Categories: ଜାତୀୟ

ଧର୍ମ ନାମରେ ଦେଶ ବିଭାଜନ ଷଡ଼ଯନ୍ତ୍ର କରୁଛି ଭାଜପା

ନୂଆଦିଲ୍ଲୀ,୧୮ା୫(ପି.ଟି.): ଧର୍ମ ନାମରେ ଲୋକଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରି ଭାଜପା ଦେଶ ବିଭାଜନ ଲାଗି ଷଡ଼ଯନ୍ତ୍ର ଚଳାଇଥିବା ମଙ୍ଗଳବାର କଂଗ୍ରେସ ଅଭିଯୋଗ କରିଛି। ଲୋକଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବା ଲାଗି କଂଗ୍ରେସ ସାରା ଦେଶରେ ‘ଭାରତ ଯୋଡ଼’ ଯାତ୍ରା ଆରମ୍ଭ କରିବ। ଏହା ବ୍ୟତୀତ ଦେଶ ସ୍ବାଧୀନତାର ୭୫ତମ ବାର୍ଷିକୀ ଅବସରରେ ଅଗଷ୍ଟ ୯ରୁ ୭୫ କିଲୋମିଟର ଯାତ୍ରା ଆରମ୍ଭ ହେବ ବୋଲି ବରିଷ୍ଠ କଂଗ୍ରେସ ମୁଖପାତ୍ର ଅଜୟ ମାକେନ ଗଣମାଧ୍ୟମକୁ କହିଛନ୍ତି।
ରାଜସ୍ଥାନର ଉଦୟପୁରରେ ନିକଟରେ ଶେଷ ହୋଇଥିବା ଚିନ୍ତନ ଶିବିରରେ ଭାରତ ଯୋଡ଼ ଯାତ୍ରା ସମ୍ପର୍କରେ ସୁପାରିସ କରାଯାଇଥିଲା। ଏହାକୁ ରୂପ ଦେବା ଲାଗି ମଙ୍ଗଳବାର ଏଆସିସିସି ସମ୍ପାଦକ ଏବଂ ପ୍ରଭାରୀମାନଙ୍କ ବୈଠକ ବସିଥିଲା। କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଭାରତକୁ ଏକ କରିବା ଏବଂ ଘୃଣା ରାଜନୀତି କରୁଥିବା ଭାଜପାକୁ ପରାଜିତ କରିବା ଲାଗି ଆହ୍ବାନ ଦେଇଛନ୍ତି। ରୋଜଗାର, ମୁଦ୍ରାସ୍ଫୀତି ଲୋକଙ୍କ ପ୍ରସଙ୍ଗ ହୋଇଥିବାବେଳେ ଦଙ୍ଗା, ଏକଚ୍ଛତ୍ରବାଦ ଭାଜପାର ପ୍ରସଙ୍ଗ। ଦେଶକୁ ଆଗେଇ ନେବାକୁ ହେଲେ ଭାଜପାର ନକାରାତ୍ମକ ଚିନ୍ତାଧାରା ଓ ଘୃଣିତ ରାଜନୀତିକୁ ପରାଜିତ କରିବାକୁ ହେବ। ସମସ୍ତେ ମିଶି ଦେଶକୁ ଯୋଡ଼ିବାକୁ ରାହୁଲ ଟୁଇଟ୍‌ କରି କହିଛନ୍ତି। ନବସଂକଳ୍ପ ଚିନ୍ତନ ଶିବିରର ଘୋଷଣାନାମାକୁ କାର୍ଯ୍ୟକାରୀ କରିବା ପାଇଁ ଏଆଇସିସି ମୁଖ୍ୟାଳୟରେ ଅନୁଷ୍ଠିତ ବୈଠକରେ ପ୍ରିୟଙ୍ଗା ଗାନ୍ଧୀ ଭଦ୍ରା, କେ.ସି. ବେଣୁଗୋପାଳ, ରଣଦୀପ ସୁର୍ଜଓ୍ବୋଲା, ମାକେନଙ୍କ ସମେତ ବହୁ ବରିଷ୍ଠ ନେତା ଯୋଗଦେଇଥିଲେ। ଆଗାମୀ କିଛି ମାସ ମଧ୍ୟରେ ଦଳରେ ସାଂଗଠନିକ ପରିବର୍ତ୍ତନ କରାଯିବ। ଏନେଇ ବୁଧବାର ପୁଣିଥରେ ଏଆଇସିସି ସାଧାରଣ ସମ୍ପାଦକ ଓ ପ୍ରଭାରୀମାନଙ୍କ ବୈଠକ ବସିବ ବୋଲି ଜଣାପଡ଼ିଛି।

Share