ଧରିତ୍ରୀ ପ୍ରଭାବ: ଗରିବ ପାଇଲେ ଖାଦ୍ୟ ସାମଗ୍ରୀ

ବଲାଙ୍ଗୀର ଅଫିସ, ୪ା୪- କରୋନା ଲକ୍‌ଡାଉନ୍‌କୁ ନେଇ ଗରିବ ଲୋକେ
ବଡ ଅସୁବିଧାରେ ପଡିଛନ୍ତି । ଦିନମଜୁରିଆ ଭାବେ କାମ କରି ପରିବାର ପୋଷୁଥିବା ଲୋକେ ରୋଜଗାର ବନ୍ଦ ହୋଇଯିବା ପରେ ଖାଦ୍ୟ ଚିନ୍ତାରେ ପଡିଛନ୍ତି । ବିଶେଷକରି ମହିଳା ଶ୍ରମିକଙ୍କ ଉପରେ ନିର୍ଭରଶୀଳ ପରିବାର ଗୁଡିକ ସବୁଠୁ ବେଶୀ କଷ୍ଟରେ ରହିଛନ୍ତି । ଏଭଳି କିଛି ନିହାତି ଗରିବ ପରିବାରଙ୍କ ସମ୍ପର୍କରେ ଧରିତ୍ରୀରେ ଖବର ପରିବେଷଣ ପରେ କିଛି ଯୁବ ସ୍ୱେଚ୍ଛାସେବୀ ସେହି ଗରିବ ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କୁ ଖାଦ୍ୟ ସାମଗ୍ରୀ ଦେଇ ମାନବିକତାର ପରିଚୟ ଦେଇଛନ୍ତି । ବଲାଙ୍ଗୀର ସହର ରାଜୀବନଗରର ଦୁଇଜଣ ମହିଳା ଶ୍ରମିକଙ୍କ ପାରିବାରିକ ଦୁଃଖ ଓ କଷ୍ଟକୁ ନେଇ ଗୁରୁବାର ଧରିତ୍ରୀରେ ଖବର ପରିବେଷଣ କରାଯାଇଥିଲା । ରାଜୀବନଗରର ଭିନ୍ନକ୍ଷମ ଶିବ ବିଶି (୬୫)ଙ୍କ ସ୍ତ୍ରୀ ଯଜ୍ଞ ବିଶି ଦିନମଜୁରିଆ ଭାବେ କାମ କରି ତାଙ୍କ ସ୍ୱାମୀ ଓ ପରିବାର କଥା ବୁଝାଉଥିଲେ । ସ୍ୱାମୀଙ୍କ ଭତ୍ତାକାର୍ଡରେ ୨ ହଜାର ଟଙ୍କା ପାଇଥିଲେ । ସେଥିରୁ ଋଣର ସୁଧ ବାବଦକୁ ୪ ଶହ ଟଙ୍କା ପରିଶୋଧ କରିଦେଲେ । ସେମାନଙ୍କ ପିଡିଏସ୍ କାର୍ଡଟିକୁ ବନ୍ଧକ ପକାଇଛନ୍ତି । ଲକ୍‌ଡାଉନ୍ କାରଣରୁ କୌଣସି ରୋଜଗାର କରିନପାରି ଘରେ ରହିଛନ୍ତି । ସେହିପଡାର ଭୁବନ ନାଗ (୫୫) ମଧ୍ୟ ଜଣେ ଭିନ୍ନକ୍ଷମ । ତାଙ୍କ ଆଖିକୁ ଦେଖାଯାଏନାହିଁ । ଗୋଟିଏ ଆଖିକୁ ଅସ୍ତ୍ରୋପଚାର କରିଛନ୍ତି । ତାଙ୍କୁ ଭତ୍ତା ମିଳେ ନାହିଁ । ତାଙ୍କ ସ୍ତ୍ରୀ କେତକୀ ନାଗଙ୍କ ଭରସାରେ ତାଙ୍କ ପରିବାର ଚଳେ । ଘରେ ୧୩ ବର୍ଷର ପୁଅ ଅଛି । ଲକ୍‌ଡାଉନ୍ ଯୋଗୁଁ କେତକୀ କାମ କରି ଯାଇପାରିଲେ ନାହିଁ । ପିଡିଏସ୍ ଚାଉଳ ମଧ୍ୟ ସରିଗଲା । ଏହି ଦୁଇ ଭିନ୍ନକ୍ଷମ ପରିବାରଙ୍କ ନିଜଘର ନାହିଁ । ଭଡାଘରେ ରହୁଛନ୍ତି । ଉଭୟ ପରିବାର ଦୁଇଓଳି ଭଲକରି ଖାଇବାକୁ ପାଉନଥିବା ଜଣାଇଥିଲେ । ଏସମ୍ପର୍କରେ ଖବର ପରିବେଷଣ ପରେ ଲକଡାଉନ୍ ସମୟରେ ଗରିବଙ୍କ ପ୍ରକୃତ ଚିତ୍ର ଉଜାଗର ହୋଇଥିଲା । ଧରିତ୍ରୀରୁ ଖବର ଜାଣିବା ପରେ ବଲାଙ୍ଗୀର ୟୁଥ୍ ଆକ୍ସନ କମିଟିର ସନ୍ତୋଷ ପଟ୍ଟନାୟକ ଓ ନୀଳାଦ୍ରୀ ଦେହୁରୀ ଚାଉଳ, ଡାଲି ଓ ଅନ୍ୟ ଖାଦ୍ୟ ସାମଗ୍ରୀ ଧରି ଉଭୟ ମହିଳା ଶ୍ରମିକ ଯଜ୍ଞ ବିଶି ଓ କେତକୀ ନାଗଙ୍କ ଘରକୁ ଯାଇ ଦେଇ ଆସିଥିଲେ । ଏଥିରେ ଅଳ୍ପ କେତେଦିନ ଚଳି ଯାଇପାରିବେ ବୋଲି ଉଭୟ ଯଜ୍ଞ ଓ କେତକୀ କହିଛନ୍ତି । ତେବେ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦେବାକୁ ସେମାନେ ନିବେଦନ କରିଛନ୍ତି ।