ଧରମ୍‌ପାଲ୍‌ ଗୁଲାଟିଙ୍କୁ ‘କିସ୍‌ ଲାଇଫ୍‌ ଟାଇମ୍‌ ଆଚିଭ୍‌ମେଣ୍ଟ ସମ୍ମାନ’

ଭୁବନେଶ୍ୱର, ୨୯।୯(ବ୍ୟୁରୋ): କିସ୍‌ ପକ୍ଷରୁ ‘କିସ୍‌: ଗାନ୍ଧୀ ଦର୍ଶନର ବାସ୍ତବ ପ୍ରତିଫଳନ’ ଶୀର୍ଷକ ଦିନିକିଆ ଆଲୋଚନାଚକ୍ର, ପ୍ରଦର୍ଶନୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଶନିବାର ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁ ନନ୍ଦନ ଦାସ, ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ତଥା ପର୍ଯ୍ୟଟନ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ପ୍ରଫେସର ଶାନ୍ତନୁ ଆଚାର୍ଯ୍ୟ, ଶିଶୁ ସାହିତି୍ୟକ ଦାସ ବେନହୂର, ସ୍ବାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ, କିସ୍‌ ଓ କିଟ୍‌ ସଭାପତି ଶାଶ୍ୱତୀ ବଳ, ଉପସଭାପତି ଉମାପଦ ବୋଷ ପ୍ରମୁଖ ଯୋଗଦେଇଥିଲେ। ଗାନ୍ଧିଜୀ ସର୍ବଦା କହିଥିଲେ, ସମାଜର ଅବହେଳିତଙ୍କ ଉନ୍ନତି ନିମନ୍ତେ ଶିକ୍ଷା ହିଁ ମୁଖ୍ୟ ଆୟୁଧ, ଯାହା କିସ୍‌ରେ ଆଜି ପ୍ରତିଫଳିତ ହୋଇଛି ବୋଲି ବକ୍ତାମାନେ କହିଥିଲେ। ଏହି ଅବସରରେ ଏମ୍‌ଡିଏଚ୍‌ କମ୍ପାନୀର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ପଦ୍ମଭୂଷଣ ମହାଶୟ ଧରମପାଲ୍‌ ଗୁଲାଟିଙ୍କୁ କିସ୍‌ ଲାଇଫ୍‌ ଟାଇମ୍‌ ଆଚିଭ୍‌ମେଣ୍ଟ ସମ୍ମାନ ପ୍ରଦାନ କରାଯାଇଥିଲା। ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ବାଗତ ଭାଷଣ ପ୍ରଦାନ କରିଥିବାବେଳେ କିସ୍‌ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ ସଭା ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏମ୍‌ପି ଅନୁଭବ ମହାନ୍ତିଙ୍କ ସମେତ ସମାଜର ବିଭିନ୍ନ ବର୍ଗର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ।