Categories: ଅନୁଗୋଳ

ଧଉରାଗୋଠ ଜଳସେଚନ ପ୍ରକଳ୍ପକୁ ବିରୋଧ: ମରିଯିବୁ ପଛେ ଜାଗା ଦେବୁନି

ବଇଣ୍ଡା,୩୦।୧୧(ଡି.ଏନ୍‌.ଏ.) – ସଂସାରକୁ ଚଳାଉଥିବା ଭିଟାମାଟିକୁ ଛଡ଼ାଇ ନେଇ ଧଉରାଗୋଠ ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଯୋଜନା କରାଯାଉଛି। ହେଲେ ଦାନା ଦେଉଥିବା ଜମିରୁ ଇଞ୍ଚେ ବି ପ୍ରକଳ୍ପ ପାଇଁ ଛଡାଯିବନି ବୋଲି ଜିଦ୍‌ ଧରିବା ସହ ଶୁକ୍ରବାର ଆଠମଲ୍ଲିକ ବ୍ଲକ ପେଡ଼ିପଥର ପଞ୍ଚାୟତ ଡଙ୍ଗାଧର ଗ୍ରାମରେ ଅନୁଷ୍ଠିତ ମାନଜୋର ଜଳସେଚନ ବିଭାଗ ଓ ଆଠମଲ୍ଲିକ ଉପଖଣ୍ଡ ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ପଲ୍ଲିସଭାରେ ଡଙ୍ଗାଧର ଗ୍ରାମବାସୀ ଏହାର ବିରୋଧ କରିଛନ୍ତି। ଗ୍ରାମ କୋଠଘର ନିକଟସ୍ଥ ଏକ କୁଡ଼ିଆରେ ଅନୁଷ୍ଠିତ ପଲ୍ଲିସଭାରେ ଆଠମଲ୍ଲିକ ଉପଜିଲାପାଳ ଡ. ରଜନୀକାନ୍ତ ବିଶ୍ୱାଳ, ମାନଜୋର ପ୍ରକଳ୍ପ ନିର୍ବାହୀ ଯନ୍ତ୍ରୀ ସନାତନ ପାତ୍ର, ନିର୍ବାହୀ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଗଡ଼ନାୟକ, ସହକାରୀ ଯନ୍ତ୍ରୀ ସରେଶ ଚନ୍ଦ୍ର ଗଡ଼ନାୟକ, ସୁଧାକର ପଟ୍ଟନାୟକ, ଗ୍ରାମ ସଭାପତି ନିରଞ୍ଜନ ସାହୁ, ସମ୍ପାଦକ ଚୁଳମଣି ଦେହୁରି, ମଞ୍ଜୁ୍‌ ପ୍ରଧାନ, ରୂପେଇ ବାଘ, ପ୍ରମୋଦା ପ୍ରଧାନ, ଦାମିନୀ ସାହୁ, ଫୁଲ ପ୍ରଧାନ, ତିଳୋତ୍ତମା ପ୍ରଧାନଙ୍କ ସମେତ ଗ୍ରାମବାସୀ ଯୋଗ ଦେଇଥିଲେ। ଏହି ଅବସରରେ ଗ୍ରାମବାସୀ କହିଥିଲେ, ଧଉରାଗୋଠ ଜଳସେଚନ ପ୍ରକଳ୍ପ ନିର୍ମାଣ ହେଲେ ଡଙ୍ଗାଧର ଗାଁ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହେବ। ଏହି ଗ୍ରାମରେ ବସବାସ କରୁଥିବା ୧୫୦ରୁ ଊର୍ଦ୍ଧ୍ୱ ପରିବାର ସେମାନଙ୍କର ଜୀବିକା ହରାଇବେ। ଗ୍ରାମବାସୀଙ୍କ ଭିଟାମାଟି ଯିବା ସହ ଚାଷ ଜମି ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ। ତୁରନ୍ତ ସରକାର ଏଥିପ୍ରତି ଦୃଷ୍ଟିଦେଇ ପ୍ରକଳ୍ପ ବନ୍ଦ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।