ଧରିତ୍ରୀ ଖବରକୁ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌ କଲେ ସାମାଜିକ କର୍ମୀ

ବରଗଡ଼ ଅଫିସ୍‌,୧୨।୫- ପୁରୀ ଜିଲା କୋଣାର୍କ ନିକଟ ଅଚ୍ୟୁତପୁରର ଏକ ଇଟାଭାଟିରେ କାମ କରୁଥିବା ବରଗଡ଼ ଜିଲା ପାଇକମାଲ ଥାନା ଅନ୍ତର୍ଗତ ଛେତଗାଁର ୩୫ଜଣ ଶ୍ରମିକ ପିଲାଛୁଆ ଧରି ଏକ ବସଭଡ଼ା କରି ସୋମବାର ରାତିରେ ଏଠାକୁ ଆସିଥିଲେ। ସେମାନଙ୍କୁ ସ୍ଥାନୀୟ ଏକ ସ୍କୁଲର କ୍ବାରାଣ୍ଟାଇନ ସେଣ୍ଟରରେ ରଖାଯାଇଛି। ତେବେ ବସ୍‌ଭଡ଼ା ବାବଦକୁ ଶ୍ରମିକମାନେ ନିଜ ରୋଜଗାର ୩୨ହଜାର ଟଙ୍କା ଦେଇଥିଲେ। ଗୋଟିଏ ପଟେ ଲକ୍‌ ଡାଉନ୍‌ ଯୋଗୁ ସେମାନେ ବେରୋଜଗାର ହୋଇଥିବାବେଳେ ଅନ୍ୟପଟେ ଦାଦନ ଖଟି ରୋଜଗାର କରିଥିବା ଟଙ୍କା ବସ୍‌ଭଡ଼ାରେ ସରିଯାଇଛି। ଫଳରେ ଏବେ ସେମାନଙ୍କ ପରିବାର ଗୁଜୁରାଣ ଏହି ପ୍ରବାସୀ ଶ୍ରମିକଙ୍କ ପାଇଁ ମୁସ୍କିଲ ହୋଇପଡ଼ିଛି । ଏ ନେଇ ମଙ୍ଗଳବାର ଧରିତ୍ରୀରେ ବସ୍‌ଭଡ଼ାରେ ସରିଗଲା ରୋଜଗାର ଟଙ୍କା ଶୀର୍ଷକ ଏକ ଖବର ପ୍ରକାଶ ପାଇଥିଲା। ଏହି ଖବରକୁ ବରଗଡ଼ ଜିଲା ବିଜେପୁର ବ୍ଲକ ଯୋଖିପାଲି ଗ୍ରାମର ସାମାଜିକ କର୍ମୀ ଦିବସ କୁମାର ସାହୁ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌ କରି ସମ୍ପୃକ୍ତ ଶ୍ରମିକଙ୍କୁ ସ୍ଥାନୀୟ କର୍ମନିଯୁକ୍ତି ଦେବା ସହିତ ସହାୟତା ପ୍ରଦାନ କରିବାକୁ ନିବେଦନ କରିଛନ୍ତି।

ପ୍ରକାଶ ଯେ, ସମ୍ପୃକ୍ତ ଶ୍ରମିକମାନେ ଅଚ୍ୟୁତପୁରର ଏକ ଅସୁରକ୍ଷିତ ସ୍ଥାନରେ ଆଶ୍ରୟ ନେଇଥିଲେ। ଏହା ଜାଣିବା ପରେ ସାମାଜିକ କର୍ମୀ ସାହୁ ପୁରୀ ଜିଲା ପ୍ରଶାସନ ସହିତ ଯୋଗାଯୋଗ କରିବାରୁ ତାଙ୍କୁ ସେଠାକାର ପଞ୍ଚାୟତ ଅଫିସରେ ଆଶ୍ରୟ ଦେଇ ଖାଇବା, ପିଇବା ବ୍ୟବସ୍ଥା କରାଯାଇଥିଲା। ସେହିପରି ଆଇଜି ଅମିତାଭ ଠାକୁରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ସେ ସମ୍ପୃକ୍ତ ଶ୍ରମିକଙ୍କୁ ଗାଁକୁ ପଠାଇବା ବ୍ୟବସ୍ଥା କରିଥିଲେ। ମାତ୍ର ଶ୍ରମିକମାନଙ୍କୁ ବସ୍‌ଭଡ଼ା ଖର୍ଚ୍ଚ ବହନ କରିବାକୁ ପଡ଼ିଥିଲା।