିଗରେ ଦୃଷ୍ଟି ଦେଲେ ଅଞ୍ଚଳ ନିଶା କବଳରୁ ରକ୍ଷା ପାଇପାରନ୍ତା ବୋଲି ସାଧାରଣରେ ଦାବି ହୋଇଛି। ଏସମ୍ପର୍କରେ ଜିଲା ଅବକାରୀ ବିଭାଗ ଉପନିରୀକ୍ଷକ ପ୍ରଭାକର ସେଠୀଙ୍କୁ ପଚାରିବାରେ ସେ କହିଥିଲେ, ଗଞ୍ଜେଇ ବେପରୀଙ୍କ ଉପରେ ଚଢ଼ାଉ ଜାରିରହିଛି। ମୁଁ ଏବେ ନୂଆ ଯୋଗ ଦେଇଥିବାରୁ ବ୍ରାଉନସୁଗାର କାରବାର ଖବର ମୋ ନଜରକୁ ଆସିନାହିଁ। ଯଦି ଏଭଳି କାରାବାର ହେଉଛି ତେବେ ତୁରନ୍ତ ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ।