ଧର୍ମେନ୍ଦ୍ରଙ୍କ ରୋଡ ଶୋରେ ଭାଜପା-ବିଜେଡି କର୍ମୀ ମୁହାଁମୁହିଁ

ଧର୍ମେନ୍ଦ୍ରଙ୍କ ରୋଡ ଶୋରେ ଭାଜପା-ବିଜେଡି କର୍ମୀ ମୁହାଁମୁହିଁ
ବାରିପଦା ଅଫିସ,୨୫।୪: ମୟୂରଭଞ୍ଜ ଜିଲା ଅଧୀନ ଲୋକ ସଭା ଓ ୭ ବିଧାନସଭା ପାଇଁ ଆସନ୍ତା ୨୯ ତାରିଖରେ ଚତୁର୍ଥ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ଆସନ ଗୁଡିକରେ ନିଜ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଉଭୟ ଭାଜପା ଓ ବିଜେଡି ପକ୍ଷରୁ ଜିଲା ସାରା ପ୍ରତିଦିନ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଏହି ପରିପ୍ରେକ୍ଷୀରେ ବାରିପଦା ସହରରେ ଭାଜପା ଲୋକ ସଭା ପ୍ରାର୍ଥୀ ଇଂ ବିଶେଶ୍ୱର ଟୁଡୁ ଓ ବାରିପଦା ବିଧାନସଭା ପ୍ରାର୍ଥୀ ପ୍ରକାଶ ସୋରେନଙ୍କୁ ସାଙ୍ଗରେ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅପରାହ୍ନରେ ରୋଡ ଶୋ କରିଥିଲେ। ଏହି ରୋଡ ଶୋ ବିଜେଡି କାର୍ଯ୍ୟାଳୟ ନିକଟରେ ପହଞ୍ଚିବା ବେଳକୁ ବିଜେଡି-ଭାଜପା କର୍ମୀମାନେ ମୁହାଁ ମୁହିଁ ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ପୋଲିସର ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡିଥିଲା।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ଦିନିକିଆ ମୟୂରଭଞ୍ଜ ଜିଲା ଗସ୍ତରେ ଆସି ଯଶିପୁର ନିର୍ବାଚନମଣ୍ଡଳୀର ମହର୍ଦ୍ଧାପଳାସ, ରାଇରଙ୍ଗପୁର ନିର୍ବାଚନମଣ୍ଡଳୀର ଭିତରମୁଣ୍ଡା, ସାରସକଣା ନିର୍ବାଚନମଣ୍ଡଳୀର ବିଜାତଳା, ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀର କୁଳିଅଣା ଓ ଉଦଳା ନିର୍ବାଚନମଣ୍ଡଳୀର ଉଦଳାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ସାଧାରଣ ସଭାରେ ଉଦ୍‌ବୋଧନ ଦେଇଥିଲେ। ଭାଜପା ନେତା ଓ କର୍ମୀମାନେ ରୋଡ ଶୋରେ ପ୍ରଚାର କରୁଥିବା ବେଳେ ବିଜେଡି କର୍ମୀଙ୍କ ଏଭଳି ଉଦ୍ଦେଶ୍ୟମୂଳକ ଆଚରଣ ନିହାତି ଭାବେ ଅଶୋଭନୀୟ। ବୁଧବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବାରିପଦାରେ ରୋଡ ଶୋ କାର୍ଯ୍ୟକ୍ରମ ରହିଥିବାବେଳେ ଭାଜପା ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରୋଡ ଶୋ ମଧ୍ୟ ରହିଥିଲା। ଏଣୁ କିଏ କେଉଁ ରାସ୍ତାରେ ଯିବେ ତାହା ଏବଂ ସମୟ ସାରଣୀ ପ୍ରସ୍ତୁତ କରି ଅନୁମତି ପ୍ରଦାନ କରିବା କଥା। ହେଲେ ଏଥିରେ ବ୍ୟତିକ୍ରମ ହେବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଅଭିଯୋଗ ହୋଇଛି। ଏହି ଘଟଣା ହେବା ଅତ୍ୟନ୍ତ ଦୁଃଖର ବିଷୟ ବୋଲି ସହରର ବୁଦ୍ଧିଜୀବୀ ଯଯାତି ମହାନ୍ତ କହିଛନ୍ତି। ଏହି ଘଟଣାରେ ପୋଲିସ ବିଭାଗ ପକ୍ଷରୁ କାହାରି ମତାମତ ମିଳିପାରିନାହିଁ।