ଧରିତ୍ରୀ ପ୍ରଭାବ: ଖବର ପ୍ରକାଶ ପାଇବା ପରେ ଶେଷଦେବଙ୍କ ସହାୟତା ପାଇଁ ପହଞ୍ଚିଲା ବ୍ଲକ ପ୍ରଶାସନ

ସମ୍ବଲପୁର/ରେଙ୍ଗାଲି, ୧୬।୧୦(ବ୍ୟୁରୋ/ଡି.ଏନ୍‌.ଏ.): ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ବ୍ରାହ୍ମଣୀପାଲି ହାଡଗୁଡ଼ିଆ ପଡ଼ାର ଶେଷଦେବ ରୋହିଦାସଙ୍କ ପରିବାର ଦୁଃଖକଷ୍ଟରେ ଚଲୁଥିବା ବେଳେ ଦିବ୍ୟାଙ୍ଗ ଝିଅ କେଶରୀ ରୋହିଦାସ (୨୩), ସୁନୀତା ରୋହିଦାସ (୧୮), ପୁଅ ସୁଶୀଲ ରୋହିଦାସ (୨୦)ଙ୍କ ଚିକିତ୍ସା ପାଇଁ ସରକାରୀ ସାହାଯ୍ୟ ଲୋଡିଥିଲେ । ଏ ନେଇ ଧରିତ୍ରୀରେ ଗତ ୧୩ ତାରିଖ ‘ଦଦ୍‌ରା କୁରିଆରେ ବିତୁଛେ ଜୀବନ୍‌’ ଶୀର୍ଷକ ଖବର ପ୍ରକାଶ ପାଇଥିଲା । ଖବର ପ୍ରକାଶ ପାଇବା ପରେ ରେଙ୍ଗାଲି ବ୍ଲକ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ମଙ୍ଗଳବାର ରେଙ୍ଗାଲି ବିଡିଓ ଶିବଶଙ୍କର ପ୍ରସାଦ ସାହୁ ଶେଷଦେବଙ୍କ ଘରେ ପହଞ୍ଚତ୍ ସେମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ଅଧିକ ସରକାରୀ ସହାୟତା, ଅନ୍ତ୍ୟୋଦୟ ଯୋଜନାରେ ଅନ୍ତର୍ଭୁକ୍ତ କରି ୩୫ କେଜି ଚାଉଳ ପାଇଁ ଏମ୍‌ଆଇ ବିଭାଗକୁ ଜଣାଇବେ ବୋଲି କହିଥିଲେ । ପରିବାରଙ୍କୁ କିପରି ଜିଲା ରେଡକ୍ରସ ପକ୍ଷରୁ ଆର୍ଥିକ ସହାୟତା ମିଳିବ ତାହା ମଧ୍ୟ ଚେଷ୍ଟା କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ତିନିଜଣ ଦିବ୍ୟାଙ୍ଗ ସନ୍ତାନଙ୍କ ପାଇଁ ଜିଲା ଭିନ୍ନକ୍ଷମ ଆଶ୍ରୟସ୍ଥଳୀରେ ରହିବାର ବ୍ୟବସ୍ଥା କରାଯିବ ବୋଲି ବିଡିଓ ସାହୁ କହିଛନ୍ତି।