ଧରିତ୍ରୀ ପୋର୍ଟାଲ ପ୍ରଭାବ: ତାଲା ପକାଯାଇଥିବା ଗୋରୁଙ୍କୁ ଛାଡ଼ିଲା ଗଞ୍ଜାମ ଏନ୍‌ଏସି , ଭୋକ ଉପାସରେ ବୁଲୁଥିବାରୁ ଖାଦ୍ୟପେୟ ବ୍ୟବସ୍ଥା କରିବାକୁ ଦାବି

ଗଞ୍ଜାମ,୨୯।୩(ଡି.ଏନ୍‌.ଏ.): କରୋନା କଟକଣା ଲାଗି ଗଞ୍ଜାମ ସହର ଶୂନଶାନ। ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଘୋଷଣା ପରେ ଘରୁ ବାହାରୁନାହାନ୍ତି ଲେକେ। ଗତ ୨୨ ତାରିଖରେ ହୋଇଥିବା ଜନତା କର୍ଫ୍ୟୁଠାରୁ ଏନ୍‌ଏସି ପ୍ରଶାସନ ପକ୍ଷରୁ ସହର ମଧ୍ୟରୁ ଗୋରୁଙ୍କୁ ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିୟମ ଭିତରେ ଭର୍ତ୍ତିକରି ତାଲା ପକାଯାଇଥିଲା। ମାତ୍ର ସେମାନଙ୍କ ପାଇଁ କୌଣସି ଖାଦ୍ୟ କିମ୍ବା ପାଣିର ବ୍ୟବସ୍ଥା କରାଯାଇ ନ ଥିବା ଯୋଗୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା l ଏ ନେଇ ଧରିତ୍ରୀ ପୋର୍ଟାଲରେ ଖବର ପ୍ରକାଶିତ ପରେ ଏନ୍‌ଏସି ଏବଂ ଜିଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇବା ସହ ସଙ୍ଗେ ସଙ୍ଗେ ଗୋରୁଙ୍କୁ ଛାଡ଼ି ଦିଆଯାଇଥିଲା l ବର୍ତ୍ତମାନ ବଜାର ଶୂନଶାନ ଥିବା ବେଳେ ପଲପଲ ଗୋରୁ ବୁଲୁଥିବା ଦେଖିବାକୁ ମିଳିଛି l ସେମାନେ ଭୋକ ଉପାସରେ ବୁଲୁଥିବା ବେଳେ ମାଲିକମାନେ ସେମାନଙ୍କୁ ଘରକୁ ନେଉ ନାହାନ୍ତି l ଏଭଳି ପରିସ୍ଥିତିରେ ପ୍ରଶାସନ ପକ୍ଷରୁ ପାନୀୟ ଜଳ ଓ ଖାଦ୍ୟ ବ୍ୟବସ୍ଥା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।