ଧଉରାଗୋଠ ପ୍ରକଳ୍ପକୁ ପଲ୍ଲିସଭାରେ ବିରୋଧ

ବଇଣ୍ଡା,୫।୧୧(ଡି.ଏନ.ଏ.)

ଅନୁଗୋଳ ଜିଲା କିଶୋରନଗର ବ୍ଲକ ଧଉରାଗୋଠ ଅଞ୍ଚଳରେ ନିର୍ମାଣ ହେବାକୁ ଥିବା ଧଉରାଗୋଠ ଜଳସେଚନ ପ୍ରକଳ୍ପକୁ ପଲ୍ଲିସଭାରେ ବିରୋଧ କରାଯାଇଛି। ଏହି ବଡ଼ଧରଣର ଜଳସେଚନ ପ୍ରକଳ୍ପ ନିର୍ମାଣ କରି ସ୍ଥାନୀୟ ଲୋକଙ୍କ ଦୀର୍ଘବର୍ଷର ଦାବି ପୂରଣ କରିବା ପାଇଁ ସରକାର ଚିନ୍ତା କରିଥିବାବେଳେ ଏବେ ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ହେଉଥିବା ବିଭିନ୍ନ ଅଞ୍ଚଳର ପ୍ରଜା ବିରୋଧ କରିବା ଚିନ୍ତାର ବିଷୟ ହୋଇଛି।
ସୋମବାର ଉପଖଣ୍ଡ ପ୍ରଶାସନ ଓ ମାନଜୋର ଜଳସେଚନ ବିଭାଗ ପକ୍ଷରୁ କିଶୋରନଗର ବ୍ଲକ ବିଲେଇନାଳୀ ପଞ୍ଚାୟତ ଭେଜିଗୋଠ ଗ୍ରାମରେ ପଲ୍ଲିସଭା କରାଯାଇଥିଲା। ତେବେ ଗ୍ରାମବାସୀ ଏହି ପ୍ରକଳ୍ପ ନିର୍ମାଣକୁ ବିରୋଧ କରିଥିଲେ। ମାନଜୋର କନିଷ୍ଠଯନ୍ତ୍ରୀ ଉମାକାନ୍ତ ରାଉଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପଲ୍ଲିସଭାରେ ଆଠମଲ୍ଲିକ ଉପଜିଲାପାଳ ଡ. ରଜନୀକାନ୍ତ ବିଶ୍ୱାଳ, ମାନଜୋର ନିର୍ବାହୀ ଯନ୍ତ୍ରୀ ସନାତନ ପାତ୍ର, ସହକାରୀ ଯନ୍ତ୍ରୀ ସୁରେଶ ଚନ୍ଦ୍ର ଗଡ଼ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ସାହୁ, ବିଲେଇନାଳୀ ସରପଞ୍ଚ ନବକିଶୋର ସାହୁ, ପଞ୍ଚାୟତ ନିର୍ବାହୀ ଅଧିକାରୀ ହୃଦାନନ୍ଦ ପ୍ରଧାନ, କିଶୋରନଗର ବ୍ଲକ ଜିପିଓ ସୁଜତା ତ୍ରିପାଠୀ, ଓ୍ବାର୍ଡମେମ୍ବର ବୀଣାପାଣି ସାହୁଙ୍କ ସମେତ ଗ୍ରାମବାସୀ ଉକ୍ତ ପଲ୍ଲିସଭାରେ ଯୋଗ ଦେଇଥିଲେ। ସଭା ଆରମ୍ଭରୁ ଧଉରାଗୋଠ ଜଳସେଚନ ପ୍ରକଳ୍ପକୁ ଗ୍ରାମବାସୀ ବିରୋଧ କରିଥିଲେ। ଗ୍ରାମବାସୀ କହିଥିଲେ ଯେ, ଏହି ପ୍ରକଳ୍ପ ହେଲେ ଗାଁ ସମ୍ପୂର୍ଣ୍ଣ ବୁଡ଼ିଯିବ। ଲୋକେ ସେମାନଙ୍କ ଭିଟାମାଟି ହରାଇ ବସିବେ। ୨ ଶହେରୁ ଊର୍ଦ୍ଧ୍ୱ ପରିବାର ସର୍ବସ୍ବ ହରାଇବେ। ଏହି ଅଞ୍ଚଳରେ ପ୍ରତ୍ୟେକ ବର୍ଷ ଭଲ ଫସଲ ଉତ୍ପାଦନ ହେଉଛି। ତେଣୁ ଜମି ଚାଲିଗଲେ ସେମାନେ କିଭଳି ପରିବାର ଚଳାଇବେ। ତେଣୁ ମରିଯିବୁ ପଛେ ପ୍ରକଳ୍ପ ପାଇଁ ଇଞ୍ଚେ ବି ଜମି ଦେବୁନାହିଁ ବୋଲି ଗ୍ରାମବାସୀ କଡ଼ା ଚେତାବନୀ ଦେଇଛନ୍ତି। ଗ୍ରାମବାସୀଙ୍କ ମତ ସମ୍ପର୍କରେ ରାଜ୍ୟ ସରକାର ଓ ଜିଲା ପ୍ରଶାସନଙ୍କୁ ଅବଗତ କରାଯିବ ବୋଲି ଉପଜିଲାପାଳ ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ। ସେହିପରି ଲୁହାମୁଣ୍ଡାଠାରେ ମଧ୍ୟ ପଲ୍ଲିସଭା ବେଳେ କେତେ ଜମି କ୍ଷତିଗ୍ରସ୍ତ ହେଉଛି ତାହା ଘୋଷଣା ହୋଇ ନ ଥିବାରୁ ଅସନ୍ତୋଷ ଦେଖାଦେଇଥିଲା। ଜମି ସର୍ଭେ କରି ଚିହ୍ନଟ କରିବା ପରେ ପଲ୍ଲିସଭା କରିବା ପାଇଁ ଲୁହାମୁଣ୍ଡା ଅଞ୍ଚଳବାସୀ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଦାବି କରିଥିଲେ। ଧଉରାଗୋଠ ଜଳସେଚନ ପ୍ରକଳ୍ପ ନିର୍ମାଣ ହେଲେ ଲୁହାମୁଣ୍ଡା ଅଞ୍ଚଳର ବହୁ ଲୋକ ଜୀବିକା ଭିଟାମାଟି ହରାଇବେ କହି ବିରୋଧ କରିଥିଲେ। ଏ ନେଇ ଉପଜିଲାପାଳ ବିଶ୍ୱାଳ କହିଛନ୍ତି, ଧଉରାଗୋଠ ଜଳସେଚନ ପ୍ରକଳ୍ପ ପାଇଁ ଭେଜିଗୋଠ ଓ ଲୁହାମୁଣ୍ଡା ଅଞ୍ଚଳରେ ହୋଇଥିବା ପଲ୍ଲିସଭା କରାଯାଇଥିଲା। ଅଞ୍ଚଳବାସୀ ବିରୋଧ କରୁଛନ୍ତି। ଏ ନେଇ ସରକାର ଓ ଜିଲାପାଳଙ୍କୁ ଅବଗତ କରାଯିବ।