Categories: ଖେଳ

ଦ୍ୱିତୀୟ ଟେଷ୍ଟ: ଓ୍ବାର୍ନର, ଲାବୁସ୍କାନଙ୍କ ଶତକ

ଆଡିଲେଡ, ୨୯।୧୧(ଏଏଫ୍‌ପି)- ସ୍ଥାନୀୟ ଆଡିଲେଡ ଓଭାଲ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ଓ ଭ୍ରମଣକାରୀ ପାକିସ୍ତାନ ମଧ୍ୟରେ ଶୁକ୍ରବାର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହୋଇଛି। ପ୍ରଥମ ଟେଷ୍ଟରେ ଏକ ଇନିଂସ ଓ ୫ ରନରେ ବିଜୟ ହାସଲ କରିଥିବା ଅଷ୍ଟ୍ରେଲିଆ ଦ୍ୱିତୀୟ ମ୍ୟାଚ୍‌ରେ ମଧ୍ୟ ଦମ୍‌ଦାର ଆରମ୍ଭ କରିଛି। ଓପନର ଡେଭିଡ ଓ୍ବାର୍ନର ଓ ଯୁବ ବ୍ୟାଟ୍ସମ୍ୟାନ ମାର୍ନସ ଲାବୁସ୍କାନଙ୍କ ଶତକ ସହାୟତାରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ବୃହତ୍‌ ସ୍କୋର ହାସଲ କରିବାର ସମ୍ଭବନା ସୃଷ୍ଟି କରିଛି। ଟସ୍‌ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୭୩ ଓଭରରେ ମାତ୍ର ଗୋଟିଏ ଉଇକେଟ ହରାଇ ୩୦୨ ରନ ସଂଗ୍ରହ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ଅଭିଜ୍ଞ ଓ୍ବାର୍ନର ୧୬୬ ଓ ଲାବୁସ୍କାନ ୧୨୬ ରନର ଶତକୀୟ ପାଳି ଖେଳି ଅପରାଜିତ ରହିଛନ୍ତି। ଓପନର ଜୋ ବନର୍‌ସ ୪ ରନ କରିଥିବା ବେଳେ ଦ୍ରୁତ ଶାହିନ ଶାହ ଆଫ୍ରିଦିଙ୍କ ବଲରେ ଉଇକେଟକିପର ମହମ୍ମଦ ରିଜଓ୍ବାନଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ଏହା ପରେ ଦ୍ୱିତୀୟ ଉଇକେଟରେ ଓ୍ବାର୍ନର ଓ ଲାବୁସ୍କାନ ରେକର୍ଡ ଅପରାଜିତ ୨୯୪ ରନ ସଂଗ୍ରହ କରି ଭ୍ରମଣକାରୀ ବୋଲରଙ୍କୁ ନିରାଶ କରିଥିଲେ।
ଓ୍ବାର୍ନର ୨୨୮ଟି ବଲର ସମ୍ମୁଖୀନ ହୋଇ ୧୯ଟି ଚୌକା ମାରିଛନ୍ତି। ସେହିପରି ଲାବୁସ୍କାନ ୨୦୫ଟି ବଲର ସମ୍ମୁଖୀନ ହୋଇ ୧୭ଟି ଚୌକା ମାରିଛନ୍ତି। ଏହି ଦୁଇ ବ୍ୟାଟ୍ସମ୍ୟାନ କ୍ରମାଗତ ଶତକ ହାସଲ କରିଛନ୍ତି। ଓ୍ବାର୍ନର କ୍ରମାଗତ ଦୁଇଥର ୧୫୦ରୁ ଊର୍ଦ୍ଧ ରନ ସଂଗ୍ରହ କରି ରେକର୍ଡ କରିଛନ୍ତି। ଏଥିସହିତ ଓ୍ବାର୍ନର ୨୩ତମ ଟେଷ୍ଟ ଶତକ ଅର୍ଜନ କରିଛନ୍ତି। ସେହିପରି ଲାବୁସ୍କାନ ଦ୍ୱିତୀୟ ଟେଷ୍ଟ ଶତକ ଅର୍ଜନ କରିଛନ୍ତି। ଗାବାରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଲାବୁସ୍କାନ ୧୮୫ ଓ ଓ୍ବାର୍ନର ୧୫୪ ରନର ଶତକୀୟ ପାଳି ଖେଳିଥିଲେ।
ସଂକ୍ଷିପ୍ତ ସ୍କୋର:
ଅଷ୍ଟ୍ରେଲିଆ ପ୍ରଥମ ଇନିଂସ- ୭୩ ଓଭରରେ ୩୦୨/୧
(ଡେଭିଡ ଓ୍ବାର୍ନର- ୧୬୬ *, ମାର୍ନସ ଲାବୁସ୍କାନ- ୧୨୬ *, ଶାହିନ ଶାହ ଆଫ୍ରିଦି- ୧/ ୪୮)।

Share